ପୁଲିସର ସ୍ୱତନ୍ତ୍ର ଅଭିଯାନ : ବିପୁଳ ଗଞ୍ଜେଇ ଜବତ
ଭୁବନେଶ୍ୱର: ଭୋର ସମୟରେ ବୌଦ୍ଧ ଜିଲ୍ଲା ପୁଲିସ ବାଘିଆପଡ଼ା ଓ ଖଣ୍ଡବର ରାସ୍ତା କଡ଼ରେ ପାନ୍ଥେଇ ଛକ ନିକଟରେ ବିପୁଳ ପରିମାଣର ଗଞ୍ଜେଇ (୨୭୨୦ କେଜି) ଚୋରା ଚାଲାଣ କରାଯାଉଥିବା ସଂକ୍ରାନ୍ତରେ ସୂଚନା ପାଇଥିଲା । ୩ ଜଣ ବ୍ୟକ୍ତି ଏହି ନିଶା ଦ୍ରବ୍ୟ ମହଜୁଦ ରଖିଥିବା ଅଭିଯୋଗ ସମ୍ପର୍କରେ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା । ସେଠରେ ପୁଲିସ ଗଞ୍ଜେଇ ବସ୍ତା ଜବତ କରିଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଉଲ୍ଲେଖଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତରଣୀ ସୁନା, ଦେବେନ୍ଦ୍ର ସୁନା ଏବଂ ପୂର୍ଣ୍ଣ ସାହୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ସମ୍ପର୍କରେ ପୁଲିସ ସୂଚନା ପାଇଥିଲା । ସେହି ଅନୁଯାୟୀ ପୁଲିସ ଅଚାନକ ଚଢାଉ କରିଥିଲେ । ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହୋଇଥିଲେ । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ ଗଞ୍ଜେଇ ଚୋରା ଚାଲାଣ ତଥା ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ନିଦେ୍ର୍ଦଶ ଦେଇଥିବା ବେଳେ ପୁଲିସ ପକ୍ଷରୁ ଏହି ଅଭିଯାନ ଜୋରଦାର ଚାଲିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ୧ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ୫୯୧ଟି ମାମଲା ରୁଜୁ କରାଯାଇଥିବା ବେଳେ ପ୍ରାୟ ୨୫ ହଜାର ଏକରରୁ ଅଧିକ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି । ଏହି ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ, ଫେବୃଆରୀ ଓ ମାର୍ଚ୍ଚ ମାସରେ ଗଞ୍ଜେଇ ଚାଷ ଅମଳ କରାଯାଇଥାଏ । ଏହା ଉପରେ ରୋକ ଲଗାଇବାକୁ ପୁଲିସ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି ।