ସରକାରୀ ନିୟମକୁ ଉଲ୍ଲଙ୍ଘନ ଅଭିଯୋଗ 

ହିଞ୍ଜିଳିକାଟୁ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ରାଜ୍ୟ ଶ୍ରମବିଭାଗ ପକ୍ଷରୁ ପୂର୍ବାହ୍ନ ୧୧ଟା ପରେ ଶ୍ରମିକମାନଙ୍କୁ କାମ କରିବା ପାଇଁ ବାରଣ କରାଯାଇଛି । ଏଥିପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସକାଳ ସମୟରେ କରାଯାଉଛି । ଯେଉଁଠି ଶ୍ରମିକମାନେ ମାନୁନାହାନ୍ତି କିମ୍ବା ଠିକାଦାରମାନେ ନିୟମ ଉଲ୍ଲଂଘନ କରୁଛନ୍ତି ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀମାନେ ତାଗିଦ୍  କରିବା ସହ ସଚେତନତା ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷରେ କମ୍ପାନୀ କିମ୍ବା ଠିକାଦାରଙ୍କୁ ଆର୍ଥିକ ଦଣ୍ଡ ଦେବା ସହ ସେମାନଙ୍କୁ ଅନୁମତି ମୂଳକ ପତ୍ର (ଲାଇସେନ୍ସ) କେତେକାଂଶରେ ରଦ୍ଦ କରୁଛନ୍ତି । ହିଞ୍ଜିଳିକାଟୁ ସହରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଠିକାଦାରଙ୍କ ପାଇଁ ବିଭାଗୀୟ ଅଧିକାରୀମାନେ ପାତରଅନ୍ତର ନୀତି ଆପଣାଇଥିବା ଦେଖିବାକୁ ମିଳିଛି ।   ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଖରା ତ ନୁହେଁ ଆକାଶରୁ ନିଆଁ ବର୍ଷୁଛି । ପୂର୍ବାହ୍ନ ସାଢେ ୧୧ଟା ପରେ ହିଞ୍ଜିଳିକାଟୁ ସ୍ୱୟଂ ସାସିତ ମହାବିଦ୍ୟାଳୟରେ ପୁରୁଣା ହଷ୍ଟେଲ କୋଠା ଭଙ୍ଗା ଚାଲିଛି  । ଶ୍ରମିକମାନେ ପ୍ରାୟ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଡହ ଡହ ଖରାରେ ଛାତ ଉପରେ ଲୁହା ରଡ୍ ଉପରେ ଚଢ଼ି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା ।  ସରକାରଙ୍କ ନିଦେ୍ର୍ଦଶ ଅନୁସାରେ ଗ୍ରୀଷ୍ମପ୍ରବାହରୁ ଶ୍ରମିକଙ୍କ ଧନଜୀବନ ରକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଛି । ନିଦ୍ଧିଷ୍ଟ ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯାଇଛି ।  ଖରାରେ ଖଟୁଛନ୍ତି ଶ୍ରମିକ  । ନିୟମକୁ ଖାତିର ନକରି ପ୍ରଚଣ୍ଡ ଖରାରେ ଚାଲିଛି ନିର୍ମାଣ କାମ ଓ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଅଭିଯୋଗ ହୋଇଛି । ଏହାକୁ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ କରିଛନ୍ତି ।