୨୨ ବର୍ଷ ପରେ ପାକିସ୍ତାନରୁ ଫେରିଲେ ହମିଦା ବାନୋ

ମୁମ୍ବାଇର ହମିଦା ବାନୋଙ୍କ କାହାଣୀ କୌଣସି ଫିଲ୍ମ ସ୍କ୍ରିପ୍ଟଠାରୁ କମ୍ ନୁହେଁ । ଏମିତି ଏକ ସ୍ୱପ୍ନ ଯାହା ପୂରଣ ହେବା ପୂର୍ବରୁ ଭାଙ୍ଗି ଯାଇଥିଲା ଏବଂ ତାଙ୍କୁ ବିଦେଶରେ ୨୨ ବର୍ଷ ବିତାଇବାକୁ ପଡିଥିଲା , ଆଉ ସେହି ବିଦେଶ ଭିତରୁ ପାକିସ୍ତାନ ସେ କାଟିଥିଲେ ଅନେକ ବର୍ଷ । ଦୁବାଇରେ ଚାକିରି କରିବାର ସ୍ୱପ୍ନ ନେଇ ଘରୁ ବାହାରିଥିବା ହାମିଦା ଜାଣି ନଥିଲେ ଯେ ତାଙ୍କ ଜୀବନ ଏମିତି ବଦଳିଯିବ ଏବଂ ତାଙ୍କ ଜୀବନର ୨୨ ବର୍ଷ ପାକିସ୍ତାନରେ ବିତିଯିବ । ସେ ନିଜ ଦେଶକୁ ଫେରିବେ ବୋଲି ଆଶା ଛାଡ଼ି ଦେଇଥିଲେ । ୨୦୦୨ରେ ହମିଦା ବାନୋ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ମୁମ୍ବାଇରେ ତାଙ୍କର ଚାରି ସନ୍ତାନଙ୍କୁ ପ୍ରତିପୋଷଣ କରିବା ପାଇଁ ତାଙ୍କୁ ଟଙ୍କା ଦରକାର ଥିଲା । ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଥିଲା ଏବଂ ଘର ଚଳାଇବାର ଦାୟିତ୍ୱ ତାଙ୍କ କାନ୍ଧରେ ଥିଲା । ଏହା ପୂର୍ବରୁ ସେ କତାର, ସାଉଦି ଆରବ ଓ ଦୁବାଇ ଭଳି ଦେଶରେ ରୋଷେୟା ଭାବେ କାମ କରିଥିଲେ। ରୋଜଗାର ଆଶାରେ ହମିଦା ଜଣେ ଏଜେଣ୍ଟଙ୍କ ଜରିଆରେ ଦୁବାଇ ଯିବାକୁ ସ୍ଥିର କଲେ । କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ଜୀବନର ସବୁଠାରୁ ବଡ଼ ବିଶ୍ୱାସଘାତକତା ପାଲଟିଥିଲା ।
ଏଜେଣ୍ଟ ତାଙ୍କୁ ଦୁବାଇ ପରିବର୍ତ୍ତେ ପାକିସ୍ତାନର ସିନ୍ଧ ପ୍ରଦେଶର ହାଇଦ୍ରାବାଦ ସହରକୁ ନେଇଯାଇଥିଲେ। ପାକିସ୍ତାନରେ ପହଞ୍ଚିବା ପରେ ହମିଦା ବାନୋଙ୍କର କୌଣସି ପରିଚିତ କିମ୍ବା କୌଣସି ସମର୍ଥନ ନଥିଲା। ଧୀରେ ଧୀରେ ସେ ସେଠାରେ ବନ୍ଦୀ ଜୀବନ କାଟିଲେ, ସମୟକ୍ରମେ ସେ କରାଚିର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଏହି ବିବାହ ବି ଅଧିକ ଦିନ ଚାଲିନଥିଲା। କୋଭିଡ୍ ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ହମିଦା ନିଜ ସାବତ ପୁଅଘରେ ରହିଥିଲେ। ପାକିସ୍ତାନରେ ୨୨ ବର୍ଷ ରହିବା ସତ୍ତ୍ୱେ ତାଙ୍କ ହୃଦୟ ସବୁବେଳେ ଭାରତରେ ଥିବା ନିଜ ପିଲାଙ୍କ ପାଖକୁ ଫେରିବାକୁ ଚାହୁଁଥିଲା । ସେ ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ ଭାରତ ଆସବାକୁ କୌଣସି ଉପାୟ ପାଇନଥିଲେ ।
୨୦୨୨ ମସିହାରେ ଜଣେ ୟୁଟ୍ୟୁବର ୱାଲିଉଲ୍ଲା ମାରୁଫଙ୍କ ଜରିଆରେ ତାଙ୍କ କାହାଣୀ ସାମ୍ନାକୁ ଆସିଥିଲା, ଯିଏ କି ହମିଦା ବାନୋଙ୍କ ଦୁଃଖକୁ ନିଜ ବ୍ଲଗରେ ସେୟାର କରିଥିଲେ । ଏହି ଭିଡିଓ ଭାରତରେ ଥିବା ତାଙ୍କ ପରିବାର ପାଖରେ ପହଞ୍ଚିଥିଲା । ଝିଅ ୟାସ୍ମିନ ତାଙ୍କ ମା'ଙ୍କ ସ୍ୱର ଶୁଣିବା ପରେ ମାରୁଫଙ୍କ ସହ ଯୋଗାଯୋଗ କରିଥିଲେ ଝିଅ । ମାରୁଫଙ୍କ ସହ କଥାବାର୍ତ୍ତା ବେଳେ ହମିଦା କହିଥିଲେ ଯେ ସେ କିପରି ପାକିସ୍ତାନରେ ପହଞ୍ଚିଥିଲେ ଏବଂ ସେ କେଉଁ ପ୍ରକାରର ଜୀବନ ବିତାଉଛନ୍ତି । "ମୁଁ ଭାବିଥିଲି ମୁଁ ମୋ ପିଲାମାନଙ୍କୁ କେବେ ବି ଭେଟିବି ନାହିଁ କିନ୍ତୁ ଭଗବାନ ମୋ କଥା ଶୁଣିଲେ ବୋଲି ଭାରତରେ ପଂହଚିବା ପରେ ଗଣମାଧ୍ୟମକୁ କହିଥିଲେ ହମିଦା