ବିଜେପି ଯିବାକୁ ସଜବାଜ ବଡଚଣା ବିଜେଡିର ଅସନ୍ତୁଷ୍ଟ ନେତା
ଯାଜପୁର : ଚଳିତମାସ ୭ ତାରିଖରେ ସୂର୍ଯ୍ୟପ୍ରଭା ଲେଖିଥିଲା ବିଜେଡି ହାତରୁ ଯିବ ବଡଚଣା ବ୍ଲକ, ଅମରଙ୍କ ସହ ସାମିଲ ହେବେ ଅମର ଲିଗାସି । ପ୍ରାକ୍ତନମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କୁ ବିଜେଡି କୋଣଠେସା କରିବାପରେ ବଡ଼ଚଣା ବିଜେଡିରେ ଫାଟ ସୃଷ୍ଟି ହୋଇଥିଲା । ନିର୍ବାଚନରେ ବଡଚଣା ହାତରୁ ଯିବା ପରେ ବିଜେଡି ଫାଟ ବଢିବାକୁ ଲାଗିଥିଲା । ଫାଟକୁ ବୁଜିବାକୁ ବିଜେଡି ନେତୃତ୍ୱ ଉଦ୍ୟମ ନ କରିବା ଭିତରେ ବ୍ଲକ ସଭାପତି ଚୟନ ହେଉ କି ଆମଦାନୀ ନେତା ରାଜନାରାୟଣ ମହାପାତ୍ର ମଙ୍ଗ ଧରି ଆଗକୁ ଆସିବା ଏବଂ ସର୍ବୋପରି ସମ୍ବର୍ଦ୍ଧନା ସଭାର ଆୟୋଜନ ପରଠୁ ଫାଟ ପୁରା ମେଲିଯାଇଥିଲା । ଅସନ୍ତୁଷ୍ଟ ବିଜେଡ଼ି ନେତା ବିଜେପିକୁ ଯିବାକୁ ଗୋଡ଼ ଟେକି ବସିଛନ୍ତି । ଚଳିତମାସ ଶେଷ ସୁଦ୍ଧା ଅସନ୍ତୁଷ୍ଟ ବିଜେଡ଼ି ନେତା ପଦ୍ମଧରିବାକୁ ଯାଉଥିବା କୁହାଯାଉଥିବା ବେଳେ ପ୍ରଥମେ ସାମୁହିକ ଇସ୍ତଫା ଦେବାକୁ ଶୁକ୍ରବାର ଆୟୋଜିତ ଏକ ବୈଠକରେ ନିଷ୍ପତି ହୋଇଥିବାର ବିଶ୍ୱସ୍ଥ ସୂତ୍ରରୁ ଜାଣିବାକୁ ମିଳିଛି ।
ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅସନ୍ତୁଷ୍ଟ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲାପରିଷଦ ତଥା ପ୍ରାକ୍ତନ ବ୍ଲକ ସଭାପତି ଅରବିନ୍ଦ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ଛାମୁଆ ସଂଗଠକ, ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହିଥିଲେ । ବୈଠକ ସମ୍ପର୍କରେ ଶ୍ରୀ ସାମଲ କୌଣସି ସୂଚନା ଦେଇନଥିଲେ ବି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ସୂତ୍ରରୁ ମିଳିଥିବା ଖବର ମତେ ବିଜେପିରେ ମିଶ୍ରଣ ପୂର୍ବରୁ ସମସ୍ତେ ବିଜେଡ଼ିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେବେ । ବିଜେଡିରୁ ଇସ୍ତଫା ଦେବାର ସ୍ୱଳ୍ପ ଦିନ ମଧ୍ୟରେ ଅସନ୍ତୁଷ୍ଟ ନେତା, କାର୍ଯ୍ୟକର୍ତା, ପାୟତ ପ୍ରତିନିଧି ବିଜେପିରେ ଯୋଗ ଦେବେ ।
ବିଜେପିରେ ଯୋଗ ଦେବା ନିମିତ ବଡ଼ଚଣା ବିଧାୟକ ଅମର ନାୟକ ଏବଂ ରାଜ୍ୟସଭାପତି ମନମୋହନ ସାମଲଙ୍କ ସହ ପ୍ରାଥମିକ ଆଲୋଚନା ହୋଇସାରିଛି । ବିଜେପି ନେତୃତ୍ୱ ମିଶ୍ରଣ ନିମନ୍ତେ ତାରିଖ ନିର୍ଦ୍ଧାରଣ କରିବାପରେ ଅସନ୍ତୁଷ୍ଟ ବିଜେଡି ନେତା ଇସ୍ତଫା ଦେବେ । ତେବେ ଅସନ୍ତୁଷ୍ଟ ବ୍ଲକର ୪୩ ପଞ୍ଚାୟତରୁ ଅଧିକରୁ ଅଧିକ ପ୍ରତିନିଧିଙ୍କୁ ନିଜ ସାଙ୍ଗରେ ସାମିଲ କରିବାକୁ ଗୋଟି ଚଳାଇଥିବାର ଜଣାପଡ଼ିଛି । ଅସନ୍ତୁଷ୍ଟ ବିଜେପି ଯିବାକୁ ଥୟ ହୋଇଥିବା ବେଳେ ବିଜେଡି ନେତୃତ୍ୱଙ୍କ କିନ୍ତୁ ନିଦ୍ରାଭଙ୍ଗ ହୋଇନି । ବଡ଼ଚଣା ନେତୃତ୍ୱ ନେବାକୁ ଆଗେଇ ଆସିଥିବା ରାଜନାରାୟଣ ମହାପାତ୍ରଙ୍କ ପ୍ରତିଥିବା ଅସନ୍ତୋଷ ବଡ ବିଷ୍ପୋରଣ ରୂପ ନେଇସାରିଛି । କେବଳ ସମୟକୁ ଅପେକ୍ଷା ।