ଆତଙ୍କବାଦ ଦମନରେ ଦୋ ମୁହାଁ ନୀତିର ସ୍ଥାନ ନାହିଁ: ମୋଦି ଯୁଦ୍ଧ ନୁହେଁ, କୂଟନୀତିକୁ ସମର୍ଥନ କରେ ଭାରତ

ାା ଏଜେନ୍ସି ।ା ନୂଆଦିଲ୍ଲୀ:  ବ୍ରିକ୍ସ ଶିଖର ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗରେ ମୋଦିଙ୍କ ଚେତାବନୀ । କହିଲେ ଦୋ ମୁହାଁ ନୀତିର ସ୍ଥାନ ନାହିଁ । ଯୁଦ୍ଧ ନୁହେଁ, କଥାବାର୍ତ୍ତା ଏବଂ କୂଟନୀତିକୁ ସମର୍ଥନ କରେ ଭାରତ ।  ରୁଷର କଜାନରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ସମେତ ବିଶ୍ୱର ବଡ଼ ବଡ଼ ନେତାଙ୍କ ଆଗରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଅଭିଭାଷଣରେ ପରୋକ୍ଷରେ ପାକିସ୍ତାନକୁ କଟାକ୍ଷ କରି ଆତଙ୍କବାଦ ଉପରେ ବର୍ଷିଛନ୍ତି ମୋଦି । ଆତଙ୍କବାଦ ପ୍ରସଙ୍ଗରେ ଦୋ ମୁହାଁ ନୀତିର ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ଷୋଡଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମକୁ ଆତଙ୍କବାଦ ଏବଂ ଆତଙ୍କବାଦୀ ପାଣ୍ଠି ବିରୋଧରେ ଏକାଠି ହୋଇ ଜୋରଦାର ମୁକାବିଲା କରିବାକୁ ପଡ଼ିବ । 
 ମୋଦି କହିଛନ୍ତି, ମୁଁ ବିଶ୍ୱାସ କରେ ଯେ ବ୍ରିକ୍ସ, ଏକ ବିବିଧତାପୂର୍ଣ୍ଣ ଓ ସମାବେଶୀ ମଞ୍ଚ ଭାବରେ ସମସ୍ତ କ୍ଷେତ୍ରରେ ଏକ ସକରାତ୍ମକ ଭୂମିକା ଗ୍ରହଣ କରିପାରିବ । ଏ ବାବଦରେ ଆମର ଆଭିମୁଖ୍ୟ ଲୋକକୈନ୍ଦ୍ରିକ ହେବା ଉଚିତ । ଆମକୁ ବିଶ୍ୱକୁ ଏକ ବାର୍ତ୍ତା ଦେବାକୁ ପଡିବ ଯେ ବ୍ରିକ୍ସ ବିଭାଜନକାରୀ ସଂଗଠନ ନୁହେଁ, ବରଂ ଏହା ଲୋକଙ୍କ ସ୍ୱାର୍ଥରେ କାମ କରେ । ଯେପରି ଆମେ ମିଳିତ ଭାବେ କୋଭିଡ ଭଳି ଏକ ଆହ୍ୱାନକୁ ଦୂର କରିପାରିଥିଲୁ, ଭବିଷ୍ୟତ ପିଢି ପାଇଁ ଏକ ନିରାପଦ, ଶକ୍ତିଶାଳୀ ଏବଂ ସମୃଦ୍ଧ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଆମେ ନିଶ୍ଚିତ ଭାବେ ନୂତନ ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ । ଆତଙ୍କବାଦର ମୁକାବିଲା କରିବା ଏବଂ ଆତଙ୍କବାଦୀଙ୍କ ଆର୍ଥିକ କଳ ବନ୍ଦ କରିବା ପାଇଁ ଆମକୁ ଏକଜୁଟ ଭାବେ ନିରନ୍ତର ସମର୍ଥନ ଆବଶ୍ୟକ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୋ ମୁହାଁ ନୀତି ପାଇଁ କୌଣସି ସ୍ଥାନ ନାହିଁ । ଆମ ଦେଶର ଯୁବବର୍ଗଙ୍କୁ ଉଗ୍ରବାଦୀ ହେବାରୁ ରୋକିବା ପାଇଁ ଆମକୁ ଦୃଢ଼ ପଦକ୍ଷେପ ନେବା ଜରୁରୀ । 
ସେ କହିଛନ୍ତି, ବ୍ରିକ୍ସ ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି, ଯେତେବେଳେ ବିଶ୍ୱ ଯୁଦ୍ଧ, ଅର୍ଥନୈତିକ ଅନିଶ୍ଚିତତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦ ଭଳି ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି । ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ବିଭାଜନ ଭଳି ସ୍ଥିତି ଉପୁଜିଛି । ମୁଦ୍ରାସ୍ଫୀତି ବନ୍ଦ କରିବା, ଖାଦ୍ୟ ନିରାପତ୍ତା, ଶକ୍ତି ନିରାପତ୍ତା, ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ନିରାପତ୍ତା ଆଦି ନିଶ୍ଚିତ କରିବା ବିଶ୍ୱର ସମସ୍ତ ଦେଶର ପ୍ରାଥମିକତା ହେବା ଉଚିତ । ଟେକ୍ନୋଲୋଜିର ଏହି ଯୁଗରେ ସାଇବର ଡିପଫେକ୍, ଭୁଲ ତଥ୍ୟ ଭଳି ନୂଆ ଆହ୍ୱାନ ସୃଷ୍ଟି ହେଉଛି । ଏଭଳି ସମୟରେ ବ୍ରିକ୍ସ ସମ୍ମିଳନୀରୁ ଅନେକ ଆଶା ରହିଛି । ଏ ବାବଦରେ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ଗ୍ରହଣ କରାଯିବା ଉଚିତ ଏବଂ ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟଙ୍କ ମତକୁ ସମ୍ମାନ ଦିଆଯିବା ଉଚିତ । ଜୋହାନ୍ସବର୍ଗ ସମ୍ମିଳନୀ ସମୟରେ ଗ୍ରହଣ କରାଯାଇଥିବା ମାର୍ଗଦର୍ଶିକା, ମାନକ, ଆଦର୍ଶ ଏବଂ ପ୍ରକ୍ରିୟା ସମସ୍ତ ସଦସ୍ୟ ଏବଂ ସହଭାଗୀ ଦେଶ ଅନୁପାଳନ କରିବା ଆବଶ୍ୟକ ।  ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ଜାତିସଂଘରେ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ପ୍ରସଙ୍ଗରେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ । ସେହିଭଳି ସାଇବର ନିରାପତ୍ତା ଏବଂ ସୁରକ୍ଷିତ ଏଆଇ ପାଇଁ ଆମକୁ ବିଶ୍ୱସ୍ତରୀୟ ନିୟମାବଳୀ ଉପରେ କାମ କରିବାକୁ ପଡ଼ିବ । ଅଂଶୀଦାର ରାଷ୍ଟ୍ର ଭାବେ ବ୍ରିକ୍ସରେ ନୂତନ ଦେଶଗୁଡ଼ିକୁ ସ୍ୱାଗତ କରିବାକୁ ଭାରତ ପ୍ରସ୍ତୁତ ଅଛି । ବିଶ୍ୱକୁ ନିଜର ଉଦାହରଣ ଦେଇ ଆମକୁ ସାମୂହିକ ଏବଂ ଏକଜୁଟ ଢଙ୍ଗରେ ବିଶ୍ୱ ସ୍ତରୀୟ ଅନୁଷ୍ଠାନର ସଂସ୍କାର ପାଇଁ ସ୍ୱର ଉତ୍ତୋଳନ କରିବାକୁ ହେବ  । ଜାତିସଂଘ ନିରାପତ୍ତା ପରିଷଦ, ବହୁପକ୍ଷୀୟ ବିକାଶ ବ୍ୟାଙ୍କ ଏବଂ ଡବ୍ଲୁ୍ୟଟିଓ ଭଳି ବୈଶ୍ୱିକ ଅନୁଷ୍ଠାନରେ ସଂସ୍କାର ଦିଗରେ ଆମକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆଗକୁ ବଢ଼ିବାକୁ ପଡ଼ିବ ।
ଦକ୍ଷିଣ ବିଶ୍ୱର ଦେଶମାନଙ୍କର ଆଶା, ଆକାଂକ୍ଷା ଓ ଆଶାକୁ ମଧ୍ୟ ଧ୍ୟାନରେ ରଖାଯିବା ଦରକାର । ଆମର ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ଏବଂ ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଏହି ଦେଶଗୁଡ଼ିକର ସ୍ୱରକୁ ବିଶ୍ୱ ମଞ୍ଚରେ ରଖିଥିଲା । ବ୍ରିକ୍ସ ଅଧୀନରେ ମଧ୍ୟ ଏହି ପ୍ରୟାସକୁ ସୁଦୃଢ଼ କରାଯାଉଥିବାରୁ ମୁଁ ଆନନ୍ଦିତ । ଗତବର୍ଷ ଆଫ୍ରିକାର ଦେଶଗୁଡ଼ିକ ବ୍ରିକ୍ସରେ ସାମିଲ ହୋଇଥିଲେ ।
ଚଳିତ ବର୍ଷ ମଧ୍ୟ ବିଶ୍ୱର ଅନେକ ଦେଶକୁ ରୁଷ୍ ନିମନ୍ତ୍ରଣ କରିଛି । ଏହି ପରିପ୍ରେକ୍ଷୀରେ ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ଭାବରେ ଭାରତ ସର୍ବଦା ନିଜର ଦାୟିତ୍ୱ ନିର୍ବାହ ଜାରି ରଖିବ ।