ଜାଗରଯାତ୍ରା: ଶିବାଳୟ ଶିବମୟ

ନୀଳଗିରି: ମହାଶିବରାତ୍ରୀ ଅବସରରେ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ସମେତ ବିଭିନ୍ନ ଶୈବପୀଠ । ନୀଳଗିରି ଉପଖଣ୍ଡରେ ବହୁବର୍ଷ ପୂର୍ବରୁ ଦେବଗିରି ପର୍ବତ ମାଳାର ଅଂଶବିଶେଷର ଏକ ଚିରସ୍ରୋତା ଝରଣାର ପଥର ଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ବାବା ପଞ୍ଚଲିଙ୍ଗେଶ୍ୱର ନାମରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଆସୁଛନ୍ତି । ଏଠାରେ ନୀର ଶଯ୍ୟାରେ ବିଜେ ପାଞ୍ଚଟି ଲିଙ୍ଗକୁ ବିଭିନ୍ନ ମନସ୍କାମନା ପୂର୍ଣ୍ଣ ଆଶାରେ ବାବା ପଞ୍ଚଲିଙ୍ଗେଶ୍ୱର ନାମରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଛନ୍ତି । ଗେଟ ଖୋଲିବାପରେ ୫ଟା ୧୫ରେ ମଙ୍ଗଳ ଆଳତି ହେବା ସହ ୬ରୁ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ପାଇଁ ୨୬୩ଟି ପାହାଚ ଚଢ଼ି ଲାଇନରେ ଆସି ଶାନ୍ତି ଶୃଖଂଳାରେ ପୁଜା ଅର୍ଚ୍ଚନା କରିଥିଲେ । ବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବ୍ୟାରିକେଟ ବ୍ୟବସ୍ଥା ସହ ଲମ୍ବା ଧାଡି ଲାଗିବା ସହ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ପଞ୍ଚଲିଙ୍ଗେଶ୍ୱରରେ ପୂଜାର୍ଚ୍ଚନା କରିଥିବା ସୂଚନା ମିଳିଛି । ଟ୍ରଷ୍ଟ ବୋର୍ଡÿ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି, ଟ୍ରଷ୍ଟ ବୋର୍ଡÿ ସଦସ୍ୟ, ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠୀଙ୍କ ସମେତ ଅନ୍ୟମାନେ ପୀଠ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଶ୍ରଦ୍ଧାଳୁଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ମୃତୟନ ସହ ପୀଠରେ ଶୌଚାଳୟ, ପିଇବା ପାଣି, ସ୍ୱଛତା, ବ୍ୟାରିକେଟ୍ ଓ ଭିତରେ ବାହାରେ ଊଜ୍ୱଳ ଆଲୋକ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ବିଭିନ୍ନ ସଂଗଠନ ପକ୍ଷରୁ ଜଳ ଛତ୍ର ଖୋଲାଯାଇ ଶ୍ରଦ୍ଧାଳୁମାନଙ୍କ ଶୋଷ ମେଣ୍ଟାଉଛନ୍ତି । ସେହିପରି ନୀଳଗିରିର ଶାଳବଣି ଗାଁରେ ଆବିର୍ଭାବ ହୋଇଥିବା ବାବା ଜଟାଧାରୀଙ୍କ ପୀଠରେ ଏବଂ ନୀଳଗିରି ସଜନାଗଡ଼ ପଞ୍ଚାୟତ ତେଣ୍ଡା ନିକଟ କୁଲଡିହା ଅଭୟାରଣ୍ୟ ର ପାଦଦେଶରେ ଗୋଟିଏ ବିରାଟ ପଥର ଚତିରି ତଳେ ୧୮୯୩ ମସିହାରୁ ପୂଜା ପାଉଥିବା ବାବା ଶଙ୍ଖେଶ୍ୱର ମହାଦେବ ସହ ନୀଳଗିରିରେ ବିଭିନ୍ନ ସ୍ଥାନରେ ମଧ୍ୟ ଧୁମଧାମରେ ଶିବରାତ୍ରି ପାଳନ ହୋଇଛି ।
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ତିଖାଲି ଜଳେଶ୍ୱର ମନ୍ଦିର ପରିସର ମଧ୍ୟରେ ଶିବରାତ୍ରୀ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ହଜାର ହଜାର ଶ୍ରଢାଳୁ ଶିବ ଲିଙ୍ଗରେ ପୂଜା ଅର୍ଚ୍ଚନା କରିଛନ୍ତି । ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ତିଖାଲି ଡେମ ମୁଖ୍ୟ ନିର୍ମାଣଧୀନ ଯନ୍ତ୍ରୀ ସଂଜୀବ ଭାତ୍ରା ଓ ମନ୍ଦିର ପରିଚାଳନା କମିଟିର ସଭାପତି ସୁପରିଟେନଡେଣ୍ଟ ଇଞ୍ଜିନିୟର ସୌମ୍ୟରଂଜନ ଜୟପୁରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମନ୍ଦିର ଉପସଭାପତି ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ସଭାପତି ନିତ୍ୟାନନ୍ଦ ପ୍ରଧାନ,ସମ୍ପାଦକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଜନ୍ମଜୟ ସ୍ୱାଇଁ, ଯୁଗ୍ମ ସମ୍ପାଦକ ମକରର୍ଧ୍ୱଜ ବେହେରା,,କେନାଲ ଏସଡିଓ ସୌରଭ କୁମାର ଦାସ, କୋଷାଧ୍ୟକ୍ଷ, ଏସଡିଓଙ୍କ ସହ କୋଷାଧ୍ୟକ୍ଷ ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ ।
ସେହିପରି ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ତୀରବନ୍ଧ ଶିବ ମନ୍ଦିର ପରିସର ମଧ୍ୟରେ ଶିବରାତ୍ରି ମହା ସମାରୋହରେ ପାଳିତ ହେଉଛି । ମହା ଶିବରାତ୍ରି ଅବସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଛି । ଏ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଶିବ ଲିଙ୍ଗରେ ପୂଜା ଅର୍ଚ୍ଚନା କରିଛନ୍ତି ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଓ ଆଖପାଖ ଅଂଚଳର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଧୁଧଧାମ୍ରେ ପାଳନ ହୋଇଛି । ଛତ୍ରପୁର ସ୍ଥିତ ଆଗ୍ରହରମ ସାହି ସ୍ଥିତ ଶ୍ରୀଶ୍ରୀ ଗୌରୀଶଙ୍କର ମନ୍ଦିର, ପୁତି ଗୋପାଳପୁର ସ୍ଥିତ ବିଶ୍ୱେଶ୍ୱର ମନ୍ଦିର ଆଦିରେ ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହୋଇଛି । ପୀଠ ଓ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପୀଠଗୁଡିକ ରେ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା ।
ଗୋଲାମୁଣ୍ଡା: ଭଗବାନ ଶିବଙ୍କୁ ବ୍ରତ ମଧ୍ୟରେ ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । ମହାଶିବରାତ୍ରି ଜାଗର ପାଇଁ କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ଶୈବପୀଠରେ ସକାଳୁ ଭିଡ଼ ଜମିବାରେ ଲାଗିଛି । ଗୋଲାମୁଣ୍ଡା ବ୍ଲକରେ ଅନେକ ଶୈବପୀଠ ମଧ୍ୟରୁ ଫରଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ଚୋରା ପାହାଡ ପାଦଦେଶରେ ଅବସ୍ଥିତ ଗଦଲାଝରନ ଶୈବପୀଠରେ ଲକ୍ଷାଧିକ ଶୈବ ଭକ୍ତଙ୍କ ସମାଗମ ହୋଇଛି ।
ତାଳଚେର: ପବିତ୍ର ଜାଗର ଯାତ୍ରାକୁ ନେଇ ତାଳଚେର ସହରର ପଶ୍ଚିମେଶ୍ୱର ଶୈବପୀଠରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଜାଗର ଦୀପ ପ୍ରଜ୍ଜଳନ କରିବାକୁ ବ୍ରତପାଳନ କରୁଥିବା ପୁରୁଷ, ମହିଳା, ବୃଦ୍ଧ, ବୃଦ୍ଧା ମାନଙ୍କର ପରିବାର ପକ୍ଷରୁ ସକାଳୁ ଶୈବପୀଠରେ ନିଜ ସ୍ଥାନ ରଖିବାକୁ ଭିଡ଼ ହୋଇଥିଲା । ମନ୍ଦିରର ଚର୍ତୁପାଶ୍ୱର୍ରେ ସେମାନେ ନିଜପାଇଁ ଚୟନ କରିଥିବା ସ୍ଥାନରେ ବସି ଜାଗର ଦୀପପ୍ରଜ୍ଜଳନ ମଧ୍ୟ କରିଥିଲେ । ମହାଦେବଙ୍କର ଏହି ପବିତ୍ର ଜାଗର ଯାତ୍ରାକୁ ନେଇ ଅଂଚଳ ଚଳଚଂଚଳ ହୋଇପଡ଼ିଥିଲା ।
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମରେ ଥିବା ଶୈବପୀଠ ଗୁଡିକରେ ବୁଧବାର ପ୍ରାତଃରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭକ୍ତମାନଙ୍କ ଅସମ୍ଭବ ଭିଡ ଲାଗି ରହିଛି । ଶାନ୍ତି ଶୃଙ୍ଖଳା ସକାଶେ ମନ୍ଦିର ପ୍ରଶାସନ, ସ୍ୱେଚ୍ଛସେବୀ ସଗଠନ ଏବଂ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ତତ୍ତ୍ୱାବଧାନରେ ସାଦା ପୋଷାକଧାରୀ ପୁଲିସ କର୍ମଚାରୀମାନେ ଶୈବପୀଠ ନିକଟରେ ମୁତୟନ ରହିଥିବା ଦେଖିବାକୁ ମିଳିଥିଲା ।
ବୁଗୁଡ଼ା: ମହାଶିବରାତ୍ରି ଉପଲକ୍ଷେ ବୁଗୁଡା ଅଞ୍ଚଳର ବିଭିନ୍ନ ଶୈବପୀଠରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଜାଗରଯାତ୍ରା ପାଳିତ ହୋଇଯାଇଛି । ଶିବ ମନ୍ଦିରରେ ଭକ୍ତିର ସହିତ ଜାଗର ଯାତ୍ରା ପାଳିତ ହୋଇଯାଇଥିବା ବେଳେ ଅଧିକାଂଶ ଶୈବପୀଠରେ ଭକ୍ତମାନଙ୍କ ଉଜାଗର ନିମିତ୍ତ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ଯଜ୍ଞ, ଭଜନ ସମାରୋହ ଓ ରାମାୟଣ ନାଟକ ଆଦି ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାଜାକଜମକରେ ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରାଯାଇ ଥିବାରୁ ପ୍ରତ୍ୟେକ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା ।