ନୀତିହରାଙ୍କ ନୀତି ଚର୍ଚ୍ଚା

ଡ.ମନୋଜ କୁମାର ମହାନ୍ତି : ସାଧାରଣତଃ ରବିବାର ଛୁଟିଦିନରେ ସାହିତ୍ୟ ସଭାର ଆୟୋଜନ ଏକପ୍ରକାର ଅବସାଦମୁକ୍ତି । କୌଣସି ଏକ ମହାବିଦ୍ୟାଳୟର ପ୍ରାଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷଙ୍କର ପୁସ୍ତକ ଲୋକାର୍ପଣ ଉତ୍ସବର ଏକ ଭବ୍ୟସଭାର ଅୟୋଜନରେ ମୁଁ ନିଜକୁ ସାମିଲ କଲି । ଯଦିଓ ନିମନ୍ତ୍ରଣ ପତ୍ରରେ କାର୍ଯ୍ୟସୂଚୀ ତଥା ସମୟ ନିର୍ଘଣ୍ଟ ହୋଇଥଲା କିନ୍ତୁ ସଭାଟି ଆରମ୍ଭ ହେଲା ଦେଢ଼ଘଣ୍ଟା ବିଳମ୍ବରେ । କାରଣ ସଭାପାଇଁ ନିମନ୍ତ୍ରିତ ପ୍ରତ୍ୟେକ ଅତିଥିମାନେ ଜଣେଜଣେ ବିଶିଷ୍ଟବ୍ୟକ୍ତି । ଭାରତର ସମୟନୁବର୍ତ୍ତିତା ସହ ଆମେ ସମସ୍ତେ ଜଡ଼ିତ । ସବୁସେଇ ଉଚ୍ଚ଼ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିମାନଙ୍କର ଏକପ୍ରକାର ମନରସ୍ଥିତି ଦୀର୍ଘଦିନ ଧରି ବସା ବାନ୍ଧିସାରିଛି । ସେମାନଙ୍କ ଚାଲିଚଳନ ହାବଭାବ ଦେଖି ସାଧାରଣଜନତାଙ୍କର ମଧ୍ୟ ସେଇପ୍ରକାରର ପରିଭାଷାର ପ୍ରତିଫଳନ । ପ୍ରାୟ ଆମ ସମସ୍ତଙ୍କର ଏସବୁ ନିତିଦିନିଆ ଘଟଣା । ଆମେ ସମସ୍ତେ କୁହାଳିଆ । ଅନ୍ୟକୁ କହିବାରେ ଆମେ ଯେତେ ସମୟାନୁବର୍ତ୍ତୀ ଓ ଆଗଭର କିନ୍ତୁ  କର୍ମକ୍ଷେତ୍ରରେ ତାହା ଦୂର୍ବଳ ତଥା ଶିଥିଳ । ଧୀରେଧୀରେ ଜଣେ ପରେ ଜଣେ ସଭାକକ୍ଷକୁ ପ୍ରବେଶ କରୁଥାନ୍ତି । ବେଶୀ ନହେଲେବି କୋଡ଼ିଏ ଜଣ ଷାଠିଏ ବର୍ଷରୁ ଅଧିକ୍‌ ବରିଷ୍ଠ ନାଗରିକଙ୍କ ତଥା ବାକି ଆଠଦଶ ଜଣ ସେଇ ପଇଁତିରିଶରୁ ପଇଁଚାଳିଶି ବୟସ ମଧ୍ୟରେ ଉପସ୍ଥିତ ଶ୍ରୋତା ଓ ଦର୍ଶକ । ସେମାନଙ୍କ ମଧ୍ୟରୁ ମୁଁ ଜଣେ । ସଭାରେ ଉପସ୍ଥିତ ଥିଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଜିଲ୍ଲାପାଳଠାରୁ ଆରମ୍ଭ କରି ବିଶିଷ୍ଟଶିକ୍ଷାବିତଙ୍କ ଉପସ୍ଥିତ ଥିଲା ସଭାର ଆକର୍ଷଣ । ବ୍ୟସ୍ତତା ସକାଶେ ଜିଲ୍ଲାପାଳ ସ୍ୱଳ୍ପସମୟ ମଧ୍ୟରେ ପୁସ୍ତକର ଲୋକାର୍ପଣ ପରକୁ ସଭାଟିକୁ ସମ୍ବୋଧନ କରି ବାହାରିଗଲେ । 

  ପ୍ରତ୍ୟେକ ସାହିତ୍ୟ ଓ ପୁସ୍ତକ ଲୋକାର୍ପଣ ସଭା ପ୍ରକୃତରେ ସମୟସାପେକ୍ଷ । କାରଣ କୌଣସି ବିଜ୍ଞବ୍ୟକ୍ତିମାନଙ୍କର ଯେତେବେଳେ ମେଳିହୁଏ ଏବଂ କୌଣସି ନିର୍ଦ୍ଧିଷ୍ଟ ବିଷୟରେ ଚର୍ଚ୍ଚାହୁଏ ତାକୁ ସମୟରେ ବାନ୍ଧିରଖି ହୁଏନା । ସଭା ସାଧାରଣ ହେଉକି ଭବ୍ୟ କିନ୍ତୁ ଚା ଜଳଖିଆ ଏକ ସାଧାରଣ ପରମ୍ପରା । ସଭାରେ ସାଧାରଣଜନତାଙ୍କୁ ବାନ୍ଧିରଖିବାପାଇଁ ଶବ୍ଦ ଯେତିକି ଜରୁରି ତା’ସହ ଚା ଜଳଖିଆର ମଧ୍ୟ ବ୍ୟବସ୍ଥା ଅତ୍ୟନ୍ତ ସୁଖଦ । ଜଳଖିଆ ନହେଲେବି କପେ ଚା ଓ ଦିଖଣ୍ଡ ବିସ୍କୁଟ ହେଲେ ତାହା ମଧ୍ୟ ଗ୍ରହଣୀୟ । ସଭା ଆରମ୍ଭର କିଛି ସମୟ ବ୍ୟବଧାନରେ ମଞ୍ଚାସୀନ ଅତିଥିମାନଙ୍କୁ ଚା ପରସାଗଲା । ମଞ୍ଚତଳେ ବସିଥିବା ଦର୍ଶକମାନଙ୍କୁ ମଧ୍ୟ । ମଞ୍ଚାସୀନ ଅତିଥିମାନଙ୍କୁ ଶଙ୍ଖ ମଲମଲ ଝଟକୁଥିବା କପ୍‌-ପ୍ଲେଟରେ ଚା ପରିବେଷଣ ଏକ ସ୍ୱଚ୍ଛସୁନ୍ଦର ପରିବେଶର ପରିକଳ୍ପନା । ଅର୍ଥାତ ଚା ପିଇସାରିବା ପରେ ତାକୁ ନେଇ ଧୋଇପୋଛି ପୁଣି ସୁରକ୍ଷିତ ସ୍ଥାନରେ ରଖିହେବ । କିନ୍ତୁ ମଞ୍ଚତଳେ ବସିଥିବା ଶ୍ରୋତାଙ୍କ ପାଇଁ କାଗଜ କପ୍‌ ଦ୍ୱାରା ଚା ପରିବେଷଣ ନିଶ୍ଚିତଭାବେ ଏକ ଦୂଷିତ ପରିବେଶର ନିଦର୍ଶନ । ଚା ପିଇବା ପରେ ବସିଥିବା ଶ୍ରୋତାଙ୍କ ଆଚରଣ ବିଧି ମୋତେ ଠିକ୍‌ ଲାଗୁ ନଥିଲା । କେହି ଚା ପିଇସାରି ଚା କପଟିକୁ ମୋଡ଼ିମାଡ଼ି କୋଣକୁ ଧିରକରି ଫିଙ୍ଗୁ ଦେଉଥାଏ ତ ଆଉ କେହି ଚା କପକୁ ବସିଥିବା ଚେୟାର ତଳକୁ ଫୋପାଡି ଦେଉଥାଆନ୍ତି । କେହି ଜଣେ ଉଠିକରି ବାହାର ଡ଼ଷ୍ଟବିନରେ ସୁରକ୍ଷିତ ଢ଼ଙ୍ଗରେ ପକାଇବାପାଇଁ ଇଚ୍ଛା ପ୍ରକାଶ ନଜର ଆସୁନଥାଏ । ମୁଁ ଚା ପିଇବା ଅଭ୍ୟାସରୁ ଦୀର୍ଘଦିନ ହେବ ବଞ୍ଚିତ । ଅନ୍ତତଃ ସେ ସମୟରେ ମୁଁ ଏଭଳି କାର୍ଯ୍ୟର ସମାଲୋଚନାରୁ ଦୂରରେ । ସଭାରେ ସଭାପତିଙ୍କ ଆହ୍ୱାନକ୍ରମେ ମଞ୍ଚାସୀନ ଅତିଥି ଜଣଙ୍କ ପରେ ଜଣେ ଆସି ସେମାନଙ୍କ ଅଭିଭାଷଣ ପ୍ରଦାନ କରୁଥାନ୍ତି । ଜ୍ଞାନୀଗୁଣି ବ୍ୟକ୍ତିମାନଙ୍କ ତଥ୍ୟଭିତ୍ତିକ ଶବ୍ଦ ମାଧୁର୍ଯ୍ୟରେ ମୁଁ ସମ୍ପୂର୍ଣ ବିମୋହିତ । ତତ୍‌ ସହିତ ମଞ୍ଚାସୀନ ଅତିଥିମାନଙ୍କ ଆଚରଣକୁ ମୁଁ ଯତ୍ନ ସହକାରେ ନିରୀକ୍ଷଣ କରୁଥାଏ ଅତି ଶୃଙ୍ଖଳିତ ଭାବରେ । 

   ଚା ଯୋଗାଣରେ ଥିବା ଲୋକଟି ଦ୍ୱିତୀୟ ପର୍ଯ୍ୟାୟର ଚା ଆଣି ମଞ୍ଚାସୀନ ଅତିଥିମାନଙ୍କୁ ଆପ୍ୟାୟିତ କରୁଥିବା ସମୟରେ କିଛି ଅତିଥିମାନଙ୍କର ଚାପ୍ରତି ଅନାଗ୍ରହତା ସହ ଆଉ କେତେକଙ୍କର ଆନ୍ତରିକତା । ଚା ଆମ ସମସ୍ତଙ୍କର ଦୈନିକ ଅଭ୍ୟାସ । ସକାଳ ସଞ୍ଜବେଳେ ଚା ପିଇବା ଆମ ସମସ୍ତଙ୍କର ଏକ ଦୁର୍ବଳ ଅଭ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ । ଖାଲି ସେତିକି ନୁହେଁ ଚା ଅମଲିଦାର ଚା ବିନା କିଛି କରିପାରନ୍ତି ନାହିଁ । ଏକ ନିଶା କହିଲେ ଭୁଲ୍‌ ହେବନି  । ଅତିଥିମାନଙ୍କୁ ଚା ଯାଚିବା ଏକ ଆତିଥେୟତା ଓ ସମ୍ମାନ । ଚା ପ୍ରତି ଆଗ୍ରହ ଦେଖାଉଥିବା ମଞ୍ଚାସୀନ ଅତିଥିଜଣକ ପାନବି ପ୍ରବଳ ଚୋବାନ୍ତି ତାହା ସଭା ଆରମ୍ଭରୁ ଜଣାପଡୁଥିଲା । ସେ ଜଣେ ସୁସାହିତ୍ୟିକ,ଲେଖକ ଏବଂ ସୁବକ୍ତା । ଅନେକ ସାହିତ୍ୟ ସଭାରେ ତଥା ଅନ୍ୟାନ୍ୟ ମଞ୍ଚରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଭାଷା ଓ ସାହିତ୍ୟକୁ ଉପସ୍ଥାପନ କରି ଅନ୍ୟକୁ ଆକର୍ଷଣ କରିବାରେ ସେ ଆଗଧାଡିରେ । ଭାଷଣ ସମୟରେ ନିଜର ଆତ୍ମଗାରିମା ଓ ଜୟଗାନକୁ ଅତି ସୁନ୍ଦରଭାବେ ନିଜେ ଉପସ୍ଥାପନ କରିବାରେ କୌଣସି ଅସୁବିଧା ସୃଷ୍ଟିହୁଏନି । ଜାତଦେଖା ପୁଣି କଦଳୀବିକା ଏହା ଆମ ସ୍ୱଭାବ । ବେଳେବେଳେ ନିଜ ଢେ଼ାଲ ନିଜେ ପିଟିବା ବୁଦ୍ଧିମାନର ପରିଚୟ । ବୁଦ୍ଧିମାନ ଲୋକ ହିଁ ନିଜଦ୍ୱାରା ପ୍ରଚାରିତ ହେବାକୁ ଭଲପାଏ । ପ୍ରଚାର ପ୍ରସାର ଦ୍ୱାରା ମଣିଷର ଏକରକମ ପରିଚୟ ସୃଷ୍ଟି ହୁଏ । ପାନ ଚୋବାଉଥିବା ଅତିଥିଙ୍କୁ ସମ୍ମାନପୂର୍ବକ ‘ଚା’ ଯାଚିବା ଏବଂ ‘ଚା’କୁ କାଳବିଳମ୍ବ ନକରି ସେ ଅତିଥିବକ୍ତା ଗ୍ରହଣକଲେ । ହେଲେ ପାନଚୋବା ସରିନି ତାସହ ‘ଚା’ ନିଶା । ମଞ୍ଚାସୀନ ଅତିଥି ଚୋବାଉଥିବା ପାନଛେପକୁ ଢେ଼ାକିଦେଲେ କିନ୍ତୁ ପାନର ଛେଦରାକୁ କାଢ଼ି ନିଜେ ବସିଥିବା ଟେବୁଲ୍‌ ତଳକୁ ନିର୍ଭୟରେ ଫିଙ୍ଗିଦେଲେ । ବଡ ଆଶ୍ଚର୍ଯ୍ୟ ଲାଗିଲା ଗୁଣୀଜ୍ଞାନୀ ବୟସ୍କଙ୍କ ନିକଟରେ ଏସବୁ ମଧ୍ୟ ପ୍ରତିଫଳିତ ହୋଇଥାଏ କି ? ସେ ସମ୍ପୂର୍ଣ୍ଣ ଶାରୀରିକ ସୁସ୍ଥ ମଣିଷ । ଅଳ୍ପଦିନ ହେବ ଚାକିରିରୁ ଅବସର ଗ୍ରହଣ କରିଛନ୍ତି କିନ୍ତୁ ବାର୍ଦ୍ଧକ୍ୟଜନିତ କୌଣସି ଅକ୍ଷମତାର ଗନ୍ଧବାସ୍ନା ନାହିଁ । ସେ ଚାହିଁଥିଲେ ବେସିନ କିମ୍ୱା ଡ଼ଷ୍ଟବିନ୍‌ ବ୍ୟବହାର କରିପାରିଥାନ୍ତେ । ‘ଚା’ ପିଇସାରି ନିଜ ପାଳିର ବକ୍ତବ୍ୟ ରଖିଲେ ।

 ସକ୍ରେଟିସଙ୍କ ନୈତିକ ଜୀବନ ଉପରେ ସେ ଆଲୋକପାତ କଲେ । ସକ୍ରେଟିସ ଗପୁଡ଼ା ପ୍ରକୃତିର ଥିଲେ । ବାଟେଘାଟେ, ହାଟବଜାରେ ଯିଏ ମିଳିଲା ତାସହ ଜ୍ଞାନଚର୍ଚ୍ଚା ଆରମ୍ଭ କରି ଶେଷହେବାର କୌଣସି ସମୟର ନିର୍ଘଣ୍ଟ ନଥାଏ । ଭିନ୍ନଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁଥିଲେ କାରଣ ସେ ଦର୍ଶନ ବିଷୟରେ ଆଲୋଚନାପାଇଁ ଅଧିକଲୋକଙ୍କ ଉପସ୍ଥିତି ଲୋଡୁଥିଲେ । ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଅତ୍ୟଧିକ ମଦ୍ୟପାନ କରୁଥିଲେ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁନଥିଲେ । ସଦା ଭଦ୍ର ତଥା ଶାନ୍ତସରଳ ସ୍ୱଭାବ ଆଚରଣ ପ୍ରଦର୍ଶନ କରୁଥିଲେ । ଏକ ନିର୍ଦ୍ଧିଷ୍ଟ ପୋଷାକକୁ ବହୁଦିନଧରି ପରିଧାନ ସହ ନିଜ ଶାରୀରିକ ସଚ୍ଛତାକୁ ଗୁରୁତ୍ୱ ଦେଉନଥିଲେ କିନ୍ତୁ ସର୍ବସାଧାରଣ ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ପ୍ରତି ସେ ବହୁ ସଚେତନ ଥିଲେ । କିନ୍ତୁ ଆମ କ୍ଷେତ୍ରରେ ଏହାର ବ୍ୟତିକ୍ରମ । ଆମେ ନିଜକୁ ଅଧିକ ସ୍ୱଚ୍ଛ ଓ ପରିଷ୍କାର ରଖିବା ପାଇଁ ସଦାସର୍ବଦା ଯତ୍ନଶୀଳ କିନ୍ତୁ ସର୍ବସାଧାରଣ ଜାଗାକୁ  ଅପରିସ୍କାର ନଷ୍ଟଭ୍ରଷ୍ଟ କରି କଦାଗାର ବିଭତ୍ସ କରିବାରେ ଆମେ ବ୍ୟସ୍ତ । ଆମେ ଯେତେ ଶିକ୍ଷିତ ସଭ୍ୟ ବୋଲି ନିଜକୁ ପରିଚୟ ଦେଉଛେ କିନ୍ତୁ ଆଚରଣରେ ସେତିକି ଅଜ୍ଞାନତା ତଥା ଅସଭ୍ୟତା ପ୍ରଦର୍ଶିତ ହେଉଛି । ନୈତିକ ତଥା ଆଦର୍ଶଗତ ଉପଦେଶ, ଅଭିଭାଷଣ ଦେବାରେ ଆମେ ଯେତିକି ଆନନ୍ଦ ଅନୁଭବ କରନ୍ତି ସେତେଟା କାର୍ଯ୍ୟକ୍ଷେତ୍ରରେ ଦେଖିବାକୁ ମିଳୁନି । ଏହା ସ୍ପଷ୍ଟ ଯେ ନୈତିକତାକୁ ଚର୍ଚ୍ଚା କରୁଥିବା ବ୍ୟକ୍ତି ନୈତିକତା ପ୍ରତି କେତେ ସଚେତନ ?

ମୋ ୮୮୯୫୩୪୧୦୩୩