ଅଖିଳ ସାହିତ୍ୟ ପରିଷଦର ବାର୍ଷିକୋତ୍ସବ
ଢେଙ୍କାନାଳ : ଢେଙ୍କାନାଳ ସହରର ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ଜିଲ୍ଲାସ୍ତରୀୟ ବାର୍ଷିକ ସାରସ୍ୱତ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଜିଲ୍ଲା ଉପସଭାନେତ୍ରୀ ପ୍ରଭାତୀ ମହାପାତ୍ରଙ୍କ ସଭାପତିତ୍ୱରେ ପରିଷଦର କାର୍ଯ୍ୟଶୈଳ, ସାହିତ୍ୟ ଆଲୋଚନା ଓ ପରିଷଦର ଆଭିମୁଖ୍ୟ ଓ କାର୍ଯ୍ୟକାରିତ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ବିଶିଷ୍ଟ ଗବେଷକ, ସାହିତି୍ୟକ ଓ ପ୍ରଶାସକ ତପନ ଶତପଥୀ ମୁଖ୍ୟ ଅତିଥି, ପରିଷଦର ସଂପାଦକ କବି ବାହାଦୂର ପାଟ୍ଟସାହାଣୀ ଓ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସମୀର ସାହୁ ଅତିଥି ଭାବେ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନ କିପରି ସାହିତ୍ୟ, ସଂସ୍କୃତି ଓ ସଂଗଠନ ମାଧ୍ୟମରେ ଗୋଟିଏ ଜାତିର ଉନ୍ନତି ପାଇଁ ବାର୍ତା ପ୍ରଚାର କରୁଛି ସେ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ନଗର କମିଟିର ସଂପାଦିକା ନିବେଦିତା ରଥ ପରିଚାଳନା କରିଥିଲେ । ଏବଂ ଭୁବନ ବ୍ଲକ୍ କମିଟିର ସଭାପତି ସୁରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠାନର ସଭାପତି ଡଃ. ଦୁର୍ଗା ମାଧବ ପୃଷ୍ଟିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପରିଷଦର ରାଜ୍ୟ ସାଧାରଣ ସଂପାଦକ ଡଃ. ସନ୍ତୋଷ ମହାପାତ୍ର, ମୁଖ୍ୟବକ୍ତା ଭାବେ ରାଜ୍ୟ ସଂଗଠନ ପ୍ରଭାରୀ ନାରାୟଣ ନାୟକ, ବିଶିଷ୍ଟ ଅତିଥି ଭାବେ ରାଜ୍ୟ ସଂପାଦକ ରାମକୃଷ୍ଣ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ମଠକରଗୋଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚିତରଞ୍ଜନ ଦାସ ଯୋଗଦେଇ ସାହିତ୍ୟ ମାଧ୍ୟମରେ ଦେଶ, ଜାତି ଓ ସମାଜର କିପରି ସାମଗ୍ରୀକ ଉନ୍ନତି ହୋଇପାରିବ ଓ ମାତୃଭାଷାର ପ୍ରଚାର ପ୍ରସାର ହୋଇପାରିବ ସେ ସଂପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡାପଡା ବ୍ଲକ୍ କମିଟିର ସମ୍ପାଦକ ତଥା ଯୁବ ଅଧ୍ୟାପକ ମଙ୍ଗରାଜ ମହାପାତ୍ର ପରିଚାଳନା କରିଥିଲେ । ଗଁଦିଆ ବ୍ଲକ୍ କମିଟିର ଉପସଭାପତି ଜ୍ୟୋତି ବିଳାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ଅଧିବେଶନ ତଥା ଶେଷ ଅଧିବେଶନରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିର ନଗର କମିଟିର ସଭାନେତ୍ରୀ ତଥା ଶିକ୍ଷାବିତ୍ ଡଃ. କବିତା ମହାନ୍ତି ସଭାପତିତ୍ୱ କରିଥିଲେ । କବିତା ଗୁଡିକୁ ଅଧ୍ୟାପକ ମଙ୍ଗରାଜ ମହାପାତ୍ର ଓ ବନ୍ଦିତା ସାହୁ ସଂଯୋଜନା କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଶିଷ୍ଟ କବି ଓ ପ୍ରଶାସକ ଡଃ. ପ୍ରମୋଦ ପରିଡା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏଥିରେ ୫୦ଜଣ କବି ସେମାନଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଚନ୍ଦ୍ରମଣି ନାୟକ, ରତ୍ନାକର ବେହେରା, ନଗର କମିଟିର ଉପସଭାନେତ୍ରୀ ସଂଯୁକ୍ତା ଶରଣ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ । ଶେଷରେ ଶୁଭେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।