"ନିଶା ନୁହେଁ, ଜୀବନକୁ ଗ୍ରହଣ କର'

ଭୁବନେଶ୍ୱର :ଭାରତରେ ପ୍ରାୟ ବର୍ଷକୁ ୧୪ ଲକ୍ଷ ଲୋକ ତମାଖୁ ସେବନ ଯୋଗୁ ଜୀବନ ହରାଉଛନ୍ତି । ପ୍ରତି ବର୍ଷ ଭାରତରେ ବିଭିନ୍ନ କାରଣରୁ ଯେତିକି ମୃତୁ୍ୟ ହେଉଛି, ତା’ର ପ୍ରାୟ ୧୦ ପ୍ରତିଶତ କେବଳ ତମାଖୁଜନିତ । ଜନସାଧାରଣ, ବିଶେଷକରି ଯୁବ ସମାଜ ଏଥିରୁ କିପରି ମୁକ୍ତି ପାଇବେ, ସେ ବିଷୟକୁ ଆଜି ଗମ୍ଭୀରତାର ସହ ନେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆଜି ଲୋକସେବା ଭବନ କନଭେନ୍ସନ୍ ହଲ୍ ଠାରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ ଉପଲକ୍ଷେ ଆୟୋଜିତ ସଚେତନତା ଅଭିଯାନର ଶୁଭାରମ୍ଭ ଅବସରରେ ସେ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୁଦ୍ଧରେ ଆରମ୍ଭ ହେଉଥିବା ସଚେତନତା ଅଭିଯାନରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ । ନିଶା ନୁହେଁ ଜୀବନକୁ ଆପଣେଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ ।
ସୂଚନାଯୋଗ୍ୟଯେ, ତମାଖୁ, ବିଷାକ୍ତ ମଦ ଓ ଡ୍ରଗ୍ସ ବ୍ୟବହାର ଓ ପ୍ରସାରକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ତମାଖୁ ନିଷେଧ ଦିବସ ମଇ ୩୧ ତାରିଖ ଠାରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ, ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୨୬ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୨ ଏବଂ ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର ୨୫ରୁ ୨୦୨୬ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଧରି ଏହି ସଚେତନତା ଅଭିଯାନ ଜାରି ରହିବ । ସେ ପୁଣି କହିଥିଲେ ଯେ ନିଶା ଦ୍ରବ୍ୟ ଅପବ୍ୟବହାର, ବିଷାକ୍ତ ମଦ ଓ ଚୋରା ମଦର ବ୍ୟାପକତାକୁ ରୋକିବାକୁ ଅବକାରୀ, ଗୃହ ବିଭାଗ ଓ ନିଶା ନିୟନ୍ତ୍ରଣ ବୁ୍ୟରୋର ମିଳିତ ଉଦ୍ୟମରେ ଧରପଗଡ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉଛି । ଏସଟିଏଫକୁ କ୍ଷମତାପନ୍ନ କରାଯାଇ ତମାଖୁ ସହିତ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବିଶେଷ ଭାବେ ଚୋରା ଚାଲାଣ ହେଉଥିବା ନିଶା ସାମଗ୍ରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଚେଷ୍ଟା ଜାରି ରହିଛି । ତମାଖୁ ସହିତ ସବୁ ପ୍ରକାର ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଖୁବ୍ ଶୀଘ୍ର ନୂତନ ଅବକାରୀ ନୀତି ପ୍ରଣୟନ କରାଯିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରାଇବା ପାଇଁ ଏବଂ ଅପମିଶ୍ରିତ, ବିଶାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନର ଲୋଗୋ, ଟି.ଭି. ସ୍ପଟ୍, ଥିମ୍ ସଙ୍ଗ୍ ଏବଂ ସୂଚନା ପୁସ୍ତିକା ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେଯେ, ନିଶା ବ୍ୟବହାରର ଫଳ ହେଉଛି ମୃତୁ୍ୟ । ତେଣୁ ଏଥିପ୍ରତି ସଚେତନତା ବୃଦ୍ଧି କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ତମାଖୁ, ମଦ, ଡ୍ରଗ୍ସର ବ୍ୟବହାର ଓ ପ୍ରସାର ରୋକିବା ପାଇଁ ଏଭଳି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି । ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ କହିଥିଲେଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଳଷିତ ସମୃଦ୍ଧ ଓ ବିକଶିତ ଓଡିଶାରେ ଯେପରି ନିଶା ନଥିବ ସେଥିପ୍ରତି ଆମେ ଆଜି ସଂକଳ୍ପ ନେବା । ସମାଜରେ ନିଶା ବନ୍ଦ ହେଲେ, ଅପରାଧ ମଧ୍ୟ କମିବ । ତେଣୁ, ନିଶା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ମତ ପ୍ରକାଶ କରିଥିଲେ । ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସଡର ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଥିଲେଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଘରେ ଘରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । କାର୍ଯ୍ୟକ୍ରମରେ ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ଦେଇଥିଲେ । ଏବଂ ଓଡିଶା ପାନୀୟ ନିଗମର ପରିଚାଳନା ନିଦେ୍ର୍ଦଶକ ଅମ୍ବର କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।