ନାବାଳିକା ଅପହରଣ ଓ କୁକର୍ମକାରୀକୁ ୧୦ବର୍ଷ ଜେଲ୍ 

ଯାଜପୁର ଟାଉନ : ଜନୈକା ୧୪ ବର୍ଷୀୟା ନାବାଳିକାକୁ ଅପହରଣ ଓ କୁକର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ବିବରଣୀରୁ ପ୍ରକାଶ ଯେ, ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳ ନୂଆ ମିର୍ଜାପୁର ଗ୍ରାମର ସଞ୍ଜୟ ମଲ୍ଲିକ(୩୦) ଜନୈକା ୧୪ ବର୍ଷୀୟା ନାବାଳିକାକୁ ଗତ ୨୦୧୮ମସିହା ଜୁଲାଇ୧୨ତାରିଖ ରାତିରେ ଅପହରଣ କରିନେଇ ସେ କାର୍ଯ୍ୟ କରୁଥିବା ଚେନ୍ନାଇକୁ ନେଇ ପଳାଇଯାଇଥିଲା । ସେଠାରେ ନାବାଳିକାର ଇଚ୍ଛା ବିରୁଦ୍ଧରେ ଜୋର ଜବରଦସ୍ତ ବିବାହ କରି ୧୫ଦିନ ଧରି ତାକୁ ବଳାକ୍ରାର କରିଥିଲା । ଅପହରଣ କରିନେଇଥିବା ଘଟଣା ନାବାଳିକାର ମା’କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ଆଧାରରେ କୁଆଖିଆ ଥାନାଧିକାରୀ ଥାନା କେଶ ନଂ.୧୧୦/୧୮ମୁତାବକ ଏକ ଅପହରଣ ମାମଲା ରୁଜୁ କରିଥିଲା । ତଦନ୍ତର ୧୮ଦିନ ପରେ ଅଭିଯୁକ୍ତ ସଞ୍ଜୟ ନାବାଳିକାକୁ ତା’ଘରେ ଆଣି ରଖିଥିବା ଖବର ପାଇ ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ନାବାଳିକାକୁ ଡାକ୍ତରୀମାଇନା କରାଯିବାରୁ ସେ କୁକର୍ମ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା । ଏହି ମାମଲାର ଶନିବାର ଦିନ ଚୂଡ଼ାନ୍ତ ଶୁଣାଣି କରି ୮ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାରକରି ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଶରତ କୁମାର ଦେହୁରୀ ଅଭିଯୁକ୍ତ ସଞ୍ଜୟକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅର୍ଥ ଅନାଦେୟରେ ଅଭିଯୁକ୍ତକୁ ପୁନଶ୍ଚ ୨ବର୍ଷ ଜେଲ୍ ଦଣ୍ଡାଦେଶ ହେବ ବୋଲି ରାୟରେ ଉଲ୍ଲେଖ ଅଛି । ପୀଡ଼ିତା ନାବାଳିକାକୁ ୭ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ପାର୍ଥ ରାୟ ପରିଚାଳନା କରିଥିଲେ ।