ଜିନ୍ଦଲ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳିତ
କଳିଙ୍ଗନଗର : ଜିନ୍ଦଲ ଷ୍ଟେନଲେସ କାରଖାନା କଳିଙ୍ଗନଗର ପକ୍ଷରୁ ୫୪ତମ ଜାତୀୟ ସୁରକ୍ଷା ସପ୍ତାହ ଉଦ୍ୟାପିତ ହୋଇଯାଇଛି । ଏଥିରେ କାରଖାନା ଓ ବାଷ୍ପିତ ବିଭାଗ, ଯାଜପୁର ରୋଡ଼ ଡିଭିଜନର ସହାୟକ ନିଦେ୍ର୍ଦଶକ ଗଣେଶ୍ୱର ମାର୍ଦି ଅତିଥି ଭାବେ ଯୋଗ ଦେଇଥିଲେ । ଜିନ୍ଦଲ ଷ୍ଟେନଲେସ କାରଖାନାର ମୁଖ୍ୟ ଦୀପକ ଅଗ୍ରୱାଲ, ମାନବ ସମ୍ବଳ ମୁଖ୍ୟ ରାକେଶ ପାଠକ, ଅଗ୍ନି ଓ ନିରାପତା ବିଭାଗର ମୁଖ୍ୟ ମନୋଜ କୁମାର ବଳ ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କ ସହିତ ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ଶ୍ରମିକମାନଙ୍କର ସମାବେଶ ହୋଇଥିଲା । ଉଦଯାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ବିଭିନ୍ନ ବିଭାଗର ମନମୁଗ୍ଧକର ସୁରକ୍ଷା ରାଲିଗୁଡ଼ିକ ଥିଲା । କାରଖାନାର ଶ୍ରମିକ ଓ କର୍ମଚାରୀ ଶୂନ୍ୟ ଦୁର୍ଘଟଣା ଶୀର୍ଷକ ଏକ ନାଟକ ପରିବେଷଣ କରିଥିଲେ । ଏଥି ସହିତ ଏହି ବର୍ଷର ବାର୍ତା "ସୁରକ୍ଷା ଏବଂ ସ୍ୱାସ୍ଥ୍ୟ-ବିକଶିତ ଭାରତ ପାଇଁ ଅତ୍ୟାବଶ୍ୟକ" ଉପରେ ନାଟକଟି ପରିବେଷିତ ହୋଇଥିଲା । ନାଟକ ମାଧ୍ୟମରେ କାରଖାନାକୁ କିପରି ଦୁର୍ଘଟଣା ଶୂନ୍ୟ କରାଯିବ ଓ ସୁରକ୍ଷା ପ୍ରତି ପ୍ରତ୍ୟେକ ମୂହୁର୍ତରେ ସଚେତନ ରହିବାର ବାର୍ତା ଦିଆଯାଇଥିଲା । ସୁରକ୍ଷା ନିୟମକୁ କଡାକଡି ପାଳନ କରିବାକୁ କାରଖାନାର ସମସ୍ତ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଅତିଥି ପରାମର୍ଶ ଦେଇଥିଲେ । କାରଖାନାର ମୁଖ୍ୟ, ଦୀପକ ଅଗ୍ରୱାଲ, ମାନବ ସମ୍ବଳ ମୁଖ୍ୟ, ରାକେଶ ପାଠକ, ଅଗ୍ନି ଓ ନିରାପତା ମୁଖ୍ୟ, ମନୋଜ କୁମାର ବଳ, ପ୍ରମୁଖ ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା, ସଡ଼କ ସୁରକ୍ଷା ସହ କାର୍ଯ୍ୟକ୍ଷେତ୍ରରେ ଶୂନ୍ୟ ଦୁର୍ଘଟଣା ପ୍ରାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ସମସ୍ତ କର୍ମଚାରୀ ଓ ଶ୍ରମିକମାନଙ୍କୁ ଉପଦେଶ ଦେଇଥିଲେ । ସପ୍ତାହେ ବ୍ୟାପି ଚାଲିଥିବା ଏହି ସୁରକ୍ଷା କାର୍ଯ୍ୟକ୍ରମରେ ସୁରକ୍ଷା ସ୍ଲୋଗାନ, ସୁରକ୍ଷା ପୋଷ୍ଟର, ସୁରକ୍ଷା ସମ୍ପର୍କିତ ସାଧାରଣ ଜ୍ଞାନ, ସୁରକ୍ଷା ବକ୍ତୃତା ପ୍ରତିଯୋଗିତା, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଦୌଡ ପ୍ରତିଯୋଗିତା, ସୁରକ୍ଷା ରାଲି ଏବଂ ଶିଶୁ ମାନଙ୍କୁ ନେଇ ସେମାନଙ୍କ ମଧ୍ୟରେ ସୁରକ୍ଷାର ବାର୍ତା ଓ ପ୍ରତିଯୋଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।