ଜବରଦଖଲ ହେଉଛି କାହିଁକି?
ଋାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାୟ ଗତ ୨/୩ ବର୍ଷ ହେଲା ସରକାରୀ ଜାଗା ଜବରଦଖଲ ନେଇ ବାରମ୍ବାର ଖବରମାନ ପ୍ରକାଶ ପାଉଛି । କେତେବେଳେ ସହରାଞ୍ଚଳରେ ସରକାରୀ ଜମି ଜବରଦଖଲ ହେଉଛି ତ ଆଉ କେତେବେଳେ ଗ୍ରାମାଞ୍ଚଳରେ ପଞ୍ଚାୟତ ଅଧିନରେ ଥିବା ଜମି ଏବଂ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ ଜମି ମଧ୍ୟ ଜବରଦଖଲ ହୋଇଯାଉଛି । ଏ କ୍ଷେତ୍ରରେ ଜଙ୍ଗଲ ଭିତରେ ଥିବା ଗଛକୁ କାଟି ବାସଗୃହ ନିର୍ମାଣ କରାଯାଉଛି । ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ ଭଳି କେତେକ ଜିଲ୍ଲାରେ ମାଙ୍କଡ଼ା ପଥର ପ୍ରଚୁର ପରିମାଣରେ ମିଳୁଥିବାରୁ ଏହିସବୁ ଜିଲ୍ଲାରେ ବେଆଇନ୍ ଭାବରେ ସରକାରୀ ଜାଗାରୁ ଗୃହନିର୍ମାଣ ଉପଯୋଗୀ ମାଙ୍କଡ଼ା ପଥର ଉତ୍ତୋଳନ କରାଯାଉଛି । ଏଇ ଅଳ୍ପଦିନ ତଳେ ରାଜଧାନୀରେ ୯୨ଟି ସରକାରୀ ପରିତ୍ୟକ୍ତ କ୍ୱାଟର୍ସ୍କୁ କିଛି ଲୋକ ମାଡ଼ି ବସି ଭଡ଼ା ଆଦାୟ କରୁଥିବା ଖବର ପ୍ରକାଶ ପାଇଥିଲା । ବିଭିନ୍ନ ସମୟରେ ସରକାରୀ ଜାଗା ଗୁଡ଼ିକରୁ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ସରକାରୀ ଅଧିକାରୀମାନେ ଜବରଦଖଲକାରୀଙ୍କ ଆକ୍ରମଣର ମଧ୍ୟ ଶିକାର ହୋଇଛନ୍ତି । ବାରମ୍ବାର ଏ ସମ୍ପର୍କିତ କଠୋର ପଦକ୍ଷେପ ସରକାର ନେଉଥିଲେ ମଧ୍ୟ ଜବରଦଖଲ ଭଳି ଏକ ବେଆଇନ୍ କାର୍ଯ୍ୟ ବନ୍ଦ ହେଉନାହିଁ । ସରକାର ବିଭିନ୍ନ ସମୟରେ ଜବରଦଖଲକାରୀମାନଙ୍କୁ ଦଣ୍ଡିତ କରାଯିବାର ଆବଶ୍ୟକତା ଥିବା ବେଳେ କେବଳ ଉଚ୍ଛେଦ କରି ଛାଡ଼ି ଦେଉଥିବାରୁ ଲୋକମାନଙ୍କର ଜବରଦଖଲ ପ୍ରତି ଭୟ ରହୁନାହିଁ । ଯିଏ ଯେଉଁଠି ଟିକିଏ ସୁବିଧା ପାଉଛି ସଙ୍ଗେ ସଙ୍ଗେ ସେହି ଜାଗାକୁ ନିଜ ଅକ୍ତିଆରକୁ ନେଇ ଘର ତିଆରି କରି ଦେଉଛନ୍ତି ।
ଦୁର୍ନୀତି ହଟେଇବା ପାଇଁ ସରକାର ଏକ ଭିଜିଲାନ୍ସ ବିଭାଗ ସୃଷ୍ଟି କରିଛନ୍ତି । ଏହି ବିଭାଗ ବିଭିନ୍ନ ସମୟରେ ଲୋକମାନଙ୍କ ଠାରୁ ସୂଚନା ପାଇ ଦୁର୍ନୀତିଗ୍ରସ୍ତ ଲୋକଙ୍କ ଘରେ ଚଢ଼ାଉ କରୁଛନ୍ତି । ସରକାରୀ ଜମି ଜବରଦଖଲ କ୍ଷେତ୍ରରେ ମଧ୍ୟ ଏହିପରି ଏକ ଭିଜିଲାନ୍ସ ବା ସତର୍କତା ବିଭାଗ ଖୋଲାଯିବାର ଆବଶ୍ୟକତା ରହିଛି । କୌଣସି ସ୍ଥାନରେ ସରକାରୀ ଜାଗା ଜବରଦଖଲ ହେଲେ ଲୋକମାନେ ସେସବୁ ସୂଚନା ଏହି ଜବରଦଖଲ ସତର୍କତା ବିଭାଗକୁ ଜଣାଇପାରିବେ । ସରକାର ଏ ପ୍ରକାରର ଏକ ବ୍ୟବସ୍ଥା କରି ନଥିବାରୁ ଜବରଦଖଲ ଭଳି ଏକ ଭୟଙ୍କର ସମସ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ଉକ୍ରଟ ହେଉଛି । ସରକାରୀ ଜାଗାରେ ବସ୍ତି ଗଢ଼ି ଉଠୁଛି । ବହୁଲୋକଙ୍କ ଦ୍ୱାରା ବିଭିନ୍ନ ଧର୍ମପୀଠ ଗଢ଼ି ହୋଟେଲ୍ ବ୍ୟବସାୟ କରାଯାଉଛି । ଅଥଚ ସରକାରୀ ଜାଗାକୁ ଜବରଦଖଲମୁକ୍ତ କରିବା ପାଇଁ ସ୍ଥଳବିଶେଷରେ ସରକାରଙ୍କୁ ହାଇକୋର୍ଟ୍ ପର୍ଯ୍ୟନ୍ତ ଯିବାକୁ ପଡୁଛି । ଜବରଦଖଲ ହଟେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଅଖଚ ଏ ବବାଦ ଖର୍ଚ୍ଚ ଜବରଦଖଲକାରୀଙ୍କ ଠାରୁ ଆଦାୟ ହେଉନାହିଁ । ସରକାରୀ ସ୍ତରରେ ଏଭଳି ଏକ ଆଇନ୍ର ଗଳାବାଟ ରହି ଯାଉଥିବାରୁ ସରକାରୀ ଜାଗା ଜବରଦଖଲ କରିବା ପାଇଁ ଲୋକଙ୍କର ଆଉ ଭୟ ରହୁନାହିଁ । ଏ ପ୍ରକାରର ଏକ ଭିଜିଲାନ୍ସ ବିଭାଗ ନଥିବାରୁ ଜବରଦଖଲକାରୀଙ୍କୁ ଆଶ୍ରୟ ଦେବା ପାଇଁ ରାଜନୀତିକ ଦଳ ଆଗେଇ ଆସୁଛନ୍ତି ଏବଂ ନିଜର ଭୋଟ୍ ବ୍ୟାଙ୍କ୍ ତିଆରି କରୁଛନ୍ତି । ମୋଟ୍ ଉପରେ ଦେଖିବାକୁ ଗଲେ ସରକାର ଜମି ଜବରଦଖଲଜନିତ ସମସ୍ୟାରୁ ମୁକ୍ତି ପାଇବା ଲାଗି ଆନ୍ତରିକତାର ସହ କୌଣସି ପଦକ୍ଷେପ ନେଉନାହାନ୍ତି ।
ସହରାଞ୍ଚଳ ଜବରଦଖଲ ଅପେକ୍ଷା ସଂରକ୍ଷିତ ଜଙ୍ଗଲ ଭିତରେ ଜବରଦଖଲ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି । ଖଣିଖାଦାନ ପାଇଁ ସରକାର ଜଙ୍ଗଲ ଧ୍ୱଂସ କରିବାକୁ ଅନୁମତି ଦେଉଛନ୍ତି । ଏ ପ୍ରକାରର ଅନୁମତି ଜଙ୍ଗଲ ଜାଗାକୁ ମାଡି ବସିବା ପାଇଁ ଲୋକମାନଙ୍କୁ ସୁଯୋଗ ଦେଉଛି । ସ୍ଥାନୀୟ ତହସିଲଦାର ଏବଂ ଆରଆଇମାନେ କୌଣସି ପ୍ରକାରର ସରକାରୀ ଜାଗାର ବେଆଇନ୍ ବ୍ୟବହାର କିମ୍ବା ନିର୍ମାଣ ସମ୍ପର୍କିତ ଖବର ରଖିବାକୁ ଆଦୌ ଚାହୁଁନାହାନ୍ତି । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଏହିଭଳି ବିଭାଗୀୟ ସ୍ଥାଣୁତା ଜବରଦଖଲକୁ ପରୋକ୍ଷ ପ୍ରୋତ୍ସାହନ ଦେଉଛି । ତୁରନ୍ତ ଏ ପ୍ରକାରର ସମସ୍ୟାର ସମାଧାନ ପାଇଁ ଜବରଦଖଲ ସୂଚନା ପ୍ରଦାନ ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ସତର୍କତା ବିଭାଗ ଖୋଲାଯିବା ଆବଶ୍ୟକ ।