ତେଜୁଛି ଦିଲ୍ଲୀ ନିର୍ବାଚନ : କେଜ୍ରିୱାଲଙ୍କ କାର୍କୁ ପଥର ମାଡ଼

 ନୂଆଦିଲ୍ଲୀ : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ସେଇଭଳି ତତ୍ପରତା ପ୍ରକାଶ ପାଉଛି । ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ଜନ ହିତକର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟତର ହେଉଥିବା ବେଳେ ସେପଟେ ବିଜେପି ମଧ୍ୟ ନିର୍ବାଚନୀ ପ୍ରଚାରରେ ଲୋକାଭିମୁଖି ପ୍ରତିଶ୍ରୁତି ଭୋଟର୍ଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ଲାଗିଛି । ଏହାରି ମଧ୍ୟରେ ଉଭୟ ଆପ୍ ଓ ବିଜେପି ଏବେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିବା ବେଳେ ଶନିବାର ଘରକୁ ଘର ବୁଲି ପ୍ରଚାର କରୁଥିବା ଅରବିନ୍ଦ କେଜ୍ରିୱାଲଙ୍କ କାର୍କୁ ବିଜେପି କର୍ମୀମାନେ ପଥର ମାଡ଼ କରିଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ଆପ୍ ମୁଖ୍ୟ କେଜ୍ରିୱାଲ୍ । ଖାଲି ସେତିକି ନୁହେଁ ବିଜେପି କର୍ମୀମାନେ କଳାପତାକା ମଧ୍ୟ ପ୍ରଦର୍ଶନ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ନୂଆଦିଲ୍ଲୀ ବିଧାନସଭା ଆସନରୁ ବିଜେପି ଟିକେଟରେ ଲଢ଼ୁଥିବା ପର୍ଭେଶ ବର୍ମାଙ୍କ ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେପଟେ ବିଜେପି ନେତା ପର୍ଭେଶ ବର୍ମା ଆପ୍ ଉପରେ ପାଲଟା ଅଭିଯୋଗ କରିଛନ୍ତି । ପ୍ରଚାର ବେଳେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକ ଯେତେବେଳେ ତାଙ୍କୁ ନିର୍ବାଚନ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ସେହି ସମୟରେ କେଜ୍ରିୱାଲ ଦୁଇ ଜଣଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ । ଫଳରେ ସେମାନେ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ବୋଲି ଯୁକ୍ତି ବାଢ଼ିଛନ୍ତି । ଏ ସମ୍ପର୍କରେ ସେ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ନିଜ ଏକ୍ସ ହାଣ୍ଡେଲ୍ରେ ଏକ ପୋଷ୍ଟ କରି ଲେଖିଛି ଯେ, ପରାଜୟ ଭୟରେ ବିଜେପି କ୍ରୋଧାନ୍ୱିତ ଆଚରଣ କରୁଛି । ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ କରିବା ପାଇଁ ପର୍ଭେଶ ନିଜ ପୋଷାଗୁଣ୍ଡାଙ୍କ ସହାୟତା ନେଇଥିଳେ । ପର୍ଭେଶଙ୍କ ଗୁଣ୍ଡାମାନେ ପ୍ରଚାର ବେଳେ ଅରବିନ୍ଦ କେଜ୍ରିୱାଲଙ୍କ କାର୍କୁ ପଥର ମାଡ଼ କରି ତାଙ୍କୁ ଆହତ କରିବାକୁ ଚେଷ୍ଟା କରିଥିଲେ । ଆଗାମୀ ଦିନରେ ଦିଲ୍ଲୀବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି । 
ସେହିପରି ଆପ୍ ନେତା ମନିଷ ସିସୋଦିଆ ନିଜ ଏକ୍ସ ହାଣ୍ଡେଲ୍ରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସେ ନିଜ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, ‘ବିଜେପି ଦଳ ଗୋଟିଏ ଭୀରୁ ଓ କାପୁରୁଷଙ୍କ ଦଳ । କେଜ୍ରିୱାଲଙ୍କ କାମ ସହ ଲଢ଼ିବାକୁ ତୁମମାନଙ୍କର ସାହସ ନାହିଁ; ତେଣୁ ଗୁଣ୍ଡା ପଠାଇ ତାଙ୍କ ଉପରେ ଆକ୍ରମଣ କରିଛ । ବିଜେପି ଯେଉଁ କାରନାମା କରିଛି, ତାହା ସବୁଠୁ ଶସ୍ତା ଓ ହୀନ ରାଜନୀତି । 
ସୂଚନାଯୋଗ୍ୟ ଲାଲ ବାହାଦୁର ସଦନରେ ଆଜି ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେବାକୁ ଯାଇଥିଲେ କେଜ୍ରିୱାଲ୍ । କିନ୍ତୁ ପୂର୍ବରୁ ସେଠାରେ ବିଜେପି କର୍ମୀମାନେ ପ୍ରଚାର କାର୍ଯ୍ୟ ଚଳାଇଥିବାରୁ କେଜ୍ରିୱାଲଙ୍କୁ ଦେଖି ପାଲଟା ପ୍ରଶ୍ନ କରିଥିଲେ । ଏହାସହ ଉଭୟ ଦଳ ପକ୍ଷରୁ ଜୋରଦାର ସ୍ଲୋଗାନ ଦିଆଯାଇଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଦୁଇଦଳର ନେତା ଓ କର୍ମୀମାନଙ୍କୁ ସେଠାରୁ ହଟାଇବାକୁ ଚେଷ୍ଟା କରିଥିଲା ।