ଚନ୍ଦ୍ରଯାନ-୪ ରୋଭର ଚନ୍ଦ୍ରଯାନ-୩ ପ୍ରଜ୍ଞାନ ଠାରୁ ୧୨ ଗୁଣ ଭାରି
ନୂଆଦିଲ୍ଲୀ: ଆଗାମୀ ଚନ୍ଦ୍ରଯାନ-୪ ଅଭିଯାନ ପାଇଁ ଏକ ବଡ଼ ରୋଭର ଘୋଷଣା ସହ ଭାରତର ମହାକାଶ ତାର ବୃହତ ଲକ୍ଷ୍ୟ ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସ୍ଏସି)ର ନିଦେ୍ର୍ଦଶକ ନୀଲେଶ ଦେଶାଇ ପ୍ରକାଶ କରିଛନ୍ତି ଯେ ନୂଆ ରୋଭରର ଓଜନ ୩୫୦ କିଲୋଗ୍ରାମ ହେବ ।
ଚନ୍ଦ୍ରଯାନ-୩୩୬ ସମୟରେ ଚନ୍ଦ୍ରପୃଷ୍ଠକୁ ଅନୁସନ୍ଧାନ କରିଥିବା ୩୦ କିଲୋଗ୍ରାମ ପ୍ରଜ୍ଞାନ ରୋଭର ତୁଳନାରେ ଆକାର ଓ କ୍ଷମତାରେ ଯଥେଷ୍ଟ ବୃଦ୍ଧି ଘଟିଥିବା ଦର୍ଶାଇ ଦେଶାଇ କହିଛନ୍ତି, ଏହି ଅଭିଯାନର ଅଂଶ ଭାବରେ ରୋଭରର ଓଜନ ୩୫୦ କିଲୋଗ୍ରାମ ହେବ, ଯାହା ପୂର୍ବ ରୋଭର ତୁଳନାରେ ୧୨ ଗୁଣ ଭାରି । ରୋଭର ଆକାରରେ ଏହି ଉଚ୍ଚାକାଂକ୍ଷୀ ଉନ୍ନତି ଚନ୍ଦ୍ର ଅନୁସନ୍ଧାନ ଏବଂ ନମୁନା ପ୍ରତ୍ୟାବର୍ତ୍ତନ ପାଇଁ ଇସ୍ରୋର ବ୍ୟାପକ ଯୋଜନାର ଏକ ଅଂଶ । ଚନ୍ଦ୍ରଯାନ-୪ ଅଭିଯାନ ଭାରତର ଦୀର୍ଘମିଆଦୀ ମହାକାଶ ଗବେଷଣା ରଣନୀତିର ଏକ ଅଂଶ, ଯେଉଁଥିରେ ୨୦୪୦ ସୁଦ୍ଧା ମାନବଚାଳିତ ଚନ୍ଦ୍ର ଅଭିଯାନ ଏବଂ ୨୦୫୦ ସୁଦ୍ଧା ଏକ ଚନ୍ଦ୍ର ଘାଟି ପ୍ରତିଷ୍ଠାର ଯୋଜନା ଅନ୍ତର୍ଭୁକ୍ତ ।
ଚନ୍ଦ୍ରଯାନ-୪ ମିଶନର ଲକ୍ଷ୍ୟ କେବଳ ଚନ୍ଦ୍ରରେ ଅବତରଣ କରିବା ନୁହେଁ ବରଂ ଚନ୍ଦ୍ରନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବା, ଯାହା ଭାରତକୁ ଏଭଳି ଜଟିଳ ମହାକାଶ ଅଭିଯାନରେ ସକ୍ଷମ ରାଷ୍ଟ୍ରମାନଙ୍କର ଏକ ଏଲିଟ୍ ଗ୍ରୁପ୍ ମଧ୍ୟରେ ସ୍ଥାନିତ କରିବ ।
ରୋଭରର ବର୍ଦ୍ଧିତ ଓଜନ ଅଧିକ ବ୍ୟାପକ ବୈଜ୍ଞାନିକ ପେଲୋଡ୍ ଏବଂ ଏକ ବୃହତ ଅନୁସନ୍ଧାନ କ୍ଷେତ୍ର ପାଇଁ ଅନୁମତି ଦେବ । ପ୍ରଜ୍ଞାନ ୫୦୦ ମିଟର ଗୁଣନ ୫୦୦ ମିଟର ଅଞ୍ଚଳ ଅତିକ୍ରମ କରିଥିବା ବେଳେ ନୂଆ ରୋଭର ୧ କିଲୋମିଟର ଗୁଣନ ୧ କିଲୋମିଟର ପରିବ୍ୟାପ୍ତ ଏକ ବୃହତ ଅଞ୍ଚଳ ଅତିକ୍ରମ କରିବ ଏବଂ ଚନ୍ଦ୍ର ଗବେଷଣାର ପରିସରକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଦେଶାଇ ଏହି ମିଶନ ପାଇଁ ଏକ ସମ୍ଭାବ୍ୟ ସମୟସୀମା ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି, "ଯଦି ଆମେ ସରକାରଙ୍କ ଅନୁମୋଦନ ପାଇବୁ, ତେବେ ଆମେ ୨୦୩୦ ସୁଦ୍ଧା ଏହି ମିଶନକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇପାରିବୁ । ତେବେ ଇସ୍ରୋର ଅନ୍ୟ ଅଧିକାରୀମାନେ ୨୦୨୭ ସୁଦ୍ଧା ଏହାର ଉତକ୍ଷେପଣ ତାରିଖ ସ୍ଥିର କରିବାକୁ ପରାମର୍ଶ ଦେଇଛନ୍ତି । ଇସ୍ରୋ ମହାକାଶ ଗବେଷଣାର ସୀମା ଅତିକ୍ରମ ଜାରି ରଖିଥିବା ବେଳେ ଚନ୍ଦ୍ରଯାନ-୪ ଅଭିଯାନ ଏବଂ ଏହାର ବିଶାଳ ନୂତନ ରୋଭର ବିଶ୍ୱ ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ।