ଓଡ଼ିଶା ପୁଲିସର ସ୍ବତନ୍ତ୍ର ଗରିମା ଓ ଗୌରବ ରହିଛି: ଖୁରାନିଆ

ଓଡ଼ିଶା ପୁଲିସର ସ୍ବତନ୍ତ୍ର ଗରିମା ଓ ଗୌରବ ରହିଛି: ଖୁରାନିଆ

କଟକ: ୩୮ତମ ପୁଲିସ ଡିଜି ଭାବେ ଯୋଗେଶ ବାହାଦୁର ଖୁରାନିଆ ଦାୟିତ୍ବଗ୍ରହଣ କରିଛନ୍ତି। ଦାୟିତ୍ବ ନେବା ପରେ ଵାଇ.ବି ଖୁରାନିଆ କହିଛନ୍ତି ଯେ ଓଡ଼ିଶା ପୁଲିସର ସ୍ବତନ୍ତ୍ର ଗରିମା ଓ ଗୌରବ ରହିଛି। ଏହାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରି ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ତାଙ୍କ ପାଇଁ ଓ ତାଙ୍କର ପୁଲିସ ବାହିନୀ ପାଇଁ ଓଡ଼ିଶା ବାସୀଙ୍କୁ ଉନ୍ନତମାନର ପୁଲିସ ସେବା ଯୋଗାଇବା ସବୁଠାରୁ ବଡ଼ କର୍ତ୍ତବ୍ୟ ରହିବ। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ରହିଛି ଯେ ଥାନାରେ କାର୍ୟ୍ୟରତ କର୍ମଚାରୀ ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ଦେଖାଇବେ। ତେଣୁ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯିବ। ବିଗତ ଦିନରେ ଓଡ଼ିଶା ପୁଲିସ ମାଓବାଦୀ ମୁକାବିଲାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଯେଉଁ ବି ପୁଲିସ କର୍ମୀ ଏହି ଲଢ଼େଇରେ ସହିଦ ହୋଇଛନ୍ତି, ସେମାନଙ୍କ ତ୍ୟାଗ ଆମକୁ ମାଓବାଦୀ କାର୍ୟ୍ୟକଳାବକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବାକୁ ପ୍ରେରଣା ଯୋଗାଇବ। ପୁଲିସର ମୌଳିକ ଦାୟିତ୍ବ ହେଉଛି ଶାନ୍ତିଶୃଙ୍ଖଳା ରକ୍ଷା, ଅପରାଧ ତଦନ୍ତ ତଥା ନିୟନ୍ତ୍ରଣ। ଏହା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ତଦନ୍ତ ମାନର ବୃଦ୍ଧି ତଥା ବୈଜ୍ଞାନିକ ପଦ୍ଧତି ପ୍ରୟୋଗ ଉପରେ ଗୁରୁତ୍ବ ଦିଆଯିବ। ସମାଜର ଦୁର୍ବଳ ବର୍ଗ ତଥା ଶିଶୁ, ମହିଳା, ଅନୁସୂଚିତ ଜାତି ଓ ଜନଜାତି ଉପରେ ହେଉଥିବା ଅପରାଧ ଉପରେ ବିଶେଷ ଧ୍ୟାନ ଦିଆଯିବ। ଆଜି ଦିନରେ ସାଇବର୍ ଅପରାଧ ବଢ଼ି ଚାଲିଛି। ତାକୁ ସଫଳତାର ସହିତ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ମାଦକ ଦ୍ରବ୍ୟର ପ୍ରସାର ଏବଂ ଅପରାଧ ଉପରେ ପୁଲିସ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ। ଉତ୍ତମ ତାଲିମ ପ୍ରଦାନ ଏବଂ କାର୍ୟ୍ୟକ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ପୁଲିସବାହିନୀର ଗୁଣବତ୍ତା ବୃଦ୍ଧି କରାଯିବ। ଜନସାଧାରଣଙ୍କ ଶ୍ରଦ୍ଧା ଭାଜନ ହେବା ପାଇଁ ସେ ସଂକଳ୍ପବଦ୍ଧ ଏବଂ ସେ ଦିଗରେ ରାଜ୍ୟର ପୁଲିସବାହିନୀ ସବୁ ପ୍ରକାର ପ୍ରୟାସ କରିବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି।