କୋରେଇ ରାଜନୀତିରେ ଅଦିନିଆ ଦିୱାଲି , ଦମ୍ ଦେଖାଇବାକୁ ବାଣ ଫୁଟାଇଲେ ବିଜେଡ଼ି-ବିଜେପି ସମର୍ଥକ
ାା ପ୍ରଭାନୁ୍ୟଜ୍ ।ା ଯାଜପୁର : ବୁଧବାର କୋରେଇ ରାଜନୀତିରେ ଅଦିନିଆ ଦିୱାଲି ଦେଖିବାକୁ ମିଳିଥିଲା । ସ୍ୱଳ୍ପ ଦୂରତା ମଧ୍ୟରେ ଥିବା ଶହଶହ ବିଜେଡ଼ି-ବିଜେପି ସମର୍ଥକ ଆତସବାଜି ପ୍ରତିଯୋଗୀତାରେ ଲାଗିପଡ଼ିଥିଲେ । ଯେମିତି ଉଭୟ ପକ୍ଷ ଯୋଜନା ଅନୁଯାୟୀ ବାଣ ସାଙ୍ଗରେ ଧରି ଆସିଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବାଣ ଫୁଟିବା ପରେ ପରେ ଆରମ୍ଭ ହୋଇଯାଇଥିଲା ଆତସବାଜି ପ୍ରତିଯୋଗୀତା । ପ୍ରତିିଯୋଗୀତା ଏତେ ଆଗକୁ ବଢିଥିଲା, ଯେ ଉପସ୍ଥିତ କୋରେଇ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଆତସବାଜି ପ୍ରତିଯୋଗୀତା ପଛର କାରଣଟି ଏହିପରି । ବୁଧବାର ଥିଲା କୋରେଇ ପଞ୍ଚାୟତ ସମିତି ଷଷ୍ଠ ବୈଠକ । ବିଜେଡ଼ି ଅଧିନରେ ଥିବା ପଞ୍ଚାୟତ ସମିତି ବୈଠକକୁ ନିମନ୍ତ୍ରୀତ ହୋଇଥିଲେ ବିଧାୟକ ଆକାଶ ଦାସନାୟକ ଏବଂ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ବୈଠକ ପୂର୍ବରୁ ଉଭୟ ବିଧାୟକ ଏବଂ ସାଂସଦ ଆସି ପହଁଚିଥିଲେ । ଉଭୟଙ୍କୁ ବିଜେପି କର୍ମୀ ଧନେଶ୍ୱର ଛକରୁ ଶୋଭାଯାତ୍ରାରେ ଆଣି ବ୍ଲକ କାର୍ଯ୍ୟାଳୟ ଭିତରେ ଛାଡ଼ିଥିଲେ । ବ୍ଲକ କାର୍ଯ୍ୟାଳୟ ନିକଟରେ ବିଧାୟକ ଏବଂ ସାଂସଦଙ୍କୁ ବାଣ ଫୁଟାଇ ଦଳୀୟ କର୍ମୀ ସ୍ୱାଗତ କରିବା ସହ ଜିନ୍ଦାବାଦ ପକାଇଥିଲେ । ଯାହା ମାତ୍ର କେଇ ମିଟର ଦୂରରେ ଉପସ୍ଥିତ ଥିବା ଶତାଧିକ ବିଜେଡ଼ି ସମର୍ଥକ ଜିନ୍ଦାବାଦ ପକାଇବା ସହ ବାଣ ଫୁଟାଇବାକୁ ଲାଗିଥିଲେ । ଯାହା ପ୍ରତିଯୋଗୀତାରେ ପରିଣତ ହୋଇଥିଲା । ବିଧାୟକ ଆକାଶ ଏବଂ ସାଂସଦ ରବୀନ୍ଦ୍ର ନାରାୟଣ ପଞ୍ଚାୟତ ସମିତି ବୈଠକକୁ ଚାଲଯିବା ପରେ ବିଜେପି ସମର୍ଥକ ବାଣଫୁଟାଇବାକୁ ଲାଗିପଡ଼ିଥିଲେ । ଆଉ ଗୋଟିଏ ପାଖରେ ରୁଣ୍ଡ ହୋଇଥିବା ବିଜେଡ଼ି ସମର୍ଥକ କୋଉଠି ବାଣ ରଖିଥିଲେ କେଜାଣି ତୁହାକୁ ତୁହା ଫୁଟାଇବାକୁ ଲାଗିଥିଲେ । ଯାହା ଫଳରେ କିଛି ସମୟ ପାଇଁ ଅଞ୍ଚଳ ଧୂଅାଁମୟ ହୋଇପଡ଼ିଥିଲା । କିଛି ସମୟ ପାଇଁ ବ୍ଲକ ସମ୍ମୁଖ ରାସ୍ତା ବିଜେଡ଼ି-ବିଜେପି ନାରାବାଜୀରେ କମ୍ପିଉଠିଥିବା ବେଳେ ଆତସବାଜି ପ୍ରତିିଯୋଗୀତା କରି ଉଭୟ ଦଳ ନିଜର ଦମ ଦେଖାଇଥିଲେ । କାଳେ କିଛି ଅଘଟଣ ଘଟିବ, ତାହାକୁ ଭାବି କୋରେଇ ପୁଲିସ ଉଭୟ ପକ୍ଷଙ୍କୁ ନାରାବାଜି ଏବଂ ବାଣ ଫୁଟାଇବାରୁ ରୋକିଥିଲା । ତେବେ କୋରେଇ ରାଜନୀତିରେ ଅଦିନିଆ ଦିୱାଲି ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇପଡ଼ିଛି ।