ଶକ୍ତି ପ୍ରଦର୍ଶନ ଦେଖିଲେ ସୁକିନ୍ଦା ଭୋଟର
ଯଖପୁର: ଭୋଟ ରାଜନୀତିରେ ଅନେକ ଭାଗ ନେଇଥାନ୍ତି । ଅନେକଙ୍କ ମଧ୍ୟରୁ ଜଣେ ଜଣେ ବିଜୟୀ ହୁଅନ୍ତି । କିନ୍ତୁ ଭାଗ ନେଉଥିବା ପ୍ରତିଯୋଗୀ ଜିତିବା ପାଇଁ ମନ, ଧନ ସବୁକିଛି ବାଜିରେ ଲଗାଇ ଦେଇଥାନ୍ତି । ବର୍ତ୍ତମାନ ସମୟର ଭୋଟ ରାଜନୀତିର ତରିକାରେ ଅନେକ କିଛି ପରବର୍ତନ ଘଟିଛି ।
ସଭାସମିତି ହେଉ କି ଶୋଭାଯାତ୍ରାରେ ଲୋକବଳ ଦେଖାଇବା ହୋଇଛି ପ୍ରମୂଖ ନିର୍ବାଚନୀ ପ୍ରଚାର । ଯିଏ ଯେତେ ଲୋକବଳ ଦେଖାଇ ପାରିଲା, ତା ସାଙ୍ଗରେ ସେତେ ଭୋଟ ରହିଛି ବୋଲି ଦେଖାଇବାକୁ ଚେଷ୍ଟା କରାଉଛି । ପ୍ରତିଯୋଗିତା ଭିତିରେ ଶକ୍ତି ପ୍ରଦର୍ଶନ କରାଯାଉଛି । ଯାହା ଗୁରୁବାର ଚତୁର୍ଥ ଦିନର ନାମାଙ୍କନପତ୍ର ବେଳେ ଜିଲାର ପ୍ରବେଶ ପଥରୁ ଆରମ୍ଭ କରି ସୀମୀନ୍ତ ସୁକିନ୍ଦା ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଗଲାକାଲି ୩ ଲୋକସଭା ପ୍ରାର୍ଥୀଙ୍କ ସହ ୧୮ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ପ୍ରମୂଖଙ୍କ ମଧ୍ୟରେ ଥିଲେ ଆକାଶ ଦାସନାୟକ, ପ୍ରୀତିରଂଜନ ଘଡ଼ାଇ, ପ୍ରଦୀପ ବଳସାମନ୍ତ, ଗୌତମ ରାୟ, ଅମର ନାୟକ, ବର୍ଷାପ୍ରୀୟଦଶନୀ, ଉମେଶ ଜେନା ଓ ଦେବାଶିଷ ନାୟକ ପ୍ରମୁଖ । ରାଜନେତା କିଭଳି ଜନସମୁଦ୍ର ଶୋଭାଯାତ୍ରା ଉପରେ ଫୋକର କରନ୍ତି, ତାହାର ଝଲକ କୋରେଇ, ସୁକିନ୍ଦା, ଯାଜପୁର, ବଡ଼ଚଣାରେ ଦେଖିବାକୁ ମିଳିଥିଲା । କିନ୍ତୁ ସୁକିନ୍ଦା ଭୋଟର ଗଲାକାଲି ଶକ୍ତି ପ୍ରଦର୍ଶନ ପ୍ରତିଯୋଗିତା ଦେଖିବାକୁ ପାଇଥିଲେ । ବିଜେଡ଼ିର ପ୍ରୀତିରଂଜନ ଘଡ଼ାଇଙ୍କୁ ବିଜେପିର ପ୍ରଦୀପ ବଳସାମନ୍ତ ଗୋଟିଏ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ପରେ ଉଭୟଙ୍କ ସୌଜନ୍ୟରେ ସୁକିନ୍ଦା ପାଲଟିଥିଲା ଜନସମୁଦ୍ର । ପାଖାପାଖି ୫୦ହଜାର ସମର୍ଥନ ସେମାନଙ୍କ ପ୍ରୀୟ ନେତାଙ୍କୁ ନାମାଙ୍କନପତ୍ର ଦାଖଲ ସ୍ଥାନ ଯାଏ ବାଟୋଇ ନେବାକୁ ହୋଇଥିଲେ ଏକାକାର । ଉଭୟ ଦଳର ସନସମୁଦ୍ର ନିର୍ବାଚନ କଡା ମୁକାବିଲାର ସଙ୍କେତ କରୁଥିଲା । ସୁକିନ୍ଦା ନିର୍ବାଚନମଣ୍ଡଳୀଟି ଯାଜପୁର ସଂସଦୀୟ କ୍ଷେତ୍ରରୁ ସଂପୂର୍ଣ୍ଣ ଭିନ୍ନ । ଲୋକସଭାରେ ଆସୁଥିବା ୭ଟି ନିର୍ବାଚନମଣ୍ଡଳୀରେ ଦଳ ମଧ୍ୟରେ ଦଳୀୟ କନ୍ଦଳ ଥିବାବେଳେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ତାହାନାହିଁ । ନିର୍ବାଚନ ମଣ୍ଡଳୀରେ ଉଭୟ ଦଳରେ ଆଶାୟୀ ମୁଣ୍ଡ ଟେକି ନାହାନ୍ତି । ଏଣୁ ଏଠାରେ ସିଧାସିଧି ବିଜେଡ଼ି-ବିଜେପି ମଧ୍ୟରେ ଫାଇଟ୍ ହେବାକୁ ଯାଉଛି । କଂଗ୍ରେସ ରହିଛି ସତ ହେଲେ ନାଁକୁ ମାତ୍ର । ବିରାଟ ପଟୁଆରରେ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ ଉଭୟ ବିଜେଡିର ପ୍ରୀତି ରଂଜନ ଓ ବିଜେପିର ପ୍ରଦୀପ ସାମନ୍ତ ବଳ । ଶୋଭାଯାତ୍ରାକୁ ଦେଖିଲା ପରେ କେହି କାହା ଠାରୁ କମ୍ ନଥିଲେ ବୋଲି ଜଣାପଡ଼ିଯାଉଥିଲା । ଯଦି ଆମେ ବାସ୍ତବତାକୁ ଯିବା ତେବେ ଶୋଭାଯାତ୍ରାରେ ଯାହା ଦେଖାଯାଏ ତାହା ପ୍ରକୃତ ଭୋଟ କ୍ଷେତ୍ରରେ ଦେଖା ଯାଏନି । ଏମିତି ଅନେକ ଉଦାହରଣ ରହିଛି । ଗତ କିଛି ମାସ ତଳେ ଆମେ ପଡୋଶୀ ରାଜ୍ୟର ବିଧାନସଭା ନିର୍ବାଚନର ବିଜେପି ପକ୍ଷରୁ ବିଶାଳ ରୋଡ ଶୋ ହୋଇଥିଲା । ବିଶାଳ ଜନସଭା ଆୟୋଜନ ହେଉଥିଲା । ଏସବୁ ସଭାରେ ଜନ ସମୁଦ୍ର ପରିଲକ୍ଷିତ ହେଉଥିଲା । ସମସ୍ତେ ଆଶା କରୁଥିଲେ ପଶ୍ଚିମବଙ୍ଗରେ ନିଶ୍ଚିନ୍ତ ସରକାର ପରିବର୍ତନ ହେବ । ମମତା ସରକାର ଯିବ ଆଉ ବିଜେପି ସରକାର ଆସିବ । କିନ୍ତୁ ଫଳ ଓଲଟା ହୋଇଥିଲା । ପୁଣି ମମତା ଦିଦିଙ୍କ ସରକାର ଆସିଥିଲା । ତେଣୁ ରୋଡ ଶୋ ହେଉ ଅଥବା ଜନସଭା କି ନାମାଙ୍କନ ଶୋଭାଯାତ୍ରାରେ ଏକତ୍ରିତ ହେଉଥିବା ଜନ ସମାଗମ ପ୍ରକୃତରେ ଭୋଟରେ ପ୍ରତିଫଳନ ହୁଏ ନାହିଁ ବୋଲି ବିଚାର କରାଯାଏ । କୌଣସି ନା କୌଣସି କାରଣ ପାଇଁ ସଭା ସମିତି ରେ ଏକତ୍ରିତ ହେଉଥିବା ଜନ ସମାଗମ ଭୋଟରେ ପ୍ରତିଫଳନ ହୁଏ ନାହିଁ । ଯେଉଁ ଦଳ ସଭା ସମିତିର ଲୋକ ବଳକୁ ବାନ୍ଧି ରଖିପାରନ୍ତି ସେ ଦଳ ସଫଳତା ପାଇଥାଏ । ସେହି କ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପ୍ରତିପକ୍ଷ ଆକ୍ରମଣ ପ୍ରତି ଆକ୍ରମଣ କରୁଥିବାର ଦେଖା ଯାଉଛି । ସୁକିନ୍ଦା ରାଜନୀତିରେ ବିଜେଡି ନବୀନ ସରକାରଙ୍କ ବିକାଶ ଓ ବିଭିନ୍ନ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ ବିଜେପି ମୋଦୀଙ୍କ ସଫଳତା, ମୋଦି ଗ୍ୟାରେଣ୍ଟି ଓ ପରିବର୍ତନର ନରା ନେଇ ଲୋକଙ୍କ ନିକଟକୁ ଯାଉଛି । ବିଜେଡି ପ୍ରାର୍ଥୀ ବିକାଶର କଥା କହୁଥିବା ବେଳେ ବିଜେପି ପ୍ରାର୍ଥୀ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ଭୋଟରଙ୍କୁ ବୁଝଉଛନ୍ତି । ସଭା ସମିତିରେ ଜନ ଗହଳି ହେଉଛି । ବର୍ତ୍ତମାନର ରାଜନୀତି କିନ୍ତୁ ଭିନ୍ନ ପ୍ରକାର କହୁଛି । ଲୋକମାନଙ୍କର ମୁଡକୁ ଯେଉଁ ଦଳ ବୁଝିପାରେ ସେ ସଫଳ ହୁଏ । ଭୋଟରଙ୍କୁ ଅନେକ ଆଶା ଓ ପ୍ରତିଶ୍ରୁତି ଦେଇ ଆକୃଷ୍ଟ କରାଯାଏ । ଅତଏବ ସେ ଜନସଭା ହେଉ କି ବିଶାଳ ଶୋଭାଯାତ୍ରା କିଛି ନଥାଏ । ଯାହା ଦେଖାଯାଏ ତାହା ଭୋଟରେ ବେଳେବେଳେ ପ୍ରତିଫଳନ ହୁଏ ନାହିଁ । ତେଣୁ ସଭା ସମିତିରେ ହେଉଥିବା ଜନସମୁଦ୍ର ଭୋଟରେ ପ୍ରତିଫଳନ ହେବା ତ? ଯାହାକୁ ନେଇ ରାଜନୀତି ସମୀକ୍ଷକ ସନ୍ଦିହାନୀରେ ଅଛନ୍ତି ।