ସକଳ ଧର୍ମ ଛାଡ଼ି ଯେବେ
ନିରୁପମା ଭୂୟାଁ : ଆମ ନିତିଦିନିଆ ଜୀବନରେ ଭଗବାନ ହିଁ ଆମର ସବୁ କିଛି । ଭଗବାନଙ୍କ ପ୍ରସଙ୍ଗରେ ଆଲୋଚନା କଲାବେଳେ ଶ୍ରୀମଦ ଭାଗବତର ସେଇ ସ୍ମରଣୀୟ ଧାଡ଼ିଟି ସ୍ମରଣ କରୁଛି "ସକଳ ଧର୍ମ ଛାଡ଼ି ଯେବେ, ମୋତେ ଭଜନ୍ତି ଭକ୍ତିଭାବେ । ଯେ ସର୍ବଭାବେ ଭକ୍ତି ସାଧେ, ସଂସାର ତାହାକୁ ନ ବାଧେ । ଏ ବୋଲ ଯଦି ବୁଝି ତେବେ, ଆଶ୍ରା କରଇ ମୋର ଭାବେ । ସର୍ବ ସଂଶୟ ଦୂର କରି, ନିସ୍ତରେ ନର ଦେହ ଧରି । ଭକତି ଯୋଗ ସାଧ୍ୟ କରି, ଭବୁ ଭକତେ ଯାନ୍ତି ତରି । ଯୋଗୀଏ ଯୋଗମାର୍ଗେ ଭ୍ରମ, କେବଳ ହୋନ୍ତି ପଥଶ୍ରମୀ ।' ମନୁଷ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ଆଗକୁ ପାଦ ବଢ଼ାଇବା ଉଚିତ । ଗତିହୀନ ଜୀବନ ତା ପାଇଁ ସୁନ୍ଦର ନୁହେଁ । ଛାତ୍ରଟିଏ ଯଦି ସ୍କୁଲର ଗୋଟିଏ ଶ୍ରେଣୀରେ ବାରମ୍ବାର ରହିଯାଏ, କେତେ ଦିନ ଆମେ ସହ୍ୟ କରିବା? ସେ ପ୍ରତିବର୍ଷ ଉଚ୍ଚତର ଶ୍ରେଣୀକୁ ଯିବା ଆବଶ୍ୟକ । ଆଧ୍ୟାତ୍ମିକ ସାଧକ ସେହିପରି ସାଧନାର ଗୋଟିଏ ସ୍ତରରେ ସ୍ଥିର ହୋଇ ରହିବା ଉଚିତ ନୁହେଁ । ମନୁଷ୍ୟ ପ୍ରଥମେ ପ୍ରତିମୂର୍ତ୍ତି ବା ମୂର୍ତ୍ତି ପୂଜା କରେ । ଷୋଡ଼ଶ ଉପଚାର ମାଧ୍ୟମରେ ସେ ଅର୍ଚ୍ଚନା କରିଥାଏ ଯଥା ଧ୍ୟାନ, ଆବାହନ, ଆସନ, ପାଦ୍ୟ, ଅର୍ଘ୍ୟ, ସ୍ନାନ, ବସ୍ତ୍ର, ଯଜେ୍ଞାପବୀତ, ଚନ୍ଦନ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ତାମ୍ବୁଳ, ନୀରାଜନା (କର୍ପୂର) ପ୍ରଦକ୍ଷିଣ, ନମସ୍କାର । ଉତ୍ତମ ଚରିତ୍ର, ଉତ୍ତମ ବ୍ୟବହାର, ନୈତିକ ମହତ୍ୱପୂର୍ଣ୍ଣ ଜୀବନଯାପନ ସାଧକର ଯୋଗ୍ୟତା ହେବା ଉଚିତ । ଷୋଡ଼ଶ ଉପଚାର ଅର୍ଚ୍ଚନା ଏକ ଉତ୍ତମ ବିଧି । କିନ୍ତୁ ସାଧକ ଏହି ସ୍ତରରୁ ଆତ୍ମଉପଲବ୍ଧି ଆଡ଼କୁ ଅଗ୍ରସର ହେବା ଉଚିତ । ଈଶ୍ୱରଙ୍କୁ ସମର୍ପିତ ପୁଷ୍ପରାଜି ଖୁବ୍ ଶୀଘ୍ର ମଳିନ ହୋଇପାରେ । ପୁଷ୍ପାଞ୍ଜଳିର ସୁଫଳ ମଧ୍ୟ କ୍ଷଣସ୍ଥାୟୀ ହୋଇପାରେ । ତେଣୁ ମଣିଷ ଯେଉଁ ପୁଷ୍ପକୁ ନିଜ ଦକ୍ଷତା ଓ ନିଷ୍ଠା ମାଧ୍ୟମରେ ନିଜର ଜୀବନ ବୃକ୍ଷରେ ପ୍ରସ୍ଫୁଟିତ କରାଇଥାଏ ଈଶ୍ୱର ସବୁବେଳେ ସେହି ପୁଷ୍ପକୁ ଅଧିକ ଭଲ ପାଆନ୍ତି । ସେହି ନୈତିକ ପୁଷ୍ପରାଜି ତାହାରି ନିଜ ହୃଦୟ ବଗିଚାରେ ହିଁ ପ୍ରସ୍ଫୁଟିତ ହୋଇଥାଏ । :
ଏହି ଗୁଡ଼ିକ ମଧ୍ୟରେ ଅହିଂସା ପ୍ରଥମ ପୁଷ୍ପ । କେବଳ ଜୀବନ୍ତ ପ୍ରାଣୀକୁ ଆଘାତ ନ କରିବାକୁ ଅହିଂସା କୁହାଯାଇ ନପାରେ । ଏହା ପ୍ରକୃତରେ ଏକ ଉଚ୍ଚତର ମୌଳିକ ମୂଲ୍ୟବୋଧ । କେବଳ କାର୍ଯ୍ୟରେ ହିଂସା ଆଚରଣ ନ କରିବା ଯଥେଷ୍ଟ ନୁହେଁ, ଚିନ୍ତା ବା ବାକ୍ୟରେ ମଧ୍ୟ ଆମେ ପ୍ରାଣୀଙ୍କୁ କଷ୍ଟ ଦେବା ଉଚିତ ନୁହେଁ । ଜଣେ ଅନ୍ୟକୁ କଷ୍ଟଦେବା ବା ଅପମାନିତ କରିବା ପାଇଁ ଚିନ୍ତା କରିବା ଉଚିତ ନୁହେଁ । ଇନ୍ଦ୍ରିୟ ନିଗ୍ରହ ଜୀବନ ବଗିଚାର ଦ୍ୱିତୀୟ ପୁଷ୍ପ । ଜଣେ ଇନ୍ଦ୍ରିୟାସକ୍ତ ହେବା ଉଚିତ ନୁହେଁ । ତୃତୀୟ ପୁଷ୍ପଟି ଦୟା । ସର୍ବଭୂତେ ଦୟା (ପ୍ରତ୍ୟେକ ଜୀବ ଓ ପଦାର୍ଥ ପ୍ରତି ଦୟା) କାରଣ ପ୍ରତ୍ୟେକ ପ୍ରାଣୀ ଓ ପଦାର୍ଥ ମଧ୍ୟରେ ଈଶ୍ୱର ବିଦ୍ୟମାନ । କୁହାଯାଇଛି ଯେ ସର୍ବଦେବ ନମସ୍କାରଂ କେଶବମ୍ ପ୍ରତିଗଚ୍ଛତି । ଯେଉଁ ପ୍ରଭୁଙ୍କୁ ପ୍ରଣାମ କଲେ ମଧ୍ୟ ତାହା ପରମାତ୍ମାଙ୍କ ଠାରେ ପହଞ୍ଚôଯାଏ । ସେହି ସତ୍ୟରେ ଏହା ମଧ୍ୟ କୁହାଯାଇପାରେ ଯେ "ସର୍ବଜୀବ ତିରସ୍କାରମ୍ କେଶବମ୍ ପ୍ରତିଗଚ୍ଛତି' ଯେଉଁ ପ୍ରାଣୀକୁ କଷ୍ଟ ଦେଲେ ମଧ୍ୟ ତାହା ପରମାତ୍ମାଙ୍କୁ କଷ୍ଟ ଦେଲାଭଳି ହୁଏ । କ୍ଷମା, ଧୈର୍ଯ୍ୟ, ସାହସ, ଶାନ୍ତ ଚତୁର୍ଥ ପୁଷ୍ପ । ଧର୍ମ ପୁସ୍ତକରେ କ୍ଷମାକୁ ସତ୍ୟ, ଧର୍ମ, ଜ୍ଞାନ, ଅହିଂସା ତ୍ୟାଗ ଓ ଆନନ୍ଦରୁ ଅଭିନ୍ନ ବୋଲି କୁହାଯାଇଛି । କ୍ଷମା ବ୍ୟତୀତ ମନୁଷ୍ୟ ଗୋଟିଏ ମୁହୂର୍ତ୍ତ ମଧ୍ୟ ଆନନ୍ଦ ପାଇପାରିବ ନାହିଁ । ଏହା ଐଶ୍ୱରୀକ ଗୁଣ ବୃଦ୍ଧି କରେ । ଏହା ମନୁଷ୍ୟର ଦିବ୍ୟତ୍ୱ ପରିପ୍ରକାଶ କରେ । ଏହା ମଣିଷର ପ୍ରକୃତିଗତ ହୋଇଯିବା ଉଚିତ । ନିର୍ବିକାର ଭାବ ଶାନ୍ତିର ମୌଳିକଗୁଣ । ସମୁଦ୍ର ସମସ୍ତ ପଦାର୍ଥକୁ ଏକତ୍ର କରି ଧରିରଖିବାକୁ ଇଛା କରୁଥିବାରୁ ନିମ୍ନରେ ରହିଛି ମେଘ ସମସ୍ତ ତ୍ୟାଗ କରି ମୁକ୍ତ ହେବାକୁ ଚାହୁଁ ଥିବାରୁ ଆକାଶରେ ରହିଛି । ଶାନ୍ତି ମଣିଷକୁ ସ୍ଥିର ମନ ଓ ସ୍ଥିର ଦୃଷ୍ଟି ପ୍ରଦାନ କରେ । ଶାନ୍ତି ପ୍ରାର୍ଥନା ତିନିଥର ଉଚ୍ଚାରଣ କରାଯାଏ ଓ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ତରର ଶାନ୍ତି ପାଇଁ ଏହି ମନ୍ତ୍ରକୁ ତିନିଥର ଉଚ୍ଚାରଣ କରାଯାଏ । ମନୁଷ୍ୟ ରାଗିବା ଅଥବା ଭୟରେ ମୁଣ୍ଡ ନୁଅାଁଇବା ଉଚିତ ନୁହେଁ । ଉପନିଷଦରେ ଜନକ ମହର୍ଷିଙ୍କ ଜୀବନରେ ଆଧ୍ୟାତ୍ମ କି ଶାନ୍ତିର ଉଦାହରଣ ଦିଆଯାଇଛି । ତାଙ୍କୁ ବିଦେହ କୁହାଯାଉଥିଲା । ଏହାର ଅର୍ଥ ନୁହେଁ ଯେ ତାଙ୍କର ଦେହ ନଥିଲା । ପ୍ରକୃତରେ ସେ ଶରୀର ଓ ଏହାର ଆବଶ୍ୟକତାକୁ ଭୁଲିଯାଇ ଜୀବନଯାପନ କରୁଥିଲେ । ଧୀରସ୍ଥିର ଭାବରେ ବସି ନିଜର ଭାବନା ଓ ଚିନ୍ତାଧାରାକୁ ଈଶ୍ୱରଙ୍କ ଉପରେ କେବଳ ନିବଦ୍ଧ କରିବା ଧ୍ୟାନ ନୁହେଁ । ଈଶ୍ୱରଙ୍କ ମାଧ୍ୟମରେ ନିଜର ଇଛା, ଅନୁଭବ ଓ ଭାବନା ଇତ୍ୟାଦିକୁ ଐଶ୍ୱରୀକ କରିବା ଉଚିତ । ଈଶ୍ୱରଙ୍କୁ ନିଜ ସ୍ତରକୁ ଓହ୍ଲାଇ ଆଣିବା ଉଚିତ ନୁହେଁ ବରଂ ନିଜକୁ ଈଶ୍ୱରଙ୍କ ସ୍ତରକୁ ଉନ୍ନତି କରିବା ଉଚିତ । ଅଷ୍ଟମ ପୁଷ୍ପଟି ସତ୍ୟ । ଏହି ସତ୍ୟ ସମୟ ସ୍ରୋତରେ ଅପରିବର୍ତ୍ତିତ ରହେ । କେବଳ ଈଶ୍ୱର ହିଁ ଅପରିବର୍ତ୍ତିତ ଭାବେ ଅତୀତରୁ ବର୍ତ୍ତମାନ ମଧ୍ୟ ଦେଇ ଭବିଷ୍ୟତ ପର୍ଯ୍ୟନ୍ତ ରହି ପାରନ୍ତି । ଯେତେବେଳେ ଏହି ପୁଷ୍ପ ଆମ ହୃଦୟ ମଧ୍ୟରେ ପ୍ରସ୍ଫୁଟିତ ହେବ ତାହା ଆମ୍ଭମାନଙ୍କୁ ଅନନ୍ତ ସୌରଭରେ ପୂର୍ଣ୍ଣ କରିବ । ଈଶ୍ୱରଙ୍କୁ ଏହି ସମସ୍ତ ପୁଷ୍ପଦ୍ୱାରା ପୂଜା କରିବା । ପୂଜାରେ ଯଦି ଅନ୍ୟ ପୁଷ୍ପ ବ୍ୟବହାର କରିବା ତାହାହେଲେ ପୂଜା ଗୃହରୁ ବାହାରି ଆସିଲା କ୍ଷଣି ମନରେ ଭକ୍ତି ରହିବନାହିଁ । ଉପରେ ବର୍ଣ୍ଣିତ ଅଷ୍ପପୁଷ୍ପ ରୂପକ ଗୁଣଗୁଡ଼ିକ ଜଣେ ଆହରଣ କରି ନ ପାରିଲେ ଈଶ୍ୱରଙ୍କ ଅନୁଗ୍ରହ କିପରି ଆଶ କରିବା ତେଣୁ ବଗିଚାର ଫୁଲ ଈଶ୍ୱରଙ୍କୁ ଅର୍ପଣ କରିବା ପରିବର୍ତ୍ତେ, ଏହି ଗୁଣଗୁଡ଼ିକୁ ନିଜ ଜୀବନରେ ଅଭ୍ୟାସ କରି ଏବଂ ସେହି ପୁଷ୍ପରାଜିକୁ ଅର୍ପଣ କରି ଈଷ୍ଟଙ୍କ ଆଶ୍ରିତର ଯଥାର୍ଥତା ପ୍ରତିପାଦନ କରିବା ଉଚିତ ।
ମୋ: ୯୯୩୭୪୭୦୯୮୦