ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଖଣ୍ଡା ଚୋଟ ଖାଇଲେ ଯୁବକ
ଭୁବନେଶ୍ୱର, ୬ା୪ : ଜଣେ ମହିଳାଙ୍କୁ ଅସଦାଚରଣ ଏବଂ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ହଣା ଖାଇଲେ ଅଚିହ୍ନା ଯୁବକ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ନିଳାଦ୍ରୀବିହାର ପଣ୍ଡାପାର୍କ ବସ୍ତିର ଅନନ୍ତ ନାୟକ । ଆଜି ତାକୁ ଥାନା କେସ ନମ୍ବର ୩୦୧ରେ ମାମଲା ରୁଜୁକରି ଦଫା ୩୪୧, ୨୯୪, ୫୦୬, ୪୨୭ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଣ୍ଡାପାର୍କ ଅଞ୍ଚଳରେ ରୁହନ୍ତି । ଗତ ୪ ତାରିଖ ରାତି ୧୦ଟା ୩୦ ସମୟରେ ସେ ରାତ୍ରୀ ଭୋଜନ ସାରି ନିଜ ଘର ବାହାରକୁ ଯାଉଥିବା ବେଳେ, ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ ଅନନ୍ତ ନାୟକ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ବିରୋଧ କରିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଏକ ଧାରୁଆ ତେଲେଙ୍ଗା ଖଣ୍ଡାରେ ଆକ୍ରମଣ କରିଥିଲେ । ହେଲେ ସୌଭାଗ୍ୟବଶତଃ ସେ ଆକ୍ରମଣରୁ ବର୍ତି ଯାଇଥିଲେବି ଖଣ୍ଡାଟି ଘର କବାଟରେ ବାଜିଥିଲା । ଏହି ସମୟରେ ଆଲୋକ ନାୟକ ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତଙ୍କୁ ବାରଣ କରିଥିଲେ । କିନ୍ତୁ ଅଭିଯୁକ୍ତ ଅନନ୍ତ ଅତ୍ୟଧିକ ଉତ୍ତ୍ୟକ୍ତ ହୋଇ ହାତରେ ଧରିଥିବା ଖଣ୍ଡାରେ ତାଙ୍କୁ ମଧ୍ୟ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଆଲୋକଙ୍କୁ କିଛି ଲୋକ ଘଟଣା ସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ଘରୋଇ ହସ୍ପିଟାଲକୁ ନେଇଥିଲେ ।