ଜୀବନ ଜୀଇଁବାର ବଡ ସୂତ୍ର

ଜୀବନ ଜୀଇଁବାର ବଡ ସୂତ୍ର

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନ ଜୀଇଁବାର ଗୋଟେ ବଡ ସୂତ୍ରକୁ ନେଇ କିଛି ମର୍ମସ୍ପର୍ଶୀ କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଆପଣ ଦେଖିଥିବେ, ସୂର୍ଯ୍ୟ ଉଦୟ ଏବଂ ଅସ୍ତ କାଳରେ ସମାନ ବର୍ଣ୍ଣ ଧାରଣ କରନ୍ତି  । ସୂର୍ଯ୍ୟ ଉଦୟ ହେଉଛନ୍ତି ଏକ ସମ୍ଭାବନା ଓ ସମୟ ପ୍ରବାହର ପ୍ରତିକ  । ଉଦୟ ହେଲେ ତେଜୋରାଶି ପ୍ରକାଶ ପାଏ  । ଫଳରେ ଉଦୟ ପରେ ଦିନସାରା ପୃଥିବୀ ଆଲୋକିତ ହୁଏ  । ସୂର୍ଯ୍ୟ ଅସ୍ତ ସମୟରେ ଦିନର ସମସ୍ତ ସମ୍ଭାବନା ଶେଷ ହୋଇ ରାତ୍ରିର ବିଶ୍ରାମ ଆରମ୍ଭ ହୁଏ  । କିନ୍ତୁ ଉଭୟ କ୍ଷେତ୍ରରେ ସୂର୍ଯ୍ୟ ବର୍ଣ୍ଣ ସମାନ ଥାଏ  । ତାମ୍ରବର୍ଣ୍ଣର ସୂର୍ଯ୍ୟ ସକାଳେ ଏବଂ ସଂଧ୍ୟା ସମୟରେ ସମାନ ବର୍ଣ୍ଣ ହେବା, ମଣିଷ କ୍ଷେତ୍ରରେ ସମ୍ପଦ ଏବଂ ବିପଦ କାଳରେ ସମାନ ଭାବର ସ୍ଥିର ରହିବାକୁ ସୂଚାଏ  । ଅର୍ଥାତ୍, କୌଣସି ପରିସ୍ଥିତିରେ ନିଜର ସ୍ୱକୀୟ ଧର୍ମରେ ପରିବର୍ତ୍ତନ ହୁଅନ୍ତି ନାହିଁ  ।
ଏହି କଥାକୁ ନେଇ ଗୀତାରେ କୃଷ୍ଣ ଅର୍ଜୁନଙ୍କୁ "ଦୁଃଖ କିମ୍ବା ସୁଖରେ ଯିଏ ସମାନ ଭାବରେ ସ୍ଥିର ରହି ସ୍ଥିତପ୍ରଜ୍ଞ'' ହେବାକୁ କହିଛନ୍ତି  । ଜୀବନ ଦର୍ଶନର ଶ୍ରେଷ୍ଠ ପୁସ୍ତକ ଭାବରେ ଗୀତାକୁ ଗ୍ରହଣ କରାଯାଇପାରିବ  । ଏଥିରେ ଏକ ସୁନ୍ଦର ସାମାଜିକ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ବାର୍ତ୍ତା ରହିଛି  । ସ୍ଥିତପ୍ରଜ୍ଞ ନହେଲେ ଜଣେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରିବ ନାହିଁ  । ଦୁଃଖ ଏବଂ ସୁଖରେ ଭାଙ୍ଗି ପଡିବା ତଥା ଉତ୍ଫୁଲ୍ଲିତ ହେବା, ଆମ ଭଳି ସାଧାରଣ ମଣିଷଙ୍କର ଲକ୍ଷଣ  । କିନ୍ତୁ ଯେଉଁମାନେ ଅସାଧାରଣ ସେମାନେ ଉଭୟ ସ୍ଥିତିରେ ସମାନ ଭାବରେ ସ୍ଥିର ରହିଥାନ୍ତି, ସେହିଭଳି ଲୋକମାନଙ୍କର ଜୀବନରେ ବିଜୟ ସୁନିଶ୍ଚିତ  । ସୁଖ ଏବଂ ଦୁଃଖ ଦିନ ଓ ରାତି ଭଳି ନିରନ୍ତର ପରିବର୍ତ୍ତିତ ହେଉଥିବା ଏକ ପରିସ୍ଥିତି  । ଏହି ପରିସ୍ଥିତିରେ ମନୁଷ୍ୟ ମଧ୍ୟ ଏକ ଅସ୍ଥିର ଜୀବନ  ବିତାଇଥାଏ  । ମଣିଷ ଜୀବନର ପରିବର୍ତ୍ତନ ଏବଂ ଅସ୍ଥିରତା ସମୟ ଚକ୍ରର ପରିବର୍ତ୍ତନର ଏକ ପ୍ରତିକ  । 
ନିଜର ଶରୀର ଅସୁସ୍ଥ ହେଲେ କି କୌଣସି ଦୁର୍ଘଟଣା ଘଟିଲେ କିମ୍ବା ନିଜ ପରିବାରର କୌଣସି ସଦସ୍ୟଙ୍କର କୌଣସି ଅସୁବିଧା ହେଲେ ଲୋକମାନେ ସାଧାରଣତଃ ଭାଙ୍ଗି ପଡଥାଆନ୍ତି  । କିନ୍ତୁ ଏଭଳି ପରିସ୍ଥିତିଗୁଡିକ କାହାରି ନିୟନ୍ତ୍ରଣରେ ନଥାଏ  । ଏଭଳି ସମୟରେ ମନୁଷ୍ୟ ଧୈର୍ଯ୍ୟ ନଧରିଲେ ପରିସ୍ଥିତି ଆହୁରି ବିଗିଡିଯାଏ ଏବଂ ସମସ୍ୟାଗୁଡିକ ଆହୁରି ଜଟିଳ ହୋଇପଡ  । କୌଣସି ଏକ ସମସ୍ୟାର ସମାଧାନ କରିବାକୁ ହେଲେ ଧୈର୍ଯ୍ୟ ଆବଶ୍ୟକ  । ସୁଚିନ୍ତିତ ଉପାୟରେ ପରିସ୍ଥିତିର ସମ୍ମୁଖୀନ ନ ହେଲେ ସେଥିରୁ ଉଦ୍ଧାର ପାଇବା ଅସମ୍ଭବ  । ଏଣୁ ଜୀବନରେ ଯେତେ ବିପଦ ଆସୁ ପଛେ, ଧୈର୍ଯ୍ୟ ନ ଧରିଲେ ମଣିଷ ସବୁ ପରିସ୍ଥିତି ଉପରେ ବିଜୟ ହାସଲ କରିପାରିବ ନାହିଁ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।