ଏଟିଏମ୍ ଲୁଟ୍ ଓ ପୋଡ଼ି ଘଟଣା: ୪ ଆନ୍ତଃରାଜ୍ୟ ଲୁଟେରା ଗିରଫ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ସଦର ଥାନା ପଂଚୁପଟି ନିକଟ ୫୫ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏସବିଆଇ ଏଟିଏମକୁ କିଛି ଲୁଟେରା ଭାଙ୍ଗି ସମସ୍ତ ଟଙ୍କାକୁ ନେଇଯିବା ସହ ସେଥିରେ ନିଆଁ ଲଗାଇଦେଇଥିଲେ । ତେବେ ପୁଲିସ୍ ଖବର ପାଇ ସଙ୍ଗେସଙ୍ଗେ ଜିଲ୍ଲାର ସମସ୍ତ ସୀମାକୁ ବନ୍ଦକରି ୨୪ ଘଣ୍ଟା ମଧ୍ୟରେ ୪ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଲୁଟେରା ରାଜସ୍ଥାନ ଓ ହରିୟାନା ରାଜ୍ୟର ହୋଇଥିବା ବେଳେ ବିଭିନ୍ନ ସମୟରେ ଓଡିଶା ମଧ୍ୟକୁ ଆସି ଏଟିଏମଗୁଡିକୁ ଟାର୍ଗେଟ କରୁଥିଲେ । ଲୁଟପାଟ କରିବା ପରେ ସେମାନେ ନିଜ ରାଜ୍ୟକୁ ପଳାଇଯାଉଥିଲେ । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୮ ଲକ୍ଷ ୨୭ ହଜାରରୁ ଉଦ୍ଧ୍ୱର୍ ଟଙ୍କା ସହ ଟିପ୍ପର ଗାଡି, କାର, ମୋବାଇଲ ଏବଂ ଲୁଟ ପାଇଁ ବ୍ୟବହାର କରୁଥିବା ବିଭିନ୍ନ ଜିନିଷ ଜବତ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ହରିୟାଣା ରାଜ୍ୟ ନୁହୁ ଜିଲ୍ଲା ରିଠାଟ ଗ୍ରାମର ରଫିକ ଖାନ ଓରଫ ଧୁଷା(୩୫), ପଲଡି ଗ୍ରାମର ସଦାମ ମଜିଦ ହୁସେନ(୩୨), ରାଜସ୍ଥାନ ରାଜ୍ୟ ଅଲୱାର ଜିଲ୍ଳା ଅଲୱାଡା ଗ୍ରାମର ଅସଲାମ ମହମ୍ମଦ(୩୫), କରୋଲି ଜାଗିର ଗ୍ରାମର ମହମ୍ମଦ ନାସିର(୪୫) ବୋଲି ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏସପି ଅଭିନବ ସୋନକର ସୂଚନା ଦେଇଛନ୍ତି । ଏଟିଏମରୁ ୮ଲକ୍ଷ ୯୬ ହଜାର ଟଙ୍କା ଲୁଟ ହୋଇଥିବାର ପୁଲିସ କହିଛି । ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏସପି ଅଭିନବ ସୋନକରଙ୍କ ତତ୍ତ୍ୱାବଧାନରେ ଏସଡିପିଓ ବିଭୂତି ମହାପାତ୍ରଙ୍କ ନେତୃତ୍ୱରେ ଟାଉନ ଥାନା ଅଧିକାରୀ ପ୍ରଭାତ ସାହୁ, ସଦର ଥାନା ଅଧିକାରୀ ଦୀପକ ଲେଙ୍କା, ମୋଟଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ପ୍ରମୁଖଙ୍କୁ ନେଇ ଗଠିତ ୨ ଟି ଦଳ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସେମାନଙ୍କୁ ପଚରାଉଚରା ପରେ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଚଂଳରେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ କରିଥିବା ସ୍ୱୀକାର କରିଛନ୍ତି । ଏମାନଙ୍କ ନାମରେ ସମ୍ବଲପୁର ଜିଲ୍ଳା ଅଇଁଠାପଲ୍ଲି ଥାନାରେ ୨ଟି, ତେଲକୋଇ ଥାନାରେ ୧ଟି, କେନ୍ଦୁଝର ଜିଲ୍ଳାର ଘସିପୁରା ଥାନାରେ ୨ଟି, ଜୋଡା ଥାନାରେ ଗୋଟିଏ ଏବଂ ଢେଙ୍କାନାଳ ଜିଲ୍ଲାର ସଦର, ତୁମୁସିଙ୍ଗା, ମୋଟଙ୍ଗା ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି ବୋଲି ପୁଲିସ୍ କହିଛି ।