ଲୁଟ ଘଟଣାରେ ୪ ଗିରଫ
ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୀମିଳା ଛକ ନିକଟରୁ ବନ୍ଧୁକ, ଭୁଜାଲି, ଖଣ୍ଡା ଦେଖାଇ ଭୟଭୀତ କରି ଜଣେ ଯୁବକଙ୍କ ନିକଟରୁ ୪୦ ହଜାର ଟଙ୍କା ଲୁଟ ଘଟଣାରେ ପୁଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁସାରେ ଗତ ୧୪ ତାରିଖରେ ଗୋବିନ୍ଦପୁର ଗ୍ରାମର ପ୍ରଦୀପ ମଳିକ ନୂଆ ବାଇକ କିଣିବା ପାଇଁ ୪୦ ହଜାର ଟଙ୍କା ନେଇ ତାଙ୍କ ସାଙ୍ଗ ବାଇକରେ ବାଲେଶ୍ୱର ଯାଉଥିଲେ । ଏହି ସମୟରେ ଅସୀମିଳା ଛକ ନିକଟରେ ଦୁଇଟି ବାଇକରେ ଛଅ ଜଣ ଯୁବକ ହାତରେ ଖଣ୍ଡା, ଭୁଜାଲି ଏବଂ ବନ୍ଧୁକ ଧରି ତାଙ୍କ ବାଇକକୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରଦୀପ ନିକଟରେ ଥିବା ୪୦ ହଜାର ଟଙ୍କା, ମୋବାଇଲ ଏବଂ ତାଙ୍କ ବାଇକ ଚାବି ନେଇ ଫେରାର ହୋଇଯାଇଥିଲେ । ଫଳରେ ପ୍ରଦୀପ ଏବଂ ତାଙ୍କ ସାଙ୍ଗ ସେଠାରୁ ଆସି ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୨୯୦/୨୫ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ପୁଲିସ ଗତକାଲି ରାତିରେ ଅଙ୍କ ବରହମପୁର ସରୋଜ ଜେନା (୨୬) ରାହୁଲ ଜେନା ( ୨୪ ), ପଥରପେଣ୍ଠ ଗ୍ରାମର ଶିବା ମଲିକ (୨୮) ଏବଂ ଅନିଲ ବେହେରା (୨୪)କୁ ପୁଲିସ ଗିରଫ କରିଛି । ପୁଲିସ ସେମାନଙ୍କ ନିକଟରୁ ଲୁଟରେ ବ୍ୟବହୃତ ଦୁଇଟି ବାଇକ, ଭୁଜାଲି ଗୋଟିଏ ଏବଂ ୮ ହଜାର ସାତ ଶହ ଟଙ୍କା ଜବତ କରି ମଧ୍ୟାହ୍ନରେ ସୋର ମେଡିକାଲରେ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।