ମା’ ସାହାଡ଼ାଶୁଣୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍ୟାପିତ
ତିହିଡି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୋହ୍ଲସ୍ଥିତ ମା’ ସାହାଡ଼ାଶୁଣୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍ୟାପିତ ହୋଇଯାଇଛି । ଏହି ଉପଲକ୍ଷେ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ସେମାବାର ରାତିରେ ହଜାର ହଜାର ଭକ୍ତଙ୍କ ଗହଣରେ ସମାପନ ହୋଇଯାଇଛି । ଶନିବାର ମହିଳାମାନଙ୍କ ଦ୍ୱାରା କଳସ ବୁଡ଼ା ଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ମଣ୍ଡଳାଧି ପୂଜା କରାଯାଇ ଅଗ୍ନି ସ୍ଥାପନ କରାଯାଇଥିଲା । କର୍ତ୍ତା ଭାବେ ସନାତନ ମାଝୀ ଥିବା ବେଳେ ବ୍ରାହ୍ମଣ ଭାବେ ପଣ୍ଡିତ ଅନିରୁଦ୍ଧ ପାଣି, ସଦାନନ୍ଦ ପାଣି, ନିରଂଜନ ପାଣି, ମଙ୍ଗରାଜ ପାଣି ଓ ରବିନ୍ଦ୍ର ଦାଶ ଯଜ୍ଞକାର୍ଯ୍ୟ ସମାପନ କରିଥିଲେ । ରବିବାର ଶିଖର ସ୍ନାନ ପରେ ଶ୍ରୀଗଣେଶ, କାର୍ତ୍ତିକ ପ୍ରମୁଖ ପାଶ୍ୱର୍ ଦେବତାଙ୍କୁ ମନ୍ଦିର ପ୍ରବେଶ କରା ଯାଇଥିଲା । ପୂର୍ଣ୍ଣାହୁତି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ବଳରାମ ସେନାପତିଙ୍କ ରଚିତ ‘ମା’ ସାହାଡ଼ାଶୁଣୀଙ୍କ ମହିମା’ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ମା’ ସାହାଡ଼ାଶୁଣୀଙ୍କର ଅପୂର୍ବ ମହିମା ରହିଛି । ମା’ଙ୍କ ଗାଧୁଆ ହଳଦୀ ପାଣିରେ ଦୁରାରୋଗ ଆରୋଗ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବିଶେଷ କରି ଛୋଟ ପିଲାମାନେ ରୁଗ୍ଣ ହେଲେ ସେମାନଙ୍କୁ ମା’ ସାହାଡ଼ାଶୁଣୀଙ୍କ ଗାଧୁଆ ହଳଦୀ ପାଣି ପକାଇଥାନ୍ତି । ଗୁରୁବାର ମା’ଙ୍କ ପୀଠରେ ଯାତ୍ରା ଲାଗିଥାଏ । ସେହିଦିନ ମା’ଙ୍କ ଗାଧୁଆ ହଳଦୀ ପାଣି ପକାଇବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ଜିଲା ଓ ଜିଲା ବାହାରୁ ଶ୍ରଦ୍ଧାଳୁମାନେ ଆସି ମା’ଙ୍କ ଗାଧୁଆ ହଳଦୀ ପାଣି ପକାଇଥାନ୍ତି । ମାସର ପ୍ରଥମ ଗୁରୁବାର ମା’ଙ୍କ ଗାଧୁଆ ହଳଦୀପାଣି ପକାଇଲେ ମାସ ଶେଷ ଗୁରୁବାର ପର୍ଯ୍ୟନ୍ତ ପିଲାମାନଙ୍କୁ ମା’ଙ୍କ ଗାଧୁଆ ପାଣି ପକାଇବା ପ୍ରଥା ରହିଛି ବୋଲି ଜଣାପଡ଼ିଛି । ସରପଞ୍ଚ କୈଳାସ ପରିଡ଼ା, ଗ୍ରାମବାସୀ ବଳରାମ ସେନାପତି, ଭଗବାନ ସାହୁ, କାହ୍ନୁ ଚରଣ ସେନାପତି, ହୃଦାନନ୍ଦ ପରିଡ଼ା, କମଳାକାନ୍ତ ମାଝୀ, ରଘୁନାଥ ମାଝୀ, ଶିବାନୀ ମାଝୀ, କାର୍ତ୍ତିକ ମାଝୀ, ନିରଂଜନ ମାଝୀ, ଗଣେଶ ମାଝୀ, ଦୀନବନ୍ଧୁ ମାଝୀ, ପ୍ରଦୀପ ମାଝୀ, ଭାଗିରଥି ମାଝୀ, କୃପାସିନ୍ଧୁ ମାଝୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।