ବିଧାୟକ ପ୍ରଚେଷ୍ଟାରେ କୁନିଝିଅର ସଫଳ ଅସ୍ତ୍ରୋପଚାର

ବେତନଟୀ: ବେତନଟୀ ଥାନା ୧୮ନମ୍ବର ଜାତୀୟ ରାଜପଥ ବେତନଟୀ ସ୍ଥିତ ତୁଳସୀଚଉରା ଠାରେ ଗତ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଦ୍ରୁତଗାମୀ ମୋଟରସାଇକେଲ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱସ୍ଥ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଜନୈକା ୮ବର୍ଷର ଶିଶୁକନ୍ୟାର ବାମ ଗୋଡ଼ ଛିଣ୍ଡି ଯାଇ ଶରୀରରୁ ଅଲଗା ହୋଇଯାଇଥିଲା । ତେବେ ବଡ଼ସାହି ବିଧାୟକ ଓ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ପ୍ରଚେଷ୍ଟାରେ ୮ ବର୍ଷର କୁନି ଝିଅଟି ତାର ଗୋଡ ଫେରି ପାଇଛି ।
ଘଟଣାରୁ ପ୍ରକାଶ, ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ ସ୍ଥିତ କରଞ୍ଜିଆ ଗ୍ରାମର ଯୁବକ ରଜ ସିଂ ଓଡି -୧୧ଭି -୬୧୮୦ନମ୍ବର ବିଶିଷ୍ଟ ବାଇକ ଯୋଗେ ଗ୍ରାମର ମମତା ସିଂ(୨୫), ତପନୀ ସିଂ(୨୨) ଏବଂ ୮ବର୍ଷର ଶିଶୁକନ୍ୟା ବୈଷ୍ଣବୀ ସିଂଙ୍କୁ ନେଇ ଦ୍ରୁତଗତିରେ ବେତନଟୀ ଅଭିମୁଖେ ଆସୁଥିଲେ । କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱସ୍ଥ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ି ସାମ୍ନାରେ ବସିଥିବା ବୈଷ୍ଣବୀଙ୍କ ବାମଗୋଡ଼ ଛିଣ୍ଡିଯାଇ ଶରୀରରୁ ଅଲଗା ହୋଇଯାଇଥିଲା । ଏଥିରେ ଚାଳକ ରଜ ସିଂଙ୍କ ସମେତ ମମତା ଓ ତପନୀ ମଧ୍ୟ ଗୁରୁତର ହୋଇଥିଲେ । ବେତନଟୀ ପୁଲିସ ଓ ସମାଜସେବୀ ସୁଜିତ୍ ବେହେରା, ପ୍ରଦୀପ ମହାପାତ୍ର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ବେତନଟୀ ମଣ୍ଡଳ ସଭାପତି ଜୀବନ ପରିଡ଼ା ବେତନଟୀ ଡାକ୍ତରଖାନାରେ ପହଞ୍ଚିଥିଲେ । ୮ ବର୍ଷର ଶିଶୁ କନ୍ୟା ବୈଷ୍ଣବୀଙ୍କ ଗୋଡ଼ଟି କେମିତି ସଫଳ ଅସ୍ତ୍ରୋପଚାର ହୋଇ ପାରିବ, ସେ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ୧୦୮ଯୋଗେ କଟକ ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ୧୦୮ର ଡ୍ରାଇଭର ଶିବାଶିଷ ୩ ଘଣ୍ଟାରେ ଡାକ୍ତରଖାନା ପହଞ୍ଚାଇ ପାରିଥିବାରୁ ବୈଷ୍ଣବୀର ଗୋଡ଼ଟି ସଫଳ ଅସ୍ତ୍ରୋପଚାର ହୋଇପାରିଛି ବୋଲି ଜଣାପଡିଛି । ବିଧାୟକ ଓ ୧୦୮ର ଆମ୍ବୁଲାନ୍ସ ଡ୍ରାଇଭର ପ୍ରଚେଷ୍ଟାରେ ବୈଷ୍ଣବୀ ତାର ଗୋଡ ପାଇପାରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଏପଟେ ଗୁରୁତର ରଜ, ମମତା ଓ ତପନୀଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ବେତନଟୀ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ନିଜ ହେପାଜତକୁ ନେଇଛି ।