ଥାନା ପାଶ୍ୱର୍ରୁ ଚୋରି; କାନ୍ଥ କଣାକରି ୮୦ଲକ୍ଷର ମୋବାଇଲ ଲୁଟ୍
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବଜାର ପେଣ୍ଠସ୍ଥଳୀ ମା’ତାରେଣୀ ମୋବାଇଲ ପଏଣ୍ଟ ଦୋକାନରୁ ଗତ ଶୁକ୍ରବାର ରାତ୍ରରେ ୮୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୁର୍ତ୍ତମାନେ ଦୋକାନ ପଛପଟ କାନ୍ଥ କଣାକରି ଲୁଟିବାକୁ ସକ୍ଷମ ହୋଇଛନ୍ତି । ମୋବାଇଲ ଦୋକାନୀ ବିଭୁଦତ୍ତ କର ଶୁକ୍ରବାର ରାତ୍ର ୧୦ଟାରେ ଦୋକାନ ବନ୍ଦ କରି କୋଳିଗଡିଆ ଘରକୁ ଯାଇଥିଲେ ।
ଶନିବାର ସକାଳ ୮ଟାରେ ଦୋକାନ ଖୋଲିଥିଲେ । ଦୋକନ ପଛପଟ କାନ୍ଥ କଣା ହୋଇଥିବା ଓ ଦୋକାନ ଭିତରେ ମୋବାଇଲ ଖୋଳଗୁଡିକ ବିକ୍ଷିପ୍ତ ଭାବେ ପଡିଥିବାରୁ ଚୋରି ହୋଇଥିବା ଜାଣି ଥାନାରେ ସଙ୍ଗେ ସଙ୍ଗେ ଅଭିଯୋଗ କରିଥିଲେ । ପୁଲିସ ୨୭୮/୨୫ନଂ ମାମଲା ରୁଜୁ କରି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । କୁକୁର ଇସାରା ଆଧାରରେ ଜଣେ ସନ୍ଦିଗ୍ଧକୁ ଥାନାରେ ଅଟକ ରଖାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ମଞ୍ଜୁରୀରୋଡ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଦେବରାଜ ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି । ସଂପୃକ୍ତ ମୋବାଇଲ ଦୋକନର ସିସିଟିଭିର ଗୋଟିଏ ହାଡଡିସ୍କକୁ ଦୁର୍ବୃତ୍ତମାନେ ନେଇଯାଇଥିବା ବେଳେ ଅନ୍ୟଟି ରହିଯାଇଛି । ପୁଲିସ ଜବତ କରିଥିବା ହାଡଡିସ୍କର ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ ପରିସରକୁ ଆଗକୁ ବଢାଇଛି । ସଂପୃକ୍ତ ମୋବାଇଲ ଦୋକନା ପଛପଟେ ‘ଯ’ ନାଳ ରହିଛି । ‘ଯ’ ନାଳ ପାଶ୍ୱର୍ରେ ହାଇସ୍କୁଲ, ବିଇଓ, ସବରେଜେଷ୍ଟି୍ର ଅଫିସ ଓ ଥାନା ରହିଛି । ବଜାରରେ ୪ଜଣ ପୁଲିସ କର୍ମଚାରୀ ରାତ୍ରକାଳୀନ ଜଗୁଆଳି ଭାବେ ମୁତୟନ ହୋଇଥାନ୍ତି । ଏପରି ସ୍ଥଳେ ବଜାର ମଧ୍ୟସ୍ଥ ଏକ ଦୋକନରୁ ଚୋରି ହେବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବ୍ୟବସାୟୀ ଓ ଲୋକେ । ଭଣ୍ଡାରିପୋଖରୀ ବଜାର ଓ ଥାନା ସମ୍ମୁଖରୁ ଚୋରି ହେବା ପୁଲିସର ଦେହସୁହା ହୋଇଗଲାଣି । ଗତ ମାର୍ଚ୍ଚ ୮ ତାରିଖରେ ଥାନା ସମ୍ମୁଖ ତେଜରାତି ଦୋକନରୁ ବିପୁଳ ଚୋରି ହୋଇଥିବା ଜଳଧର ରାଉତଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ମାତ୍ର ଏଥିପ୍ରତି ପୁଲିସ ଗୁରୁତ୍ୱ ଦେଇନଥିଲା କି ମାମଲା ରୁଜୁ କରିନଥିଲା । ପୁଲିସର ଅପାରଗତାକୁ ସବୁ ମହଲରେ କଟୁ ସମାଲୋଚନା କରାଯାଇଛି । ଥାନାରେ ୨ ଜଣ ପୁରୁଖା ସବଇନିସପେକ୍ଟର ଥିବା ବେଳେ ଏହି ସ୍ପର୍ଶକାତର ମାମଲାର ତଦନ୍ତ ପାଇଁ ଥାନାଧିକାରୀ କାହିଁକି ସେମାନଙ୍କ ଉପରେ ଭରସା ରଖିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି । ପୁଲିସ ଉପରୁ ଜନସାଧାରଣ ଭାସା ତୁଟାଉଥିବା ବେଳେ ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ଦକ୍ଷତା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ ହୋଇଛି ।