୧୦ ଲକ୍ଷ ଟଙ୍କାର ମଦ ଲୁଟ

 ବୈଶିଙ୍ଗା : ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ଗଡଦେଉଳିଆ ଠାରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦଦୋକାନ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ ଧରଣର ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି । ବେତନଟୀ ବ୍ଲକ ରଘୁପୁର ପଞ୍ଚାୟତର ଦିଗାନଗର ଗ୍ରାମର ସର୍ବେଶ୍ୱର ଦାସଙ୍କ ନାମରେ ଥିବା ମଦଦୋକାନର ଲୁହା ସର୍ଟର ଭାଙ୍ଗି ପାଖାପାଖି ୬୦ କାର୍ଟୁନ୍ ମଦ ଚୋରି ହୋଇଯାଇଥିବା ବେଳେ ଦୋକାନର ଚତୁର୍ପାର୍ଶ୍ୱରେ ସିସି କ୍ୟାମେରା ଲାଗିଥିଲେ ହେଁ ଏହାର ହାର୍ଡଡିସ୍କକୁ ମଧ୍ୟ ତାଡ଼ି ନେଇଯାଇଥିବା ଦେଖିବାକୁ ମିଳିଛି । ଖବରପାଇ ବୈଶିଙ୍ଗା ପୁଲିସ ଓ ବାରିପଦାରୁ ଆସିଥିବା ଫରେନସିକ୍ ଟିମ୍ ସହିତ ଡଗ୍ ସ୍କ୍ୱାର୍ଡ ଘଟଣାର ଛାନଭିନ୍ ଚଳାଇଛନ୍ତି । ଦୁବୁର୍ତ୍ତମାନେ ଖୁବ୍ କୌଶଳପୂର୍ଣ୍ଣ ଉପାୟରେ ଏହି ଲୁଟ ଘଟାଇ କୈାଣସି ସୁରାକ ଛାଡିନଥିବା ଜଣାପଡିଛି  । ଏହି ଅପରାଧୀ ଦଳ ଆନ୍ତଃରାଜ୍ୟ ର୍ୟାକେଟ ହୋଇଥାଇପାରେ ବୋଲି ଥାନାଧିକାରୀ ବାରିଣୀ ଦାସ ମତ ଦେଇଛନ୍ତି । ଗଡଦେଉଳିଆ ସଂଲଗ୍ନ କଳମା ପଞ୍ଚାୟତର ସଂଖ୍ୟା ଲଘୁ ବସ୍ତିରେ ଇଦ ପାଳନରେ ବୈଶିଙ୍ଗା ପୁଲିସ ସମେତ ୪ପ୍ଲାଟୁନ ଫୋର୍ସ ମୁତୟନ ରହିଥିବା ବେଳେ ଲୁଟେରା ମାନେ ଏହାର ସୁଯୋଗ ନେଇ ଲୁଟ୍ କାର୍ଯ୍ୟ ଅନାୟାସରେ କରିଥିବା ଆଶା କରାଯାଉଛି  । ଖୁବ୍ ଶୀଘ୍ର ଏହି ଚୋର ଗ୍ୟାଙ୍ଗକୁ ଠାବ କରାଯିବା ବୋଲି ଆନାଧିକାରୀ ପ୍ରକାଶ କରିଛନ୍ତି  ।