ରଙ୍ଗ ନମ୍ବରରୁ ପ୍ରେମ, ପରେ ବିବାହ ତା ପରେ ଧୋକା  : ପୁଅ ଝିଅଙ୍କୁ ଫେରି ପାଇବାକୁ ମା'ର ଆକୁଳ ନିବେଦନ

 ଧାମନଗର: ରଙ୍ଗ ନମ୍ବରରୁ ପ୍ରେମ ତାପରେ ପ୍ରେମ ବିବାହ  । କିଛି ଦିନ ଭଲରେ କଟିବା ପରେ ହୁଏ ନିର୍ଯାତନା । ସ୍ୱାମୀ ପୁଣି ଅନ୍ୟ ଆଡ଼େ ଜଣେ ମହିଳାଙ୍କୁ ବିବାହ କରି ନିର୍ଯାତନା ଦିଅନ୍ତି ପ୍ରଥମ ସ୍ତ୍ରୀକୁ । ଏମିତି ଏକ ଘଟଣା ଘଟିଛି ଧାମନଗର ଥାନା ଅଞ୍ଚଳରେ । 
୨୦୧୪ ମସିହାରେ ବଅରପାଳ ଅଂଚଳର ସିଲି ଅମାନ୍ତ (୩୨) ଧାମନଗର ଥାନା ଅନ୍ତର୍ଗତ ଖଡ଼ିପଦା ପଞ୍ଚାୟତ ଦକ୍ଷିଣକୁରୁଆ ଗ୍ରାମର ଅକ୍ଷୟ କୁମାର ଯେନାଙ୍କ ପୁଅ ଅନନ୍ତ କୁମାର ଯେନାଙ୍କୁ ପ୍ରେମ ବିବାହ କରିଥିଲେ । ମିସକଲରୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ବିବାହରେ ପରି ସମାପ୍ତି ଘଟିଥିଲା । ଦୁହିଁଙ୍କ ବୈବାହିକ ଜୀବନ ସୁଖମୟ ଥିଲା । ମାତ୍ର ସଂଯୁକ୍ତା ଦାସଙ୍କ ସହ ଅନନ୍ତଙ୍କ ଅନୈତିକ ସମ୍ପର୍କ ପରେ ଆରମ୍ଭ ହୋଇଥିଲା ଅଶାନ୍ତି ଝଡ । ପରେ ସିଲିଙ୍କ ଉପରେ ହୋଇଥିଲା ଶାରୀରିକ ନିର୍ଯ୍ୟାତନା । ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ସିଲି । ଧାମନଗର ଥାନା କେସ ନଂ ୩୮୯/୨୩ ଆଇପିସି ଦଫା ୪୯୮(କ), ୨୯୪, ୩୨୩ ଓ ୫୦୬ ରେ ମାମଲା ରୁଜୁ ହୋଇଥିବା ବେଳେ ଅନନ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ଧାମନଗର ପୁଲିସ । ଜେଲରୁ ବେଲ୍ରେ ମୁକୁଳିବା ପରେ ଅନନ୍ତ ସେହି ରାଗରେ ବାରମ୍ବାର ସିଲିକୁ ନିର୍ଯାତନା ଦେଇ ଆସୁଥିଲେ । ବାଧ୍ୟ ହୋଇ ନିଜର ଚାରି ବର୍ଷର ପୁଅକୁ ନେଇ ସିଲି ବାପ ଘରେ ରହୁଥିଲେ । ୯ ବର୍ଷର ଝିଅ ବାପାଙ୍କ ନିକଟର ରହୁ ଥିଲା । ତେବେ ଚାରିଦିନ ତଳେ ସିଲି ନିଜର ପୁଅକୁ ଧରି ଶାଶୂ ଘର କିଛି ଦରକାରୀ କାଗଜ ପତ୍ର ଆଣିବାକୁ ଯାଇଥିବା ବେଳେ ୪ ବର୍ଷ ର ପୁଅକୁ ଜବରଦସ୍ତ ଛଡ଼ାଇ ନେଇ ଲୁଚାଇ ଦେଲେ ଏବଂ ମାଡ଼ ଗାଳି ଦେଲେ । ଏ ନେଇ ସିଲି  ୧୫/୧୨/୨୦୨୪ ରେ  ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଧାମନଗର ଥାନା ଆଇଆଇସି ଫଣିନ୍ଦ୍ର ଭୂଷଣ ନାଏକ କେସ ନଂ ୫୪୪/୨୪ ଭାରତୀୟ ନ୍ୟାୟ ସଂହିତା ଦଫା ୮୫,୧୧୫,୧୨୭ (ଖ) ରେ ମାମଲା ରୁଜୁ କରିବା ସହ  ଘଟଣାର ତଦନ୍ତ କରୁଛନ୍ତି । ମାତ୍ର ଘଟଣାକୁ ୪ ଦିନ ପୁରିବାକୁ ବସିଥିବା ବେଳେ ସିଲିଙ୍କ ମାତୃ ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଛି । ମୋତେ ପଛେ ଛାଡ଼ପତ୍ର ଦେଇ ତାଙ୍କ ସ୍ୱାମୀ ଅନନ୍ତ ସଂଯୁକ୍ତା ସାଙ୍ଗରେ ରୁହନ୍ତୁ ମାତ୍ର ମୋ ପୁଅ ଝିଅଙ୍କୁ ଫେରାଇ ଦେବାକୁ ଥାନା ବାବୁଙ୍କୁ ନିବେଦନ କରିଛନ୍ତି ସିଲି । ତେବେ ପୁଲିସ ମଧ୍ୟ ଘଟଣା ସ୍ଥଳକୁ ଯାଇ ଥିଲେ ମଧ୍ୟ ଘରେ କେହି ନଥିବାରୁ ପୁଲିସ ଖାଲି ହାତରେ ଫେରି ଥିଲେ । ଏପଟେ ପୁଅ ଝିଅକୁ ନପାଇ ଥାନରେ ବସି ଆଖିରୁ ଲୁହ ଗଡାଉଛନ୍ତି  ।