ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୀପାବଳୀ ନିତୀ ଚୂଡାନ୍ତ, ରାତ୍ର ୯ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ
ଭଦ୍ରକ:- ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଦୀପାବଳୀରେ ମନ୍ଦିରଚୂଡାକୁ ଉଠିବ ମହାଦୀପ । ଏଥିପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଛି ନୀତି ତାଲିକା । ପବିତ୍ର ଦୀପାବଳି ଉତ୍ସବ ଦିନ ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବବସ୍ତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯିବ । ସକାଳ ୯ଟାରେ ପହଡଖିଆ ଅନ୍ନନୀତି, ମଧ୍ୟାହ୍ନ ୧ଟାରେ ଯୋଗୀବେଶ ଓ ବଡନୀତି, ୧ଘଂଟା ଅବକାଶ(ଶୟନ) ନୀତି ସମ୍ପନ୍ନ ହେବା ପରେ ଦୀପାବଳି ନୀତି ନିମନ୍ତେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ସଂଧ୍ୟାରେ ଭକ୍ତମାନଙ୍କ ଦ୍ୱାରା ହଜାରହଜାର ଦୀପ ପ୍ରଜ୍ୱଳନ କରାଯିବ । ସନ୍ଧ୍ୟା ୭ଟାରେ ମହାଦୀପ ପ୍ରସ୍ତୁତି କରାଯାଇ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଓ ଅଗ୍ନି ସଂଯୋଗ କରାଯିବା ପରେ ରାତ୍ର ୯ଟାରେ ମନ୍ଦିର ବେଢା ପରିକ୍ରମା କରାଯାଇ ମନ୍ଦିର ଚୂଡାରେ ସ୍ଥାପନ କରାଯିବ ।