ବଢୁଛି ବେଆଇନ ବାଲି ଚାଲାଣ, ଟ୍ରାକ୍ଟର ଜବତ

ଆସିକା: ଆସିକା ତହସିଲ ଅଞ୍ଚଳରେ  ବଢୁଛି ବେଆଇନ୍ ବାଲି ଚାଲାଣ । ପ୍ରଶାସନକୁ ଖାତିର ନ କରି ବାଲି ମାଫିଆମାନେ ବେଆଇନ ବାଲି ଚାଲାଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଆସିକା ତହସିଲ ଅଞ୍ଚଳରେ ଅନେକ ଦିନ ହେଲା ସୈରତ ନ ଥିବା ସ୍ଥାନମାନଙ୍କରେ ଜୋରଜାର ରାତିଅଧିଆ ବାଲି ଉଠାଣ ଚଳାଇଛନ୍ତି । ତହସିଲଦାରଙ୍କ ଫାଇନ ଏବଂ ପୋଲିସର କେସକୁ ଖାତିର ନ କରି ବାଲି ବେପାରୀମାନେ ଟ୍ରାକ୍ଟର, ହାଇୱା, ଟ୍ରକ ଯୋଗେ ଯେନତେନ ପ୍ରକାରରେ ବାଲି ନେଇ କଳାବଜାରୀ କରି ମାଲାମାଲ ହେବାକୁ ଲାଗି ପଡିଛନ୍ତି । ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ତହସିଲଦାରଙ୍କ ଦ୍ୱାରା ଦୁଇଟି ବେଆଇନ ବାଲି ଉତ୍ତୋଳନ ସ୍ଥାନରେ ରଙ୍ଗ ବାନା ପୋତି ୧୪୪ ଧାରା ଲାଗିଲା ପରେ ମଧ୍ୟ ବେପାରୀ ଏବଂ ଗାଡି ମାଲିକମାନେ ବଡ଼ନଦୀ ଓ ଋଷିକୂଲ୍ୟା ନଦୀର କେଉଁଠି ନା କେଉଁଠି ସ୍ଥାନରୁ ବାଲି ଉଠାଇବାରେ ଲାଗିପଡିଛନ୍ତି । ନୂତନ ଭାବେ ଆସିକାରେ ତହସିଲଦାର ଭାବେ ଯୋଗ ଦେଇଥିବା ସଂଗୀତା ସେନ ନିଜ ରାଜସ୍ୱ ସୁପରଭାଇଜର, ରାଜସ୍ୱ ନିରୀକ୍ଷକ ଓ ସ୍ଥାନୀୟ ପୋଲିସ ସହାୟତାରେ ରାତିଦିନ ଏକ କରି ବେଆଇନ ବାଲି ଚାଲାଣକୁ ଗୋଡ଼ାଇ ଗୋଡ଼ାଇ ଧରୁଛନ୍ତି । ସେହିକ୍ରମରେ ଗତକାଲି ଦୁଇଟି ଗାଡିକୁ ଧରି ପୋଲିସକୁ ଜିମା ଦେଇଥିବା ବେଳେ ଆଜି ସକାଳେ ବିଶେଷ ସୂତ୍ରକୁ ଖବର ପାଇ ନିରାଳ -ପଥରା ରାସ୍ତାରେ ଗୋଟିଏ ଟ୍ରାକ୍ଟରକୁ ଅଟକାଇ କାଗଜ ପତ୍ର ଯାଞ୍ଚ ବେଳେ ବେଆଇନ ବୋଲି ଧରାପଡ଼ିଥିଲା । ଉକ୍ତ ଟ୍ରାକ୍ଟରର ଡ୍ରାଇଭର ଏବଂ ମାଲିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଏ ନେଇ ଆସିକା ତହସିଲଦାର ସଂଗୀତା ସେନକୁ ପଚାରିବାରୁ ସମସ୍ତ ବେଆଇନ ବାଲିଘାଟ ଉପରେ ନଜର ରଖାଯାଇଛି । ବାଲି ଚୋରା ଚାଲାଣକୁ ବରଖାସ୍ତ କରାଯିବ ନାହିଁ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  କହିଛନ୍ତି ।