ମହାଶକ୍ତି ଦେବୀ ମା’ଦୁର୍ଗା

ଡକ୍ଟର ଲକ୍ଷ୍ମଣ ସାହୁ : ମହାଶକ୍ତି ଦେବୀ ମା' ଦୁର୍ଗାଙ୍କ ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ମହାନନ୍ଦରେ ପାଳନ କରୁଥିବା ଏକ ବଡ଼ ଉସôବ । ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ହେଉଥିବାରୁ ଏହା ବିଜୟ ଦଶମୀ ବା ଦଶହରା ନାମରେ ନାମିତ । ‘ଦେବୀ ଭାଗବତ' ଓ ‘ସପ୍ତଶତୀ ଚଣ୍ଡୀ'ରେ ଉଲ୍ଲେଖ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନର୍ବାର ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସ୍ୱର୍ଗାଲୋକରେ ଯେତେବେଳେ ସମସ୍ତ ଦେବତା ମହିଷାସୁରର ଅତ୍ୟାଚାରରେ ସନ୍ତପ୍ତ ହୋଇ ବ୍ରହ୍ମାଙ୍କ ଶରଣ ନେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟାବୀଜ ଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ । ମହାଶକ୍ତି ମା’ ଦେବୀ ଦୁର୍ଗା ପ୍ରକଟିତା ହେଲେ । ଦୁର୍ଗାଙ୍କ ଆବିର୍ଭାବରେ ଦେବତାମାନେ ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ । ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଦୀର୍ଘ ସମୟ ଯୁଦ୍ଧ କଲାପରେ ଦେବୀ ତି୍ରଶୂଳ ଦ୍ୱାରା ମହିଷାର ହୃଦୟ ବିଦ୍ଧ କରି ଖଡ୍ଗଦ୍ୱାରା ତା'ର ଶିରଚ୍ଛେଦ କଲେ । ସେଦିନ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ବ୍ରାହ୍ମ ମୁହୂର୍ତ୍ତ । ତେଣୁ ସେହି ଦିନଠାରୁ ଦେବୀଙ୍କୁ ମହାଶକ୍ତି ରୂପେ ଆରାଧନା କରାଯାଉଛି । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ । ଫଳତଃ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟୋସôବ ବା ବିଜୟାଦଶମୀ ରୂପେ ପାଳିତ ହୋଇଥାଏ । ଦେବତାମାନଙ୍କ ଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।
ଭାରତରେ ପ୍ରତିବର୍ଷ ମହାଶକ୍ତି ଦେବୀ ଦୁର୍ଗାଙ୍କର ପୂଜା ଦୁଇଥର ଅନୁଷ୍ଠିତ ହୁଏ । ବିଶେଷ କରି ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଓ ଏହା ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜଗତ ତିଷ୍ଠି ରହି ନିଜର ଜୀବିକା ନିର୍ବାହ କରି ଆସୁଛି, ସେହି ମା' ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରିଥାଏ । ଏହା ଏକ ସାର୍ବଜନୀନ ପୂଜା ହୋଇଥିବାରୁ ଶାରଦୀୟ ଦେବୀପୂଜା ଭାବେ ଲୋକପ୍ରିୟତା ଲାଭ କରିଛି । କାରଣ ଏହି ପର୍ବ ଭାରତର ପୁରପଲ୍ଲୀର କୋଣ ଅଣୁ କୋଣରେ ଦଶହରା ପର୍ବରୂପେ ପାଳିତ ହୋଇଆସୁଛି । ଏହି ପର୍ବର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଦେବୀଙ୍କ ଉପାସନା କରିବା । ପ୍ରଥମରୁ ସୂଚେଇ ଦିଆଯାଇଛି ଯେ ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ତନ୍ମଧ୍ୟରୁ ଗୋଟିଏ ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ । ଜନ ବିଶ୍ୱାସ ରହିଛି ଯେ ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି । ତେଣୁ ଏହି ତିଥିକୁ ‘ଦଶବିଧ’ ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ମଧ୍ୟ ନାମିତ । ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ । ତାହା ଦୁର୍ଗାପୂଜାର ଅନ୍ତିମ ଦିବସ । ଭାରତରେ ଦଶହରା ସର୍ବଜନବିଦିତ ବଡ଼ ପର୍ବ ।
‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ନିମନ୍ତେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ମହାଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା । ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ଘଟିଲା । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା । ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି । ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତି ନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ ।
ଦେବୀ ମାହାତ୍ମ୍ୟ’ରେ ଉଲ୍ଲେଖ ଅଛି ‘ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଅପରପକ୍ଷରେ ଦେବୀପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ । ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମା’ ଦେବୀଙ୍କ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଜଗତଜନନୀଙ୍କୁ ବଳିଦାନର ବ୍ୟବସ୍ଥା ରହିଛି । ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦୁର୍ଗାପୂଜାରେ ମହାସ୍ନାନ ବଳି ଓ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ କୁହାଯାଏ ଯଦିଓ ଏହି ବଳି ଉଚ୍ଛେଦ କରାଯାଇଛି ।
ବିବିଧ କାରଣରୁ ଦଶହରା ପର୍ବ ପାଳିତ ହେଉଥିବାରୁ ଏହା ମହାନ ପାର୍ବଣରେ ପରିଣତ ହୋଇଛି । ଏହି ପର୍ବର ମହତ୍ତ୍ୱ ଉପରେ ଦେବୀ ପୁରାଣରେ ଉଲ୍ଲେଖ ଅଛି । ନିଜର ମନୋସ୍କାମନା ପୂରଣ ନିମନ୍ତେ ଏହା ଏକ ପବିତ୍ର ବ୍ରତ । ଏହି ବ୍ରତ ପାଳନ କଲେ ସିଦ୍ଧି ପ୍ରାପ୍ତ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି । କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଉପାସନା କରିବା ପାଇଁ ପରାମର୍ଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ମହାଶକ୍ତି ଦୁର୍ଗାଙ୍କୁ ଆରାଧନା କରିଥିଲେ । ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଡ୍ଗ ପୂଜା କରାଯାଏ । ଏପରିକି ଦଶହରା ଗୁରୁବାରରେ ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶା ବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କୁ ପୂଜା କରନ୍ତି । ଏହା ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦ୍ୟାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ । ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ଶକ୍ତିର ଆଧାର । ସେ ମହାବିଦ୍ୟା, ମହାମାୟା ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ ।
‘ଦେବୀ ଭାଗବତ' ଅନୁଯାୟୀ, ଲଙ୍କା ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ କ୍ରମେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଇଛା କଲେ । କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ) ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରାରେ ରହନ୍ତି । ତେଣୁ ବ୍ରହ୍ମାଙ୍କ ପରାମର୍ଶରେ ଶ୍ରୀରାମ କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବିଲ୍ୱବୃକ୍ଷ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ ବୋଧନ । ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀ ଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୟନ କଲେ । ଏହା ପରେ ଅଷ୍ଟମୀରେ ଶେଷ ଓ ନବମୀରେ ଆରମ୍ଭର ସନ୍ଧିକ୍ଷଣ ସମୟରେ ଶ୍ରୀରାମ ସନ୍ଧି ପୂଜା କଲେ । ଅଷ୍ଟମୀରେ ଚବିଶ ମିନିଟ୍ ଓ ନବମୀରେ ଚବିଶ ମିନିଟ୍, ଏହିପରି ମୋଟ ଅଠଚାଳିଶ ମିନିଟ୍ ଧରି ଦେବୀ ଚାମୁଣ୍ଡାଙ୍କର ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କ ଜାଗ୍ରତ ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ସେତେବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକାସାଙ୍ଗେ ଶହେଆଠ ନୀଳପଦ୍ମ ଅର୍ପଣ କରିଥିଲେ । ତେଣୁ ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ ।
ତେଣୁ ଉପସଂହାରରେ କୁହାଯାଇପାରେ ଏହା ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା ହେଉ, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା କେଉଁ ଆବହମାନ କାଳରୁ ପ୍ରଚଳିତ ହୋଇ ଆସୁଛି । ସଂପ୍ରତି ବିଭିନ୍ନ ଭାବରେ ମୂର୍ତ୍ତି ପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା କଦାପି ସମ୍ଭବ ହୋଇନାହିଁ । ଯଦିଓ ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୁଏ ନାହିଁ । କିନ୍ତୁ ଶରତକାଳୀନ ଦୁର୍ଗାପୂଜା ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଓ ତା’ର ବିଧାନ ପ୍ରାୟତଃ ସମାନ ।ଦକ୍ଷିଣ ଓଡ଼ିଶାରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ସେଠାରେ ମଧ୍ୟ ଘଟ ସ୍ଥାପନ ଓ ଘଟପୂଜା ଦେଖିବାକୁ ମିଳେ । ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି । ପରେ ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର ରହିଛି । ଓଡ଼ିଶାର ଅନେକ ସ୍ଥାନରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି ସହିତ ସିନ୍ଦୁର ଖେଳ/ ପ୍ରତିଯୋଗିତା କରିଥାନ୍ତି । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ହୋଇଥାଏ । ମହାଶକ୍ତି ମା' ଦୁର୍ଗାଙ୍କ ଆବାହନ, ଆରାଧନା ଓ ବିସର୍ଜନ ବାସ୍ତବରେ ଭାରତୀୟ ପରମ୍ପରାରେ ମାତୃଶକ୍ତିର ଏକ ମହାନ୍ ନିଦର୍ଶନ କହିଲେ ଅତୁ୍ୟକ୍ତି ହେବ ନାହିଁ..!!!
ମୋ: ୯୦୪୦ ୧୫୧୪୭୫
ଋଜ୍ଞବସକ୍ଷ : ଖବଙ୍ଘଜ୍ଞବଦ୍ଭଗ୍ଦବଷକ୍ଟକ୍ଟ୯୦୪୦ଅଶଜ୍ଞବସକ୍ଷ.ମକ୍ଟଜ୍ଞ