ନ୍ୟାୟିକ ସେବା ଓ ଅଭିଜ୍ଞତାର ଭୂମିକା
ସୂର୍ଯ୍ୟସ୍ନାତା ଦାସ : କିଛି ସପ୍ତାହ ପୂର୍ବେ ସର୍ବୋଚ୍ଚÿ ନ୍ୟାୟାଳୟ ଅଲ୍ ଇଣ୍ଡିଆ ଜଜେସ୍ ଆସୋସିଏନ ବନାମ ଭାରତ ସଂଘ ମାମଲାରେ ନ୍ୟାୟିକ ସେବା(ଜୁନିୟର ଡିଭିଜନ)ରେ ପ୍ରବେଶ ପାଇଁ ତିନି ବର୍ଷର ପୂର୍ବ ଅଭିଜ୍ଞତା ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ନେଇଛନ୍ତି । ନ୍ୟାୟିକ ସେବାରେ ପ୍ରବେଶ କରିବା ପାଇଁ କେବଳ ପୁସ୍ତକ ଜ୍ଞାନ ଯଥେଷ୍ଟ ନୁହେଁ,ଏବଂ ଅଭିଜ୍ଞତା ଏକାନ୍ତ ଆବଶ୍ୟକ ବୋଲି ନ୍ୟାୟାଳୟ ମନ୍ତବ୍ୟ ଦେଇଥିବା ବେଳେ ଆଇନଜୀବୀ ମହଲରେ ନିଷ୍ପତ୍ତିର ସମାଲୋଚନା ଚାଲିଛି । କିଛି ବୁଦ୍ଧିଜୀବୀ ଏ ନିଷ୍ପତ୍ତିକୁ ବିରୋଧ କରୁଥିବା ବେଳେ କିଛି ଏହାର ସ୍ୱାଗତ କରୁଛନ୍ତି ।ତେବେ ପ୍ରଶ୍ନ ଉଠେ ସତରେ କଣ ନ୍ୟାୟିକ ସେବା ପାଇଁ ପୂର୍ବ ଅଭିଜ୍ଞତା ଆବଶ୍ୟକ ଏବଂ ଯଦି ପ୍ରକୃତରେ ଆବଶ୍ୟକ ,ତେବେ ପୂର୍ବରୁ କାହିଁକି ସୁପ୍ରିମକୋର୍ଟ ନିଜେ ଏହାର ଉଚ୍ଛେଦ କରିଥିଲେ ଏବଂ ବର୍ତ୍ତମାନ ପୁନଶ୍ଚ କାହିଁକି ଏହାକୁ ପୁନଃସ୍ଥାପନ କରୁଛନ୍ତି । ଏହାକୁ ବୁଝିବା ପାଇଁ ହେଲେ ଆମକୁ ଏହାର ଅତୀତକୁ ଦେଖିବାକୁ ପଡିବ ।
୧୯୫୮ରେ ଆସିଥିବା ୧୪ତମ ଲ' କମିଶନ୍ ରିପୋର୍ଟରେ ନ୍ୟାୟିକ ସେବା(ଜୁନିଅର ଡିଭିଜନରେ) ପ୍ରବେଶ କରିବା ପାଇଁ ସର୍ବନିମ୍ନ ୩ ବର୍ଷର ଆବଶ୍ୟକତା ବାଧ୍ୟତାମୂଳକ ହେବା ଉଚିତ୍ ବୋଲି ଦର୍ଶାଯାଇଥିଲା । ତେବେ ସେହି କମିଶନ୍ ନ୍ୟାୟିକ ସେବାର ଉଚ୍ଚ ଡିଭିଜନରେ ପ୍ରବେଶ କରିବା ପାଇଁ ଏକ ସର୍ବଭାରତୀୟ ନ୍ୟାୟିକ ପରୀକ୍ଷାର ପ୍ରସ୍ତାବ ଦେଇଥିଲା, ଯେଉଁଥିପାଇଁ ଅଭିଜ୍ଞତା ଆବଶ୍ୟକ ନଥିଲା । ମେଧାବୀ ଛାତ୍ରଛାତ୍ରୀଙ୍କର ବୟସ ନଷ୍ଟ ନକରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କର ଟ୍ରେନିଂ ସମୟର ଅବଧି ଅଧିକ କରାଯିବା ଉଚିତ ବୋଲି ରିପୋର୍ଟରେ ମତ ପ୍ରକାଶ ପାଇଥିଲା । ରିପୋର୍ଟରେ ଏହା କୁହାଯାଇଥିଲା ଯେ "ଏହା ଭୁଲିଯିବା ଉଚିତ୍ ନୁହେଁ ଯେ ଯୁବାବସ୍ଥାରେ ଏକ ସତେଜତା ଏବଂ ମାନସିକ ଶକ୍ତି ଥାଏ ଯାହା ବୟସ ଜନିତ ପରିପକ୍ୱତା ଏବଂ ଅଭିଜ୍ଞତା ଭଳି ଲାଭଦାୟୀ ହୋଇଥାଏ’ ।ଏହି ମତକୁ ଅଲ୍ ଇଣ୍ଡିଆ ଜଜେସ୍ ଆସୋସିଏନ ବନାମ ଭାରତ ସଂଘ ମାମଲା ୧ ରେ ଗ୍ରହଣ କରାଯାଇଥିଲା କିନ୍ତୁ ମାମଲା ୨ରେ ଏହା ଉପଯୁକ୍ତ ନୁହେଁ କହି ଅଭିଜ୍ଞତାକୁ ବାଧ୍ୟତାମୂଳକ କରାଯାଇଥିଲା । ପୁନଶ୍ଚ ୨୦୦୨ ମସିହାରେ ହୋଇଥିବା ଅଲ୍ ଇଣ୍ଡିଆ ଜଜେସ୍ ଆସୋସିଏନ ବନାମ ଭାରତ ସଂଘ ମାମଲା ୩ରେ ଜଷ୍ଟିସ ସେଟ୍ଟୀ କମିଶନଙ୍କ ରିପୋର୍ଟକୁ ଆଧାରିତ କରି ନ୍ୟାୟାଳୟ ଏହି ଅଭିଜ୍ଞତା ଆବଶ୍ୟକ ନୁହେଁ ବୋଲି ଘୋଷଣା କରିଥିଲେ ।କାରଣ ୧୯୯୬ ମସିହାରେ ସ୍ଥାପିତ ଏ କମିଶନ୍ ଏବଂ ନ୍ୟାୟାଳୟର ମତରେ ଅଭିଜ୍ଞତା ବାଧ୍ୟତାମୂଳକ ହେଲେ, ଏହା ମେଧାବୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିପାରିବନାହିଁ, ଯାହାର ଖରାପ ପ୍ରଭାବ ନ୍ୟାୟିକ ସେବା ଉପରେ ପଡିବ ।ତେବେ ବର୍ତ୍ତମାନ ପରିବର୍ତ୍ତିତ ସମୟକୁ ଆଖି ଆଗରେ ରଖି ନ୍ୟାୟାଳୟ ଏହି ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବାକୁ ଆଦେଶ ଦେଇଛି, କାରଣ ପରିବର୍ତ୍ତିତ ସମୟରେ ଅଭିଜ୍ଞତା ଲାଗିଲେ ମଧ୍ୟ ଏ ସେବାରେ ମିଳୁଥିବା ସମ୍ମାନ,ସୁବିଧା-ସୁଯୋଗ ଯୁବପିଢିଙ୍କୁ ଏଥିପାଇଁ ଆକୃଷ୍ଟ କରିବ,ଏଥିରେ ଦ୍ୱିମତ ନାହିଁ ।
ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମୟରେ ମଧ୍ୟ ବିଭିନ୍ନ ହାଇକୋର୍ଟ ମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିଲେ । ଉଦାହରଣସ୍ୱରୂପ ରାଜସ୍ଥାନ,ସିକିମର ହାଇକୋର୍ଟ ଏହାର ବିରୋଧ କରିଥିବା ବେଳେ ଦିଲ୍ଲୀ,ଓଡିଶା,ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କେରଳ ପ୍ରଭୃତି ହାଇକୋର୍ଟ ଏହାକୁ ଆବଶ୍ୟକ ବୋଲି ଜଣାଇଥିଲେ । ଅଧିକାଂଶ ହାଇକୋର୍ଟଙ୍କ ମତରେ ଅଭିଜ୍ଞତା ଅଭାବରୁ ନୂଆକରି ପ୍ରବେଶ କରୁଥିବା ସିଭିଲ ଜଜ୍ ମାନେ କୋର୍ଟର ପରିବେଶ ସହିତ ସହଜରେ ନିଜକୁ ଖାପ ଖୁଆଇ ପାରୁନାହାନ୍ତି,ଯାହାର କୁପ୍ରଭାବ ସିଧାସଳଖ ନ୍ୟାୟିକ ବ୍ୟବସ୍ଥା ଉପରେ ପଡୁଛି । ତେବେ କେତେ ବର୍ଷର ଅଭିଜ୍ଞତା ଆବଶ୍ୟକ ହେବା ଉଚିତ୍, ଏ ନେଇ ମଧ୍ୟ ବିଭିନ୍ନ ହାଇକୋର୍ଟ ମଧ୍ୟରେ ଦ୍ୱନ୍ଦ୍ୱ ଥିଲା ।ଉଦାହରଣ ସ୍ୱରୂପ ଗୌହାଟୀ ହାଇକୋର୍ଟ, ଗୁଜୁରାଟ ହାଇକୋର୍ଟ, କର୍ଣ୍ଣାଟକ ହାଇକୋର୍ଟ ପ୍ରଭୃତି ୨ ବର୍ଷର ଅଭିଜ୍ଞତା ଆବଶ୍ୟକ ବୋଲି ଯୁକ୍ତି ବାଢିଥିବା ବେଳେ ଓଡ଼ିଶା,ମଣିପୁର, ମାଡ୍ରାସ,ପାଟଣା, ଉତ୍ତରାଖଣ୍ଡ ପ୍ରଭୃତି ହାଇକୋର୍ଟ ମାନେ ୩ ବର୍ଷର ଅଭିଜ୍ଞତା ରହିବା ଜରୁରି ବୋଲି ମତ ଦେଇଥିଲେ । ଏସବୁକୁ ଦୃଷ୍ଟିରେ ରଖି ଗତ ୨୦ ବର୍ଷ ଧରି ଚାଲିଥିବା ବିନା ଅଭିଜ୍ଞତାରେ ଜୁନିଅର ଡିଭିଜନରେ ପ୍ରବେଶ କରିବାର ସୁଯୋଗକୁ ନ୍ୟାୟାଳୟ ଏକ ବିଫଳ ପରୀକ୍ଷଣ ବୋଲି କହି ଉଚ୍ଛେଦ କରିବାକୁ ଯୁକ୍ତିଯୁକ୍ତ ଭାବିଥିଲେ ।ଏହା ସହିତ ପରୀକ୍ଷାରେ ବସିବା ପାଇଁ ୩ ବର୍ଷର ପୂର୍ବ ଅଭିଜ୍ଞତାକୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି ।
ଏ ନିଷ୍ପତ୍ତି ଚର୍ଚ୍ଚା ଘେରରେ ରହିବାର ପ୍ରଧାନ କାରଣ ହେଉଛି,ଏହା ନ୍ୟାୟିକ ସେବାରେ ଉଭୟ ସୁପ୍ରଭାବ ଓ କୁପ୍ରଭାବକୁ ସମାନ ଭାବେ ଆମନ୍ତ୍ରଣ କରୁଛି । ଆଇନରେ ସ୍ନାତକ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ୫/୬ବର୍ଷର ସମୟ ଲାଗିଥାଏ ।ଏହି ସମୟ ମଧ୍ୟରେ କୋର୍ଟରେ ଓ ଅନ୍ୟାନ୍ୟ କମିଶନରେ ଇଣ୍ଟନର୍ସିପ କରିବା ବାଧ୍ୟତାମୂଳକ ଥାଏ ।ଏହି ଲମ୍ବା ସମୟ ପରେ ବାର କାଉନସିଲରେ ନାମ ଦାଖଲ କରି ଓକିଲାତି ଅଭ୍ୟାସ କରିବା ପାଇଁ ଆଉ କିଛି ମାସ ସମୟ ଲାଗିଥାଏ । ତେଣୁ ବର୍ତ୍ତମାନର ଆବଶ୍ୟକ ଅଭିଜ୍ଞତାକୁ ଯୋଡିଲେ କେବଳ ଆଇନ ସେବାର ପରୀକ୍ଷାରେ ବସିବା ପାଇଁ ହେଲେ ଛାତ୍ର/ଛାତ୍ରୀଟିକୁ ପ୍ରାୟ ୯/୧୦ ବର୍ଷର ସମୟ ଲାଗିଯିବ ।ଅର୍ଥାତ୍ ସରଳ ଭାଷାରେ ପରୀକ୍ଷାର୍ଥୀକୁ ୨୯/୩୦ ବର୍ଷ ବୟସ ହୋଇଯାଇଥିବ ।ଏତେ ଲମ୍ବା ସମୟ ପଢ଼ିବା, ଅଭ୍ୟାସ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ,ବିଶେଷ କରି ଯେତେବେଳେ ଏ ଅଭ୍ୟାସ ସମୟରେ କୌଣସି ଭତ୍ତା ବା ଦରମା ମିଳେନାହିଁ ।ବରିଷ୍ଠ ଓକିଲଙ୍କ ପାଖରେ ବିନା ଦରମା ବା ବହୁତ ସ୍ୱଳ୍ପ ପଇସାରେ କାମ କରି କନିଷ୍ଠ ଓକିଲ ତଥା ଆଶାୟୀ ପ୍ରାର୍ଥୀ ମାନେ କିଭଳି ଶୋଷିତ ହୁଅନ୍ତି, ତାହା ଉପରେ ନିଜେ ସୁପ୍ରିମକୋର୍ଟ ଓ ଅନ୍ୟ ହାଇକୋର୍ଟ ଅନ୍ୟ ସମୟରେ କ୍ଷୋଭ ପ୍ରକାଶ କରିଛନ୍ତି ।କିନ୍ତୁ ଏହା ବାଧ୍ୟତାମୂଳକ ହେଲେ, ଏହି ଶୋଷଣନୀତି ଯୋଗୁଁ କେବଳ ସ୍ୱଚ୍ଛଳ ବର୍ଗ ପିଲାମାନେ ହିଁ ଏହି ଅଭ୍ୟାସର ସୁଯୋଗ ପାଇପାରିବେ, ଏହା ନିଃସନେ୍ଦହ ।ଆର୍ଥିକ ଅନଗ୍ରସର ଓ ମଧ୍ୟବିତ୍ତ ଘରର ପିଲାମାନେ ନ୍ୟାୟିକ ସେବାରେ ପ୍ରବେଶ ପାଇଁ ଅପେକ୍ଷା ନକରି ନିଶ୍ଚିତ ଅଲଗା ପନ୍ଥା ଆପଣେଇବାକୁ ବାଧ୍ୟ ହେବେ । କେବଳ ଆର୍ଥିକ ସମସ୍ୟା ନୁହେଁ ଶାରୀରିକ,ମାନସିକ ତଥା ସାମାଜିକ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ରହିବ । ମହିଳା ପରୀକ୍ଷାର୍ଥୀମାନେ ଏହାର କୁପ୍ରଭାବର ସବୁଠାରୁ ବଡ଼ ଶିକାର ହେବେ କାରଣ ବିବାହ, ସନ୍ତାନ, ଅନ୍ୟାନ୍ୟ ପାରିବାରିକ ଦାୟିତ୍ୱର ସାମାଜିକ ଚାପ ଆଗରେ ସେମାନଙ୍କର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯିବ । ଯଦିଓ ସ୍ୱଳ୍ପ ମେଧାବୀ ପରୀକ୍ଷାର୍ଥୀ ଏ ସମସ୍ୟାକୁ ଅତିକ୍ରମ କରି ପରୀକ୍ଷା ଯାଏଁ ଯାଇପାରିବେ, ପୁନଶ୍ଚ ପରୀକ୍ଷାର ତିନୋଟି ସ୍ତର ଅତିକ୍ରମ କରିବାକୁ ଗୋଟିଏ ବର୍ଷ ସମୟ ଚାଲିଯିବ । ପର ବର୍ଷ ଓ ତା' ପରବର୍ଷ ପୁନଶ୍ଚ ଚେଷ୍ଟା କରିବା ପାଇଁ ମନୋବଳର ଅଭାବ ଓ ଅନ୍ୟାନ୍ୟ ସଙ୍କଟ ମଧ୍ୟ ଆସିପାରେ ।ଏହା ଫଳରେ ନ୍ୟାୟିକ ସେବାରେ ମେଧାବୀ ପାର୍ଥୀଙ୍କ ଆଗମନ ଅନେକ କମିଯିବ,ବିଶେଷ କରି ମହିଳା ଜଜଙ୍କ ସଂଖ୍ୟାରେ ଦ୍ରୁତ ଅବନତି ଘଟିବ । ଏହାର ସିଧାସଳଖ ପ୍ରଭାବ ଯେ ନ୍ୟାୟିକ ବ୍ୟବସ୍ଥା ଉପରେ ପଡ଼ିବ,ଏଥିରେ ସନେ୍ଦହ ନାହିଁ । ଖାସ କରି ଜୁନିଅର ଡିଭିଜନରେ ହଜାର ହଜାର ସଂଖ୍ୟାରେ ସିଭିଲ ଜଜ୍ ପଦବୀ ଖାଲି ପଡିଥିବା ବେଳେ, ତାକୁ ପୂରଣ ନକରି ଏଭଳି ସର୍ତ୍ତ ଆପଣେଇବା ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରିପାରେ । ନ୍ୟାୟିକ ସେବା (ଜିଲ୍ଲା ଡିଭିଜନ) ପାଇଁ ୭ ବର୍ଷର ଅଭ୍ୟାସ ଯଥେଷ୍ଟ ହୋଇପାରେ, କାରଣ ସେଥିରେ ଦେୱାନୀ,ଫୌଜଦାରୀ ବିଭିନ୍ନ ପ୍ରକାରର ଅଲଗା ଅଲଗା ମାମଲା ଥାଏ, ଯାହା ପାଇଁ ଅଭିଜ୍ଞତା ଏକାନ୍ତ ଆବଶ୍ୟକ,ମାତ୍ର ସିଭିଲ ଜଜ୍(ଜୁନିଅର ଡିଭିଜନ) କ୍ଷେତ୍ରରେ ଏହା ଉପରୋକ୍ତ କାରଣ ସମୂହ ପାଇଁ ଟିକିଏ ଅସୁବିଧାଜନକ । ଏହାର ଅନ୍ୟ ଏକ ସାମୟିକ ସମସ୍ୟା ମଧ୍ୟ ରହିଛି । ୨-୩ ବର୍ଷ ଭଳି କିଛି ସମୟ ନ ଦେଇ ହଠାତ ଏହାକୁ ଲାଗୁ କରିବା ଦ୍ୱାରା ଏଥିପାଇଁ ପୂର୍ବରୁ ପ୍ରସ୍ତୁତି କରୁଥିବା ଶହଶହ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାରକକୁ ଠେଲି ହୋଇଯାଇଛି । ନ୍ୟାୟିକ ସେବା ଭଳି ଉନ୍ନତମାନର ସେବା ଅଭିଜ୍ଞତା ନିଶ୍ଚିତ ରୂପରେ ଆବଶ୍ୟକ କରେ,ଏଥିରେ ସନେ୍ଦହ ନାହିଁ । ତେବେ ତିନି ବର୍ଷର ସମୟ ସୀମାକୁ ହ୍ରାସ କରାଯାଇ ଟ୍ରେନିଂ ସମୟ ସୀମାକୁ ବୃଦ୍ଧି କରି ଉପଯୁକ୍ତ ଶିକ୍ଷଣ ଦେଲେ ମଧ୍ୟ ଏହା ଏହି ଲକ୍ଷ୍ୟକୁ ପୂରଣ କରିବା ସହିତ ଅଧିକ ଗ୍ରହଣୀୟ ଓ ଯୁଗୋପଯୋଗୀ ସାବ୍ୟସ୍ତ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ବାଲେଶ୍ୱର
ମୋ:୮୯୧୭୫୩୪୯୪୪