ଭୋଗ ଖାଇଲେ ସ୍ୱପ୍ନେଶ୍ୱର ମହାଦେବ
ବାଲିଅନ୍ତା: ପବିତ୍ର ଦୋଳପୂର୍ଣ୍ଣିମା ପାଇଁ ପୂରପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି । ସାଧାରଣତଃ ଗୋପାଳ ଭାଇଙ୍କ ଏହା ମୁଖ୍ୟ ପର୍ବ । ଗ୍ରାମର ଆରାଧ୍ୟ ଦେବତାଙ୍କୁ ସୁସଜିତ ବିମାନରେ ସ୍ଥାପିତ କରି ଗାଁ ଗାଁ ପରିକ୍ରମା କରାଇ ଭୋଗ ଖୁଆ ନୀତି କାନ୍ତି ପାଳନ କରାଯାଇଥାଏ । ଭୋଗଖିଆ ପର୍ବ ଫଗୁ ଦଶମୀଠାରୁ ଆରମ୍ଭ ହୋଇ ଦୋଳପୂର୍ଣିମାରେ ଶେଷ ହୋଇଥାଏ । ବାଳକାଟି ଅଞ୍ଚଳରେ ଫଗୁଦଶମୀ ଦିନ ଚାରିଦେଶର ଠାକୁର ଆରାଧ୍ୟ ଦେବତା ଥାନପତି ଶ୍ରୀ ସ୍ୱପ୍ନଶ୍ୱର ମହାଦେବ, ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ଏବଂ ଶ୍ରୀ ଦୋଳ ଗୋବିନ୍ଦଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ ସ୍ଥାପନା କରାଯାଇ ମନ୍ଦିର ଭିତରେ ଭୋଗ ଲାଗି କରାଯାଇଛି । ଏକାଦଶୀ ଦିନଠାରୁ ରାତିରେ ଦିଅଁ ଗାଁ ସାହି ବୁଲି ଭୋଗ ଖାଇ ଥାଆନ୍ତି । ଠାକୁରଙ୍କ ଏହି ଭୋଗ ମଧ୍ୟରେ ଖଜା, ସାକର, ଚଣା, ନଡ଼ିଆ, କଦଳୀ, ଉଖୁଡା, ଆଦି ବିଭିନ୍ନ ଫଳ ଅନ୍ୟତମ । ପରମ୍ପରା ଅନୁଯାୟୀ ପ୍ରଥମ ଦିନ ଅଞ୍ଚଳର ମକଦମ ସାହିରେ ଭୋଗ ଖାଇଥାନ୍ତି । ପରେ ବସନ୍ତପେଡି, ହୋପଟିସାହି, ମାହଲସାହି, ଅଠରଘରିଆ ସାହି, ନୂଆପାଟଣା, ରଥିଜେମା ଅଶିଘର, ଚାରିମାଣିଆ, ତିରିଶିଘର, ପ୍ରତାପଶାସନ, ନୂଆସାହି ଆଦି ଗ୍ରାମରେ ଘର ଘର ବୁଲି ବୁଲି ଭୋଗ ଖାଇ ଥାଆନ୍ତି ହରିହର । ଏଥିସହ ଠାକୁରଙ୍କ ଉପରେ ବିଭିନ୍ନ ରଙ୍ଗବେରଙ୍ଗର ଫଗୁ ଲାଗି କରାଯାଇଥାଏ । ଏଥି ପାଇଁ ବାଳକାଟି ପଞ୍ଚୁଦୋଳ ମେଳଣ ହୋଇଥାଏ ।