ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ : କ୍ରସର ୟୁନିଟ ପାଇଁ ଜମି କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀ

 କବାଟବନ୍ଧ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଚକ୍ରଧରପୁର ମୌଜାରେ ଛତୁ ଫୁଟିଲା ପରି କ୍ରସର ୟୁନିଟ ଗଢି ଉଠିଛି । କ୍ରସର ଧୂଳି ଧୂଆଁରେ ଜନସାଧାରଣ ଖାଲି କ୍ଷତିଗ୍ରସ୍ତ ହେଉନାହାନ୍ତି ଚାଷ ଜମି ନଷ୍ଟ ହେବା ସହିତ ଚାଷର ଉର୍ବରତାକୁ ନଷ୍ଟ କରିଦେଉଛି କ୍ରସର ପଥର ଗୁଣ୍ଡ । ଚାଷ କାର୍ଯ୍ୟର ପ୍ରତିବନ୍ଧକ ସାଜିଛି କ୍ରସର । ବେଆଇନ କ୍ରସର ଚାଲିବା ଦ୍ୱାରା କ୍ରସର ଗୁଣ୍ଡ ଜମିରେ ପଡି ରହିଥିବାରୁ ଚାଷ କାର୍ଯ୍ୟ ହୋଇ ପାରୁନାହିଁ । ଯାହାକୁ ନେଇ ଚାଷୀ ମାନେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । କ୍ରସର ୟୁନିଟ ଚାଲିବାକୁ ଅନେକ ନିୟମ ବାଧ୍ୟତା ମୂଳକ ରହିଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ  ବ୍ୟବସାୟୀଙ୍କ ସହିତ ସୁସମ୍ପର୍କ ରଖି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରାଯାଉଛି । ଯାହା କି କ୍ରସର ବ୍ୟବସାୟୀ ଅଧିକ ଲାଭବାନ ଆଶାରେ ବେଆଇନ କାର୍ଯ୍ୟକୁ ସହଜରେ ଆପଣେଇ ନେଉଛନ୍ତି ।
 ଅନେକ ସମୟରେ ଅଭିଯୋଗ ଆସିଲେ ବିଭାଗୀୟ ଅଧିକାରୀ ମଝିରେ ମଝିରେ ଆସି ଛୋଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାହା ବାହା ନେବାକୁ ଦୋଷ ଖସାଇ ଦେଇଥାନ୍ତି । ହେଲେ ପରବର୍ତୀ ସମୟରେ ଯେଉଁ କଥାକୁ ସେଇକଥା । ବିଗତ ଦିନରେ ବେଆଇନ କ୍ରସର ଉପରେ ଅଙ୍କୁଶ ଲାଗିଥିଲା । ଅନେକ କ୍ରସର ବନ୍ଦ ରହିଥିଲା । ହେଲେ ସମୟ କ୍ରମେ ବ୍ୟବସାୟୀ ଆଇନବାଟ ଦେଇ କ୍ରସର ୟୁନିଟି ଚଳାଇବାକୁ ଅନୁମତି ଲୋଡ଼ିଥିଲେ । ହେଲେ କିଭଳି ବେଆଇନ ଭାବରେ ବିଭିନ୍ନ ସ୍ଥାନରେ କ୍ରସର ଚାଲୁଛି ତାହା ତଦନ୍ତ ସାପେକ୍ଷ ବୋଲି ପରିବେଷବିତ ମହଲରେ ଆଲୋଚନା ହେଉଛି । ସୂଚନା ମତେ ଅଞ୍ଜିରା ପଞ୍ଚାୟତ ଶ୍ୟାମସୁନ୍ଦରପୁର ଅଞ୍ଚଳର ଚାଷୀ ବିନାୟକ ପ୍ରଧାନ, ଅବିନାଶ ପ୍ରଧାନ,ମୁରଲୀ ରାଉତଙ୍କର ଚକ୍ରଧରପୁର ଅଞ୍ଚଳରେ ପ୍ରାୟ୫ଏକରରୁ ଉର୍ଦ୍ଧ ଚାଷ ଜମିରହିଛି । ଏହି ଜମି ମାନଙ୍କରୁ ଚାଷ କରି ସେମାନଙ୍କର ପରିବାର ପାଇଁ ବର୍ଷକର ଆହାର ଯୋଗାଡ଼ କରିଥାନ୍ତି । କିନ୍ତୁ ଚକ୍ରଧରପୁର ମୌଜାର ଏକର ଏକର ଚାଷ ଜମିରେ କ୍ରସରରୁ ନିର୍ଗତ ଧୂଳି (ପଥରଗୁଣ୍ଡ)ଚାଷ ଜମିରେ ପଡି ଉର୍ବରତା ନଷ୍ଟ ହେଇଯାଇଛି । ଚାଷଜମିରେ ୫ଇଞ୍ଚର ପଥର ଗୁଣ୍ଡ ଜମି ରହିଛି । ଯାହାକି ଚାଷ କାର୍ଯ୍ୟ କରିବା ଚାଷୀଙ୍କ ପକ୍ଷେ ସମ୍ଭବ ପର ନୁହେଁ । ତେବେ ଏଠାରେ ଦୀର୍ଘ ଦିନ ହେବ ଏକ ବେଆଇନ କ୍ରସର୍ ଚାଲି ଆସୁଛି । ଯାହାକୁ ନେଇ ଚାଷୀ  ଜିଲାପାଳ, ଧର୍ମଶାଳା ତହସିଲ୍ଏବଂ ଜେନାପୁର ଥାନାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଅଭିଯୋଗ ଶୁଣୁ ନଥିବା ଚାଷୀ ବିନାୟକ ପ୍ରଧାନ, ଅଭିନାଶ ପ୍ରଧାନ, ମୁରଲୀଧର ରାଉତ ଅଭିଯୋଗ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ନିର୍ମାଣ ହୋଇଥିବା କ୍ରସର୍ରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ । ପାଚେରୀ ନାହିଁ କି ବୃକ୍ଷ ରୋପଣ କରାଯାଇନାହିଁ । କ୍ରସରକୁ ପଦୂଷଣ ବିଭାଗ ଅନୁମତି ମିଳିଛି କି ନାହିଁ ତାହା ତଦନ୍ତ ସାପେକ୍ଷ ।