ମହାକୁମ୍ଭ ମେଳାକୁ ଆସିଲେ ବିଚିତ୍ର ‘ଅନାଜ୍ ବାବା’

ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି । ଭିନ୍ନ ଭିନ୍ନ ବାବା, ନାଗା ,ସାଧୁସନ୍ଥଙ୍କ ଆଗମନ ପ୍ରୟାଗରାଜକୁ ହେଉଛି । ଇତ୍ୟ ଅବସରରେ ମହାକୁମ୍ଭ ମେଳାରେ ଅନାଜ ବାବା ନାମରେ ପ୍ରଖ୍ୟାତ ଜଣେ ବାବା ଆସିଛନ୍ତି । ଅମରଜୀତ୍ ନାମକ ଏହି ବାବାଙ୍କ ନାମ କାହିଁକି ଏପରି ରଖାଗଲା ତାହା ଆପଣ ତାଙ୍କ ବେଶଭୂଷାରୁ ହିଁ ଜାଣିପାରୁଥିବେ । ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ରହୁଥିବା ଏହି ବାବା ନିଜ ମୁଣ୍ଡରେ ଗହମ , ବାଜରା , ଚଣା ଏବଂ ମଟର ଭଳି ଫସଲ ଚାଷ କରିବା ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଗତ ୫ ବର୍ଷ ହେଲାଣି ପରିବେଶର ସୁରକ୍ଷା ଦିଗରେ ସଚେତନତା ପ୍ରସାର କରିବା ପାଇଁ ବାବା ଏଭଳି ନିଆରା ପଦକ୍ଷେପ ନେଇଛନ୍ତି । ସେ ଜଣେ ହଠଯୋଗୀ , ଶାନ୍ତି ଏବଂ ସବୁଜିମାକୁ ମହତ୍ତ୍ବ ଦେବାପାଇଁ ସେ ଏଭଳି ଉପାୟ ଆପଣାଇଥିବା କଥା କୁହନ୍ତି । ବର୍ତ୍ତମାନ ସମୟରେ ଜଙ୍ଗଲରେ ଗଛକଟାକୁ ନେଇ ତୀବ୍ର ବିରୋଧ କରୁଥିବା ଅନାଜ୍ ବାବା ସମାଜକୁ ସବୁଜିମାର ସନ୍ଦେଶ ଦେଉଛନ୍ତି ।
ବାବା କୁହନ୍ତି , ମୁଁ ଯେଉଁଠିକୁ ବି ଯାଏ ସବୁଜିମା , ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଏ । ମଜାର କଥା ହେଉଛି ବାବା ନିଜ ମୁଣ୍ଡ ଉପରେ ଲଗାଇଥିବା ଫସଲକୁ ସତେଜ ରଖିବା ପାଇଁ ପ୍ରତିଦିନ ପାଣି ମଧ୍ୟ ଦେଇଥାନ୍ତି । କଲ୍ପବାସର କିଲା ଘାଟରେ ରହୁଥିବା ଏହି ବାବା ବର୍ତ୍ତମାନ ମହାକୁମ୍ଭ ମେଳାର ପ୍ରମୁଖ ଆକର୍ଷଣ ପାଲଟିଛନ୍ତି ।