କିସ୍ ପିଲାଙ୍କ ସହ ରାଜ୍ୟପାଳଙ୍କ ମଧ୍ୟାହ୍ନଭୋଜନ
ଭୁବନେଶ୍ୱର : ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ପନôୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍, କିସ୍ ଓ କିମ୍ସ ପରିଦର୍ଶନରେ ଆସି କିସ୍ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଛନ୍ତି । କିସ୍ ପିଲାଙ୍କ ସହ ବସି ମଧ୍ୟାହ୍ନଭୋଜନ କରିବାରେ କମ୍ଭମପତି ହେଉଛନ୍ତି ଓଡ଼ିଶାର ପ୍ରଥମ ରାଜ୍ୟପାଳ । ଆଜି ପୂର୍ବାହ୍ନରେ ରାଜ୍ୟପାଳ କିଟ୍ରେ ପହଞ୍ଚିବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସେମାନଙ୍କୁ ସ୍ୱାଗତ କରିଥିଲେ । ପରେ ରାଜ୍ୟପାଳ କିଟ୍ର ବିଭିନ୍ନ କ୍ୟାମ୍ପସ୍ ଓ କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ । କିଟ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ପରିଦର୍ଶନ ସମୟରେ ସେ ବିଭିନ୍ନ ସ୍କୁଲ୍ ବୁଲିବା ସହ ସେଠାରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । କିଟ୍ ବିଶ୍ୱବିଦ୍ୟାଳୟ ରୁରାଲ ମ୍ୟାନେଜମେଣ୍ଟ କ୍ୟାମ୍ପସ୍ରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ସେମାନଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟପାଳ କିଟ୍ର ଆକର୍ଷଣୀୟ ସ୍କଲ୍ପଚର୍ ପାର୍କ ପରିଦର୍ଶନ କରି ବିମୋହିତ ହୋଇଥିଲେ । ଏଠାରେ ପଥରରେ ଆଧ୍ୟାତ୍ମିକ ଓ ଶିକ୍ଷାର ସମନ୍ୱୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ସେହିପରି ସେ କିଟ୍ର ଗୋଲାପ ବଗିଚା, ଲ ସ୍କୁଲ୍, ବାୟୋଟେକ୍ନୋଲୋଜି, କିମ୍ସ, କିମ୍ସ ସୁପରସ୍ପେଶିଆଲିଟି ହସ୍ପିଟାଲ୍ ଓ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ । ପରେ କିସ୍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ । ଏତେ ସଂଖ୍ୟକ ପିଲାଙ୍କ ସହ ଏକାଠି ବସି ମଧ୍ୟାହ୍ନଭୋଜନ କରିବା ତାଙ୍କୁ ବେଶ ଆମୋଦିତ କରିଥିଲା । ଇଂଜିନିୟରିଂ ପୃଷ୍ଠଭୂମି ଥିବା ଜଣେ ଶିକ୍ଷାବିତ୍ ଭାବେ ସେ କିଟ୍ ଓ କିସ୍ର ଶୈକ୍ଷିକ ପରିବେଶ ଦେଖି ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।