ରବ୍ଦ ହେବ ଅପ୍ରସାଙ୍ଗିକ ଆଇନ୍ : ମୁଖ୍ୟମନ୍ତ୍ରୀ
Mohan Charan Majhi

ଭୁବନେଶ୍ୱର : ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟର ଠାରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ଦେଶରେ ଆଇନ କାନୁନ ବହୁତ ଅଧିକ । ସେଥିରୁ ଅଧିକାଂଶ ଆଉ ପ୍ରାସଙ୍ଗିକ ନୁହେଁ । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ୧,୫୫୦ରୁ ଅଧିକ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରିସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ନ୍ୟାୟ ପ୍ରଣାଳୀ ବା ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ଭାରତୀୟ ସମ୍ବିଧାନ ଏବଂ ନ୍ୟାୟ ସଂହିତା । କିନ୍ତୁ ୧୮୬୦ ମସିହାରୁ ବ୍ରିଟିଶ ସରକାର ଯେଉଁ ସଂହିତାର ପ୍ରଣୟନ କରିଥିଲେ ତାକୁ ଆମେ ଆଜି ପର୍ଯ୍ୟନ୍ତ ପାଳନ କରୁଥିଲୁ । ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଏତେ ପୁରୁଣା ଆଇନ ଉଚିତ୍ ନ୍ୟାୟ ଦେବାରେ ସଂପୂର୍ଣ୍ଣ ରୂପେ କ୍ଷମତାସମ୍ପନ୍ନ ନଥିଲା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ତେଣୁ ଏହାର ସମୟୋପଯୋଗୀ ପରିବର୍ତ୍ତନର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ସରକାର ଏହି ଦୁଇଟି ନୂତନ ଆଇନକୁ ପ୍ରବର୍ତ୍ତନ କଲେ । ଚଳିତ ବର୍ଷ ଜୁଲାଇ ୧ରୁ ଏହି ତିନୋଟି ଆଇନ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଥିଲେ ।
ନୂତନ ଭାବେ ପ୍ରଣୀତ ଏହି ଆଇନକୁ ପୀଡିତ-କୈନ୍ଦ୍ରିକ କରାଯାଇଛି ବୋଲି ମତ ଦେଇ ସେ କହିଲେ ଯେ, ପୂର୍ବରୁ ଏହା ଅପରାଧୀ-କୈନ୍ଦ୍ରିକ ଥିଲା । ସ୍ୱଚ୍ଛ ପ୍ରକ୍ରିୟାରେ ନିରପେକ୍ଷ ଭାବେ ତ୍ୱରିତ ନ୍ୟାୟ ପ୍ରଦାନ ହେଉଛି ଏହାର ଉଦ୍ଦେଶ୍ୟ । ଭାରତୀୟ ନାଗରିକ ସୁରକ୍ଷା ସଂହିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷିତ କରିବା । ପୋଲିସ୍ର କାର୍ଯ୍ୟକୁ ନ୍ୟାୟ ସଙ୍ଗତ, ବିଧି ସଙ୍ଗତ କରିବା ପାଇଁ ମୂଳ ଆଇନ ଅର୍ଥାତ ସିଆରପିସିରେ ଅନେକ କିଛି ପରିବର୍ତ୍ତନ କରାଯାଇଛି ବୋଲି ସେ କହିଥିଲେ ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ନୂତନ ଆଇନରେ ପୋଲିସ ପାଖରେ ଅଭିଯୋଗ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି । ଇଲେକ୍ଟ୍ରୋନିକ ମାଧ୍ୟମ ସହିତ ଜିରୋ ଏଫଆଇଆରର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଭିନ୍ନ ପ୍ରକାରର ଛୋଟ ଛୋଟ ଅପରାଧ ପାଇଁ ଜେଲ କିମ୍ବା ଜୋରିମାନା ବଦଳରେ ସେମାନଙ୍କୁ ଗୋଷ୍ଠୀ ସେବା କରିବା ପାଇଁ ବ୍ୟବସ୍ଥା ରଖାଯାଇଛି । ଏହାଦ୍ୱାରା ଜେଲଗୁଡିକରୁ ଅତ୍ୟଧିକ ଭିଡ କମିବା ସହିତ ଛୋଟ ଛୋଟ ଅପରାଧ ପାଇଁ ଜଣେ ବ୍ୟକ୍ତିକୁ ଅନ୍ୟ ବଡ ଅପରାଧିଭାବେ ବିଚାର ନକରି ପରିବର୍ତ୍ତନ କରିବା ପାଇଁ ସୁଯୋଗ ମିଳିପାରିବ ।