ଅଜଣା ଜଗତର ଡାକ

ଅଶୋକ ବିଶ୍ୱାଳ : ମଝିରେ ମଝିରେ କେଉଁଠି କେଉଁଠି ବୋଧହୁଏ ହେଲିଓପୋରା ପ୍ରଜାତିର କୋରାଲ ପାହାଡ ଶୃଙ୍ଖଳା ବନାଇଥିଲା । ଚାରିଆଡେ ସାଧାରଣ ପାହାଡ, କିନ୍ତୁ ଏ ପାହାଡରେ ସାମାନ୍ୟ ବରଫର ଧାର ଦେଖାଯାଉଛି । ଯେଉଁଠି ଉପର ଭୂମି ସମତଳ, ସେଇଠି ବରଫ ଜମିଯାଇଛି । କୋରାଲର ଶୃଙ୍ଖଳାମାନ ନିଜ ଭିତରେ କିଛି କିଛି ଖାଲି ପ୍ୟାସେଜ ବା ରାସ୍ତା ଛାଡିଥିଲେ । ସେ ଭିତର ଦେଇ ସମୁଦ୍ରପାଣି ପଶି ଆସୁଥିଲା ଆଉ ଯେଉଁଠି କୋରାଲ ଭିତରେ ଫାଙ୍କ ମିଳୁଥିଲା ସେ ବାଟଦେଇ ଜୋରରେ ଉପରକୁ ପିଚିକି ବାହାରି ଆସିୁଥିଲା । ଏକ ଯାଗାରେ ଲାଗିଥିଲା ସବୁଜ ରଙ୍ଗର ଅତି ସୁନ୍ଦର ଛଅ କୋଣୀୟ ବା ଅଷ୍ଟ କୋଣୀୟ ଟାଇଲମାନ । ଅତି ଉଜ୍ଜ୍ୱଳ ଦେଖାଯାଉଥିବା ଏହି ସବୁଜ ଟାଇଲମାନ ଗୋଟାଏ ସହ ଆଉ ଗୋଟାଏ ଭଲଭାବେ ଯୋଡି ହୋଇଛି । ଏହା ବୋଧହୁଏ ଏହା ଟର୍ବିନାରିଆ କିମ୍ବା ଫାବିଆ ପ୍ରଜାତିର କୋରାଲ । କେଉଁଠି ଥିଲା ହାଲୁକା ବାଇଗେଣି ରଙ୍ଗର ସଫ୍ଟ କୋରାଲ ତ କେଉଁଠି ଅଧିକ ଗାଢା ବାଦାମୀ ରଙ୍ଗର କୋରାଲ । ସମୁଦ୍ର ପାଣିରୁ ଉଙ୍କି ମାରୁଥିଲା ଫାଭିଆ ପ୍ରଜାତିର ସାଉଁଳା ଦିଶୁଥିବା କୋରାଲ ଆଉ ତା’ ଭିତରେ ମୁଣ୍ଡ ଟେକୁଥିଲା ନୂଆ ପର୍ବତର ଧାଡି ଭଳିହେଲିଓପୋରା କୋରାଲ । 
ମଝିରେ ମଝିରେ ଯେଉଁଠି ଟିକେ ପାଣି ରହିଯାଉଥିଲା ସେଥିରେ ବିଦ୍ୟୁତ ଭଳି ଛୁଟୁଥିଲେ ଛୋଟଛୋଟ ମାଛମାନ । ଦୁଇପଟେ କୋରାଲ, ତଳେ କିଛି ବାଲି ଆଉ ଭଙ୍ଗା କୋରାଲ । ସେମାନେ ଟିକେ ଦେଖାଦେଇ କୋରାଲ ଫାଙ୍କରେ ପର ମୁହୁର୍ତ୍ତରେ ଅର୍ନ୍ତଦ୍ଧାନ ହୋଇଯାଉଥିଲେ । କେଉଁଠି ବାଲି ଟିକେ ଘାଣ୍ଟି ହୋଇଯାଉଥିଲା । ଲୁଚିରହିଥିବା ଅପେକ୍ଷାକୃତ ବଡ ମାଛଟିଏ ବୋଧହୁଏ କାହା ଉପରେ ଝାମ୍ପି ପଡୁଥିଲା ।ସୂତା ଭଳି ଲମ୍ବ ଗୋଡଥିବା ବୋଧହୁଏ ସ୍ପାଗେଟି ଓର୍ମଗୋଡକୁ ଏପଟ ସେପଟ କରୁଥିଲା । ବେଶ ଲମ୍ବ ଗୋଡ । ଯେମିତିକି ସୂତା ଏପଟ ସେପଟ ହେଉଛି । ଅଳ୍ପ ପରିମାଣର ସାମୁଦ୍ରିକ ଗୁଳ୍ମ କେଉଁଠି କେଉଁଠି ହୋଇଥିଲା । 
ମୁନ କୋରାଲମାନ ଗୋଲ ଆକାରର ବଡ ପଥର ଭଳି ଲାଗୁଥିଲା । ଗୋଟାଏ ପଟକୁ ଥିଲା ଗୋଲାପୀ ରଙ୍ଗର ଆଙ୍ଗୁଠି ଭଳି ଦେଖାଯାଉଥିବା କୋରାଲ । ତଳକୁ ପାଣି ହଠାତ୍ ଗଭୀର ହୋଇଯାଇଥିଲା । କୋରାଲର ମୂଳଦୁଆ ଯାଇ ସମୁଦ୍ର ବାଲିକୁ ଛୁଉଁଥିଲା । ସେ ପାଣିରେ ରଙ୍ଗୀନ ଆଉ ଛାପିଛାପିକିଆ ମାଛମାନ ଦେଖାଯାଉଥିଲେ । ଏକ ବଡ ଲୋବଷ୍ଟାର ପାଣି ଭିତରେ ସେମିତି ପଥର ସନ୍ଧିରେ ଛପିଥିବାର ଦିଶିଲା । ତା’ର ଥିଲା ଉଜ୍ଜ୍ୱଳ ଦିଶୁଥିବା ଟ୍ୟୁବ ଆକାରର ସବୁଜ ରଙ୍ଗର ଖୋଳପା । ସେଥିରେ କିଛି ଧଳା ଛିଟ ପଡିଥିଲା । ଲମ୍ବା ଶୁଣ୍ଢ ଆଉ ଗୋଡ ଚିପି ହୋଇଥିଲା ଓ ଲାଞ୍ଜ ପେଟ ଆଡକୁ ମୋଡି ହୋଇଯାଇଥିଲା । ଲୋବଷ୍ଟାର ନିଜକୁ ଯେତେ ଛୋଟ କରିହେବ ଛୋଟ କରି ଛପିଥିଲା । ଏହି ବିଶାଳ ଚିଙ୍ଗୁଡିଟି ଅନ୍ଧାର ହେଲେ ବାହାରିବ । ଏବେ ଲୁଚି ରହିବାର ସମୟ । ଅଳ୍ପ ପାଣିରେ ଛୋଟମାଛମାନଙ୍କର ଦୌଡ ଲାଗିରହିଥିଲା । 
କିଛି କିଛି ଯାଗାରେ ଗୋଲାପୀ ଗୋଲାପୀ ସପ୍ଟ କୋରାଲ ସବୁ ଉଭା ହେଉଥିଲେ । ଛୋଟ ଛୋଟ ସାଉଁଳିଆ ଗୋଲାପି ମନ୍ଦାମାନ ଥିଲା ଏଣେତେଣେ । ସେମାନେ ପଥର ଖଣ୍ଡକୁ ଧୀରେ ଢାଙ୍କି ଦେଉଥିଲେ । ଆଉ କେଉଁଠିଥିଲା ସାଉଁଳିଆ ବାଦାମୀ କୋରାଲ । କିନ୍ତୁ ଏ ଉଦ୍ୟାନରେ ଗୋଲାପୀ ରଙ୍ଗର କୋରାଲ ବେଶି ସୁନ୍ଦର ଥିଲା । ଏକ ବଡ ମୁନ କୋରାଲ ଧାରରେ ଲାଗିଥିଲା ବଡ ଅଙ୍ଗୁର ପେନ୍ଥା ଭଳି ହାଲୁକା ସ୍ୟାହି ରଙ୍ଗର ସପ୍ଟ କୋରାଲ । ପାଣି ଧୀରେ ଗଭୀର ହେଉଥିଲା । ବୋଧହୁଏ ଇୟୁଫିଲିଆ କିମ୍ବା ଗୋନିଆଷ୍ଟିୟା କୋରାଲ ଦେଖାଗଲା । ଏ କୋରାଲର ଛୋଟ ଛୋଟ ମୁଣ୍ଡ । ଧଳା ଅଗଣିତ ପିନ ଆଉ ସବୁ ମିଶି ଉପରେ ପ୍ୟାଟର୍ଣ୍ଣର୍ କରୁଛି । କୋରାଲଗୁଡିକ କେଉଁଠି ଗୋଟା ହୋଇଥିଲା ତ କେଉଁଠି ଅନ୍ୟ କୋରାଲ ସହ ମିଶିକରି ଥିଲା । 
ଅଳ୍ପ ପାଣି ଆଡକୁ କେଉଁଠି କେଉଁଠି ପାଇନ ଗଛର କୋନ ପରି ଲାଗୁଥିବା ଗୁଳ୍ମମାନ ଶୁଖିଯାଇଥିବା କୋରାଲ ଉଦ୍ୟାନରେ ଥିଲାା ଏକ ପାଇନ କୋନରୁ ତଳ ମୁଣ୍ଡରୁ ବାହାରି ଆସିଛି କିଛି ଚେର ଓ ତଳର ଭଙ୍ଗା କୋରାଲ ଶୃଙ୍ଖଳାକୁ ଧରି ରଖିଛି । କୋରାଲ ବଗିଚାର ଏବେପାଇଁ ସାମାନ୍ୟ ଶୁଖିଲା ଅଂଶରେ ପଡିଥିଲା ଏକ ବଡ ଜ୍ୟାଣ୍ଟ କ୍ଲାମ ସେଲ । ସେଲର ଦୁଇପଟ ଚିପି ହୋଇଯାଇଥିଲା ଆଉ ମଝିରେ ମୁହଁର ଢେଉଢେଉକା ଫାଙ୍କ ଦିଶୁଥିଲା । କୂଳ ଆଡକୁ ପଥର ଗୁଡିକ ମଝିରେ କିଛ ବାଲି ଥିଲା । ସେ ଭିତରେ ପଡିଥିଲା ଏକ ବଡ ଜେଲି ଫିସ । ମଝିର ରଙ୍ଗ ବାଇଗେଣୀ, ଅନ୍ୟଥା ଦେହ ପ୍ରାୟ ସ୍ୱଚ୍ଛ । ପ୍ରାୟ ଗୋଲାକାର ଲାଗୁଥିବା ଜେଲଫିସର ଟେଣ୍ଟାକଲସଗୁଡିକ ଧାରରେ ଖେଳେଇ ହୋଇପଡିଥିଲା । ଜେଲି ଫିସଟି କେବେଠୁ ମରିଯାଇଛି ଆଉ ଭାସି ଆସି କୂଳରେ ଲାଗିଛି । କିଛି ଅଂଶରେ ବାଲି ଚଢି ଯାଇଥିଲା । କିନ୍ତୁ ଜେଲି ଫିସଟି ତାଜା ଦେଖାଯାଉଥିଲା ।ମଝିରେ ମଝିରେ ଟିକେ ଢେଉ ଆସି ତା’କୁ ଠେଲି ଦେଉଥିଲା । ଜେଲିଫିସର ଶରୀର ଥିଲା ଅଦ୍ଭୂତ । ଏକ ଫୁଲକୁଣ୍ଡକୁ କିଏ ଯେମିତି ଓଲଟାଇ ଦେଇଛି ।
ମଝିରେ ମଝିରେ ଥିଲା ବଡ ପଥରମାନ ଦିଶୁଥିଲା ଓ ସେଥିରେ ଥିଲା ଅସଖ୍ୟ କଣାମାନ, କେମିକାଲ ଆକ୍ସନ ଯୋଗୁ ହୋଇଥିବ । ସେଥିରେ ଗୋଲଗୋଲ ତଥା ଚେପଟା ବାର୍ଣ୍ଣର୍ାକଲସ ଶାମୁକାମାନ ଜୋରରେ ଚିପି ହୋଇରହିଥିଲା । ପଥରରେ ପାଣି ଆସି ବାଡେଇ ହେଉଥିଲା, କିନ୍ତୁ ଫେଭିକଲରେ ଚିପିଗଲା ଭଳି ଶାମୁକାମାନ ଚିପି ଯାଇଥିଲେ, କିଛି ହଲୁ ମଧ୍ୟ ନଥିଲା । କେଉଁଠି କେଉଁଠି ଆନିମୋନେ ଭଳି ସଫ୍ଟ କୋରାଲ ଆସୁଥିଲା ଭାଙ୍ଗିଯାଇଥିବା ମୃତ କୋରାଲ ପାହାଡ ଉପରେ । ଏହାକୁ ବେସ ବନାଇବ । ଏମିତି କୋରାଲ ସାମ୍ରାଜ୍ୟରେ ଥିଲା ଅସଂଖ୍ୟ ରୂପ, ଅସଂଖ୍ୟ ଜୀବନ । ସବୁଠୁ ସୁନ୍ଦର ଲାଗୁଥିଲା ଛୋଟ ଛୋଟ ହୋଇ ଫୁଟିଥିବା ଗୋଲାପୀ ରଙ୍ଗର କୋରାଲ ଆଉ ଛତୁ ଭଳି କେଉଁଠି କେଉଁଠି ଫୁଟିଥିବା କୋରାଲ । ଲାଗୁଥିଲା ଯେମିତି ଗୋଲାପର ରଙ୍ଗ ବଦଳିଯାଇ ହୋଇଯାଇଛି ଗାଢ ମାଟିଆ, ଆଉ ଗୋଲାପ ଫୁଲମାନ ପଥରରେ କିଏ ଏଣେ ତେଣେ ଖଞ୍ଜି ଦେଇଛି ।  ସେମାନେ କୋରାଲ ଉଦ୍ୟାନକୁ ଆନନ୍ଦରେ ଅଭିଭୂତ ହୋଇ ଦେଖିଚାଲୁଥିଲେ । ସମୁଦ୍ରର ଗର୍ଜନ ଭିତରେ ସେମାନେ ନିର୍ବାକ ହୋଇରହିଥିଲେ । ପାଣି କମିଯାଉଥିଲା ଆଉ ମାଛମାନେ ଅଳ୍ପ ପାଣିରେ ସେମାନଙ୍କ ଦୌଡାଦୌଡି ଲଗାଇଥିଲେ ।ସେମାନେ ଟିକେ ସମୁଦ୍ର ଭିତରକୁ ପଶିଲେ । କୋରାଲ ସମୁଦ୍ରର କୂଳ ଆଡକୁ ଗୋଟାଏ ଯାଗାରେ କୋରାଲ କିଛି ଭାଙ୍ଗିଯାଇଛି । କିଛି କିଛି ପଥର ତଳେ ଖୋଲ ହୋଇଯାଇଛି । ବଡ ପଥର ଖଣ୍ଡ ଭିତରେ ଏକ ଛୋଟ ଗୁହା ହୋଇଯାଇଛି ।
“ଦେଖ,ପାଣିରେ ଏକ ଶିକାରୀରର ଡେନ ବା ଆବାସ ଗୃହ ।”-ଅସୀମ କହିଲେ ।
“କେଉଁ ଶିକାରୀର?”-ଶୋଭନା ପଚାରିଲେ । ଅସୀମ ବହୁ ସମୟପରେ କିଛି କହୁଛନ୍ତି । ସମୁଦ୍ର ପାଣିରେ ବଡ ଶିକାରୀ ଯେମିତି ଶାର୍କ ମାଛଗୁଡା ପାଣିରେ ଘୂରିବୁଲୁଥାନ୍ତି । ସେମାନଙ୍କୁ ବିଶ୍ରାମ ଗୃହର ଆବଶ୍ୟକତା କେଉଁଠି? “ଏ ଯାଗାରେ ରୁହନ୍ତି ଅକ୍ଟୋପସ । କହିପାର ଅକ୍ଟୋପସର ଗୁହା । ଅକ୍ଟୋପସ କୋରାଲ ବା ପଥୁରିଆ ଯାଗାରେ ସୁବିଧାଜନକ ଲୁଚିବା କ’ଣ ଦେଖି ବାସ କରେ । ଜଣେ ଲକ୍ଷ୍ୟ କରିପାରୁଥିବା ଲୋକ ଅକ୍ଟୋପସର ଘରକୁ ଖୋଜି ପାଇବ । ଯେଉଁଥିରେ ଅକ୍ଟୋପସ ବାସ କରୁଥିବା ସେମିତିଆ ଗୁହା ବା ଡେନର ଚାରିପାଖରେ ଭଙ୍ଗା କୋରାଲ, ପଥର, କଙ୍କଡାର ଭଙ୍ଗା ଖଣ୍ଡମାନ ପଡିଥିବ ।ସିଂହର ଡେନ ଭଳି ଅକ୍ଟୋପସର ଡେନ ଅଛି ।”-ଅସୀମ କହିଲେ ।(କ୍ରମଶଃ)
                                                           ଭୁବନେଶ୍ୱର