ଔଷଧ ନାମରେ ବିଷ ବିକୁଛନ୍ତି ପଶ୍ଚିମବଙ୍ଗ ଓମ୍ନି!
କେନ୍ଦ୍ରାପଡ଼ା ଜିଲ୍ଲାର ଗାଁକୁ ଗାଁ, ଗଳିକୁ ଗଳି ଘୁରି ବୁଲୁଛି ଓମ୍ନି ଗାଡି । ଗାଡି ଭିତରେ ସଜଡ଼ା ହୋଇ ରହିଛି ରଙ୍ଗବେରଙ୍ଗର କାଚ ଏବଂ ପ୍ଲାଷ୍ଟିକ ବୋତଲ । ଉପରେ ନାମକରା କମ୍ପାନୀର କାଗଜ ଖୋଳ ଭଳି ପ୍ୟାର୍କିଂ ହୋଇ ବୋତଲ ଭିତରେ ରହିଛି ଭଳିକି ଭଳି ତେଲ ଓ ବିଭିନ୍ନ ପ୍ରକାରର ପାଉଡର ଜାତୀୟ ଦ୍ରବ୍ୟ । ଗୋଟିଏ ଗୋଟିଏ ଔଷଧ ବୋତଲର ଦାମ୍ ଦୁଇ ଶହ ଟଙ୍କାରୁ ଆରମ୍ଭ କରି ଦୁଇରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ମଧ୍ୟ ମହଜୁତ ରହିଛି ଏହି ଓମିନ ଗାଡି ଭିତରେ । ଗାଡ଼ିରେ ବୁଲୁଛନ୍ତି ଦୁଇ ଜଣ ଯୁବକ । ଖଣ୍ଡି ଓଡ଼ିଆ କହୁଥିବା ଏହି ଦୁଇ ଯୁବକ ଜିଲ୍ଲାର ଗାଉଁଲି ସରଳ ଜନସାଧାରଣମାନଙ୍କୁ ସପ୍ଟ ଟାର୍ଗେଟ କରୁଥିବା ଜିଲ୍ଲାର ସଚେତନ ନାଗରିକମାନେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଅଭିଯୋଗ ମୁତାବକ ବିଶେଷ କରି କେନ୍ଦ୍ରାପଡ଼ା ଜିଲ୍ଲାର ଅନୁନ୍ନତ ଓ ଆର୍ଥôକ ଦୃଷ୍ଟିରୁ ଅନଗ୍ରସର ଥିବା ଗାଁମାନଙ୍କୁ ଟାର୍ଗେଟ କରୁଛନ୍ତି ଏହି ଦୁଇ ଯୁବକ । ଗ୍ୟାଷ୍ଟିକ୍ ଠାରୁ ଆରମ୍ଭ କରି କ୍ୟାନସର ଭଳି ଦୁରାରୋଗ୍ୟର ଚିକିସôା ଏହି ଓମ୍ନି ମଧ୍ୟରେ ଥିବା ଔଷଧରେ ହୋଇ ପାରୁଛି ବୋଲି ଗାଁ ଗହଳିରେ ବୁଲିବୁଲି ଏମାନେ ସରଳ ନିଷ୍କପଟ ଗାଉଁଲି ଜନସାଧାରଣଙ୍କୁ ଫୁସୁଲାଇ କରୁଛନ୍ତି ବିକ୍ରି । ଜିଲ୍ଲାର ସଚେତନ ନାଗରିକମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ପଶ୍ଚିମବଙ୍ଗ ଓମିନ ମାଧ୍ୟମରେ ବିକ୍ରି ହେଉଥିବା ଔଷଧ ଗୁଡ଼ିକ ହେଉଛି ବେନାମୀ କମ୍ପାନୀର । ଏହା ପଶ୍ଚିମବଙ୍ଗରେ ପ୍ରସ୍ତୁତ ହୋଇ ସେଠିକାର କିଛି ଯୁବକମାନଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାରେ ଏକାଧିକ ଓମିନ ଗାଡି ମାଧ୍ୟମରେ କରାଯାଉଛି ବିକ୍ରି । ବର୍ଷ ବର୍ଷ ଧରି ପଶ୍ଚିମବଙ୍ଗ ଅଞ୍ଚଳର ବଙ୍ଗୀୟ ଯୁବକମାନେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘର ଭଡ଼ା ନେଇ ବିଭିନ୍ନ ଅଞ୍ଚଳ ବୁଲି ଔଷଧ ନାମରେ କରୁଛନ୍ତି ବିଷ ବିକ୍ରି । ବର୍ଷ ବର୍ଷ ଧରି ଖୁଲମ୍ ଖୁଲା ଏହି ବେପାର ଚାଲିଥିଲେ ମଧ୍ୟ ଜିଲ୍ଲାର ଡ୍ରଗସ୍ ଇନ୍ସପେକ୍ଟର ଏହାକୁ ଅଣଦେଖା କରିବା ନେଇ ଉଠିଲାଣି ନାନା ପ୍ରଶ୍ନବାଚୀ । ଔଷଧ ବିକ୍ରି ପାଇଁ ନିର୍ଦ୍ଧିଷ୍ଟ ଯୋଗ୍ୟତା ବା ପାଠ ପଢ଼ିବାର ସରକାରୀ ନିୟମ ଥିଲେ ମଧ୍ୟ ବିଭାଗ ଆଖିରେ ଧୂଳି ଦେଇ ବାହାର ରାଜ୍ୟର ଓମିନ ଗାଡ଼ିରେ ଔଷଧ ବିକ୍ରିକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଜିଲ୍ଲାର ସଚେତନ ନାଗରିକ । ତମାମ ଜିଲ୍ଲାରେ ମତ ପ୍ରକାଶ ପାଉଛି ଏହା ଉପରେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ରୋକ୍ ଲଗା ନ ଗଲେ ଜିଲ୍ଲାର ଅନେକ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପଡ଼ିବା କଥାକୁ ଏଡ଼ାଇ ଦିଆଯାଇ ନ ପାରେ ।