ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ
ବେତନଟୀ: ବେତନଟୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୨୩ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉସôବରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ସତୀଶ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବଡ଼ସାହି ନିର୍ବାଚନମଣ୍ଡଳୀର ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସଂସ୍କୃତିର ଅଧପତନ ଘଟି ଚାଲିଥିବା ହେତୁ ଏହା ବଜାୟ ରଖିବା ପାଇଁ ଅଙ୍ଗୀକାର ବଦ୍ଧ ହେବାକୁ ମୁଖ୍ୟଅତିଥି ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଇଂ ଅଭୟ ସୂତାର ଯୋଗଦେଇ ଥିବାବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶଶଧର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଚରିତ୍ରବାନ ଏବଂ ସତ୍ୟନିଷ୍ଠ ହେବା ପାଇଁ ବିଦ୍ୟାଳୟମାନଙ୍କରୁ ଶିକ୍ଷାଲାଭ କରିପାରିବେ ବୋଲି କହିଥିଲେ । ସେହିପରି ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପ୍ରକାଶ ବେହେରା କହିଥିଲେଯେ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟଗୁଡିକ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ବିଦ୍ୟାଳୟଗୁଡ଼ିକ ସହିତ ସାମଞ୍ଜସ୍ୟ ନାହିଁ । ଏଠାରେ ମଧ୍ୟାହ୍ନ ଭୋଜନ, ମାଗଣା ପୋଷାକ, ପାଠ୍ୟପୁସ୍ତକ ପ୍ରଦାନ କରାଯାଉନାହିଁ । ତଥାପିବି ସୁନାଗରିକ ଗଠନରେ ବିଦ୍ୟାଳୟରେ ସ୍ୱତନ୍ତ୍ରତା ରହିଛି । କାର୍ଯ୍ୟକ୍ରମରେ ପ୍ରଧାନ ଗୁରୁଜୀ ଲକ୍ଷ୍ମୀଧର ବାରିକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହ ବିଦ୍ୟାଳୟର ବରିଷ୍ଠ ତଥା ଅବସର ପ୍ରାପ୍ତ ଗୁରୁଜୀ ଅଜୟ କୁମାର ସେନାପତିଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟା ରଞ୍ଜିତା କର ଧନ୍ୟବାଦ ଅର୍ପଣ କରିଥିଲେ ।