ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ଔଷଧ
 ଖଣ୍ଡପଡ଼ା : ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିରାମୟ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଆନୁସଙ୍ଗିକ ଔଷଧ, ସାଲାଇନ ଓ ମୂଲ୍ୟବାନ୍ ଇଞ୍ଜେକସନ ଯୋଗାଇ ଦିଆଯାଉଥିଲେ ହେଁ ସବୁକିଛି ସାମଗ୍ରୀ ରୋଗୀଙ୍କୁ ଦିଆ ନଯାଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରସ୍ଥିତ ଏକ ପୁରାତନ ଗୃହରେ ପଡି ନଷ୍ଟ ହେଉଛି । ଔଷଧ ବଣ୍ଟନ ଦାୟୀତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ସାଧାରଣରେ ନିରାମୟ ଯୋଜନାର ସଫଳ ରୁପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କାହା ସ୍ୱାର୍ଥରେ ସରକାର ଏହି ଲୋକହିତକର ଯୋଜନା ପ୍ରଣୟନ କରିଛନ୍ତି ବୋଲି ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମାସ ମାସ ଧରି ସାଧାରଣ ରୋଗୀଙ୍କୁ ଔଷଧ, ଇଞ୍ଜେକସନ, ସାଲାଇନ ଆଦି ଦିଆ ନଯାଇ ଏକ ଗୃହ ମଧ୍ୟରେ ପଡି ସେଗୁଡିକ ନଷ୍ଟ ହେଉଥିବାରୁ କଣ୍ଟିଲୋ ଅଞ୍ଚଳର ସଚେତନ ନାଗରିକ ଓ ବୁଦ୍ଧିଜୀବୀ ଏ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଗତ ୨ଦିନ ତଳେ ଜନ ଆରୋଗ୍ୟ ସମିତି ଅଧ୍ୟକ୍ଷା ଉଜ୍ଜଳ ମହାରଣା ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଯାଇଥିବା ବେଳେ, ଏଭଳି ଘଟଣା ନଜରକୁ ଆସିଥିଲା । ଘଟଣା ସମ୍ପର୍କରେ ଜିଲ୍ଲା ପରିଷଦ ସଦସ୍ୟା ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହି ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି । ଅପରପକ୍ଷେ ଏହି ଘଟଣାକୁ ଚପାଇ ଦେବା ପାଇଁ କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପୁରାଦମରେ ଲାଗି ପଡିଥିବା ଜଣାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ପୁରାତନ ଗୃହରେ ପଡି ରହି ନଷ୍ଟ ହେଉଥିବା ଔଷଧ, ଇଞ୍ଜେକ୍ସନ ଓ ବିଭିନ୍ନ ସାମଗ୍ରୀକୁ ସେଠାରୁ ହଟାଇଦେବା ନିମନ୍ତେ ମସୁଧା ଚାଲିଛି । ଆରୋଗ୍ୟ କେନ୍ଦ୍ରରେ ଲକ୍ଷ ଲକ୍ଷ ଟଙ୍କାର ଏକ୍ସପାଏରୀ ଔଷଧ ଓ ଇଞ୍ଜେକ୍ସନ ଏବେବି ପଡିରହିଛି । ଜରୁରିକାଳୀନ ପରିସ୍ଥିତିରେ ରୋଗୀଙ୍କ ସମ୍ପକୀୟ ଅଯଥାରେ ଖର୍ଚ୍ଚାନ୍ତ ହୋଇ ବାହାର ଦୋକାନରୁ େଓøଷଧ କିଣୁଥିବା ବେଳେ ବଣ୍ଟନ ଦାୟୀତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭଳି ଅବ୍ୟବସ୍ଥାର ତଦନ୍ତ ନିମନ୍ତେ ଜିଲା ପରିଷଦ ସଦସ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି  ଆକର୍ଷଣ କରିଥିଲେ ହେଁ, ଫଳଘର ଶୂନ୍ । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ଘଟଣା ସମ୍ପକରେ  ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଅମିତାଂଶୁ ମିଶ୍ରଙ୍କୁ ପଚାରିବାରେ ସେ ଏ ସମ୍ପକରେ କିଛି ଜାଣିନଥିବା କହି କଥାକୁ ଏଡାଇ ଯାଇଛନ୍ତି । ତେବେ ଏତେ ସଂଖ୍ୟକ ଏକ୍ସପାୟରୀ ଔଷଧ କାହିଁକି ରୋଗୀଙ୍କୁ ଦିଆ ନ ଯାଇ ପରିତ୍ୟକ୍ତ ଗୃହରେ ପକାଯାଇଛି ବୋଲି ପଚାରିଲେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି । ପ୍ରଶ୍ନ ଉଠୁଛି ବିପୁଳ ପରିମାଣର ସରକାରୀ ଔଷଧ କିଏ ଫୋପାଡିଛି ଓ ଏକ୍ସପାଏରୀ ପୂର୍ବରୁ ଔଷଧ, ଇଞ୍ଜେକସନ ଓ ସାଲାଇନ ସବୁ କିଛି କାହିଁକି ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଗଲା ନାହିଁ ସେ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
