ଜିଲାସ୍ତରୀୟ ଉନ୍ନୟନ ପରିଚାଳନା କମିଟି ବୈଠକ 

 ଯାଜପୁର ଟାଉନ: ଜିଲାସ୍ତରୀୟ ଉନ୍ନୟନ, ସମନ୍ୱୟ ଓ ପରିଚାଳନା କମିଟି ବୈଠକ ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରଣୀତ ବିଭିନ୍ନ ଯୋଜନାର ପ୍ରଣୟନ ଓ କାର୍ଯ୍ୟକାରିତା ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ବୈଠକରେ ଉପସ୍ଥିତ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଜାତୀୟ ସାମାଜିକ ସହାୟତା ଯୋଜନାରେ ଯେଉଁ ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀ ବ୍ୟାଙ୍କକୁ ଯାଇପାରୁ ନାହାଁନ୍ତି ସେମାନଙ୍କୁ ଘରେ ଯାଇ ଭତ୍ତା ପ୍ରଦାନ କରିବାକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଓ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ । 
ଏହି ଭତା ପଇସା ଲୋନ ବାବଦକୁ ନକାଟିବା ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ହିତାଧିକାରୀଙ୍କୁ ୩୫୦୦ଟଙ୍କା ପ୍ରଦାନ କରିବାକୁ କହିଥିଲେ । ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏନ୍ଆରଇଜିଏସରେ ମଜୁରୀ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଚଣ୍ଡିଖୋଲ-ଡୁବୁରୀ ରାସ୍ତା କାମ ତୁରନ୍ତ ଶେଷ କରିବାକୁ ବିଧାୟକ ଏନ୍ଏଚ୍ଏଆଇ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ବଡ଼ଚଣା ବ୍ଲକରେ ଦୀର୍ଘ ଦିନ ଧରି ନିର୍ମାଣଧୀନ ଅଙ୍ଗନୱାଡ଼ି ଗୃହ କାର୍ଯ୍ୟ ଶେଷ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ବୈଠକରେ ଏମ୍ଜିଏନ୍ଆରଇଜିଏସ୍,  ଦୀନଦୟାଲ ଅନ୍ତୋଦୟ ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆରସେଟି ସଂସଦ ଆଦର୍ଶ ଗ୍ରାମ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ, ସ୍ୱଚ୍ଛ ଭାରତ ମିଶନ, ଜାତୀୟ ପ୍ରାଣୀରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ଲାଇଭ ଷ୍ଟକ୍ ମିଶନ, ସମନ୍ୱିତ ଶିଶୁ ବିକାଶ ଯୋଜନା, ବେଟି ବଚାଓ ବେଟି ପଢାଓ ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ମହିଳା ନିରାପତା ଓ ସୁରକ୍ଷା ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଜଳ ଜୀବନ ମିଶନ, ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମର୍ଡନାଇଜେଶନ ପ୍ରୋଗ୍ରାମ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ, ସମଗ୍ର ଶିକ୍ଷା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପିଏମଇଜିପି ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା, ଏମପି ଲ୍ୟାଡ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ, ପ୍ରି ଏବଂ ପୋଷ୍ଟ ମାଟ୍ରିକ ସ୍କୋଲାରସିପ, ଖେଲୋ ଇଣ୍ଡିଆ, ଇ-ଶ୍ରମ ପୋର୍ଟାଲ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବୈଠକରେ ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ସମବାୟ ମନ୍ତ୍ରୀଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଧନ୍ୟବାଦ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ଲମ୍ବୋଦର ଖୁଣ୍ଟିଆଙ୍କ ସମେତ ସମସ୍ତ ବ୍ଲକ୍ ଓ ମୁନିସିପାଲିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଡିଓ ଜିଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ଉପସ୍ଥିତ ଥିଲେ ।