ଅଜଣା ରୋଗ ନେଲା ଭଜୁ ମୁର୍ମୁଙ୍କ ଜୀବନ

 କାଳିଆପାଣି:  କଅଁସ ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ା ଗାଁର ଭଜୁ ମୁର୍ମୁ (୬୫)ଙ୍କର ଅଜଣା ରୋଗରେ ପରଲୋକ ଘଟିଛି ।  ବଡ଼ପୁଅ ସାଉନା ମୁର୍ମୁଙ୍କ କହିବା ଅନୁଯାୟୀ ତାଙ୍କ ବାପା ସ୍ୱର୍ଗତ ଭଜୁ ଗତ ୨ ମାସ ଧରି କୌଣସି ଅଜଣା ରୋଗରେ ପଡ଼ି ଘରେ ଚିକିତ୍ସିତ ହେଉଥିଲେ । ପରଲୋକ ପୂର୍ବରୁ ସେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କିଛିଦିନ ରହି ଚିକିତ୍ସିତ ହେଉଥିଲେ । ସାମାନ୍ୟ ଆରୋଗ୍ୟ ହେବାପରେ ଗତ ୧୫ ପୂର୍ବରୁ ସେ ମେଡିକାଲରୁ ଘରକୁ ଫେରିଥିଲେ । କିନ୍ତୁ ଅର୍ଥ ଅଭାବ ଏବଂ ମେଡିକାଲ ସୁବିଧା ନଥିବାରୁ ଗତକାଲି ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବଣ ଜଙ୍ଗଲ ଘେରା ବାଲିପଡ଼ା ଗାଁଟି ଏକ ଆଦିବାସୀ ଜନବସତି । ଏଠାରେ ଲୋକଙ୍କ ଦେହ ଅସୁସ୍ଥ ହେଲେ ଚିକିତ୍ସା କରିବାପାଇଁ ନିକଟରେ ମେଡିକାଲର କୌଣସି ସୁବିଧା ଉପଲବ୍ଧ ନାହିଁ । ସାମାନ୍ୟ ଦେହ ଖରାପ ହେଲେ ମଧ୍ୟ ଏଠାରୁ ୪୦କି,ମି ଦୂରରେ ଥିବା ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ିଥାଏ । ଯାହାକି ଏଠାକାର ନିରୀହ ଆଦିବାସୀ ଲୋକମାନଙ୍କ ପାଇଁ ରାତି ଅନ୍ଧାରରେ ଦୁଃସହ ବ୍ୟାପାର । ତେଣୁ ଏହିପରି ଅନେକ ଭଜୁଙ୍କ ଜୀବନ ଅକାଳରେ ହରାଇବାକୁ ପଡ଼ିଥାଏ । ବହୁମୂଲ୍ୟ କ୍ରୋମାଇଟ ଭଳି ପ୍ରାଚୁର୍ଯ୍ୟ ଭରା କାଳିଆପାଣି ଅଞ୍ଚଳର ଖଣି ପ୍ରଭାବିତ ଲୋକମାନେ ଏବେ ଏହିପରି ଅଜଣା ରୋଗରେ ପଡ଼ି ଚିକିତ୍ସା ଅଭାବରୁ ମୃତୁ୍ୟ ମୁଖରେ ପଡୁଛନ୍ତି । ଅନେକ ମାରାତ୍ମକ ଯକ୍ଷ୍ମା ରୋଗ, କୀଡ୍ନି ସଂକ୍ରମଣ ରୋଗ, କ୍ୟାନ୍ସର ଏବଂ ଲିଭର ଫେଲ୍ ଓ ହାର୍ଟ ଆଟାକ ଭଳି ରୋଗରେ ପଡ଼ି ଅଦିନରେ ପ୍ରାଣ ହରାଉଥିବାର ନଜିର ପ୍ରତିଦିନ ଦେଖିବାକୁ ମିଳୁଛି । ଲୋକମାନଙ୍କ ମଧ୍ୟରେ ସଚେତନତା, ଶିକ୍ଷାର ଅଭାବ ଏବଂ ସୁଲଭ ଚିକିତ୍ସା କରାଇବାର ସଂସ୍ଥାନର ଅଭାବ ଯୋଗୁଁ ଏବେ ଏଠାରେ ଦୈନିକ ଅନେକେ ଲୋକଙ୍କ ପ୍ରାଣ ଯାଉଛି । ହେଲେ ଆଜିଯାଏଁ ସରକାର କିମ୍ବା କୌଣସି କମ୍ପାନୀ ଏଥିପ୍ରତି ଗୁରୁତ୍ୱ ଦେଉନଥିବାର ଅଭିଯୋଗ ହୋଇଆସୁଛି ।