ମହିଳାଙ୍କୁ ଧକ୍କା ମାରି ଗିରଫ୍ ହେଲେ ବଙ୍ଗୀୟ ଯୁବକ
ସିଂହପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ମାଁସଡ଼ା ଛକରେ ଜଣେ ମହିଳାକୁ ଧକ୍କା ମାରିବା ଅଭିଯୋଗରେ ଦୁଇ ବଙ୍ଗୀୟ ଯୁବକଙ୍କୁ ପୁଲିସ ଗିରଫ୍ କରିଛି । ଖବର ମୁତାବକ କଲ୍ୟାଣପୁର ପଞ୍ଚାୟତର ମୀନତି ସାହୁ ଆଜି ସକାଳ ୧୦ଘଟିକା ସମୟରେ ପୁତୁରା ଏବଂ ଦାଦାଙ୍କ ସହ ମାଁସଡ଼ା ଛକରେ ପରିବା କିଣୁଥିବା ବେଳେ ଦୁଇଜଣ ଯୁବକ ଉକ୍ତ ସ୍ଥାନରେ ପହଁଚି ନିଜ ନିଜ ଭାଷାରେ କଥା ହେବା ସହ ଶ୍ରୀମତୀ ସାହୁଙ୍କୁ ଧକ୍କା ମାରିଥିଲେ । ଯାହା ଫଳରେ ସ୍ଥାନୀୟ ଛକରେ ସଙ୍ଗେ ସଙ୍ଗେ ଗ୍ରାମବାସୀ ଉକ୍ତ ଦୁଇଜଣ ଯୁବକଙ୍କୁ କାବୁ କରି ବିଞ୍ଝାରପୁର ପୁଲିସକୁ ହସ୍ତାନ୍ତର କରିଥିଲେ । ଶ୍ରୀମତୀ ସାହୁ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଦୁଇ ଯୁବକଙ୍କୁ ଗିରଫ୍ କରିଥିଲା । ଯୁବକଦ୍ୱୟ ବିଞ୍ଝାରପୁର ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ଯୁବକଦ୍ୱୟ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଅଞ୍ଚଳର ଖୋକନ ରୋହି ଦାସ ଏବଂ ସେକ୍ ଅସର୍ଫ ବୋଲି ସୂଚନା ପ୍ରଦାନ କରିଛି ।