ନୂତନ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲାପାଳ ରଘୁରାମ ଆର ଆୟାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଗସ୍ତରେ ଆସି ସମୀକ୍ଷା ବୈଠକ କରିଛନ୍ତି । ନୂତନ ଜିଲ୍ଲାପାଳ ବ୍ଲକ ପରିସରକୁ ପ୍ରବେଶ କରିବା ମାତ୍ରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଅଶୋକ ମହାନ୍ତି ବ୍ଲକ କର୍ମଚାରୀଙ୍କ ସହିତ ଜିଲ୍ଲାପାଳଙ୍କୁ ଫୁଲ ତୋଡ଼ାଦେଇ ଅନୁଷ୍ଠାନିକ ଭାବେ ଭବ୍ୟ ସ୍ୱାଗତ କରିଥିଲେ । ଜିଲ୍ଲାପାଳ ବ୍ଲକର ବିଭିନ୍ନ ବିଭାଗ ବୁଲି ଦେଖିବା ପରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକରେ ବିଭିନ୍ନ ସରକାରୀ ଯୋଜନା ଓ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି, ଆବାସ ଯୋଜନା, ଭତ୍ତା ଓ ରାସନ କାର୍ଡ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା କରି ପ୍ରତ୍ୟେକ ସରକାରୀ ଯୋଜନା ସଫଳ ରୂପାୟନ କରିବାକୁ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରି ନିର୍ଦ୍ଧିଷ୍ଟ ସମୟରେ ଶେଷ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଅଶୋକ ମହାନ୍ତି, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ସବଡିଭିଜନ ହସ୍ପିଟାଲ ମେଡିକାଲ ଅଫିସର ଡା ନିରାକାର ପରିଡା, ବ୍ଲକ ସହନିର୍ବାହୀ ଯନ୍ତ୍ରୀ ଇଂ ରୋଜାଲିନ ମହାଳିକ, ସହକାରୀ ଯନ୍ତ୍ରୀ ଇଂ ବିନୟ ମିଶ୍ର ଓ ଇଂ ପ୍ରସନ୍ନ ରାଉତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।