ବାଟବଣା ହେଉଛି ଯୋଜନା
ରାଜନଗର: ଲୋକଙ୍କ ପାଇଁ ସରକାର ମାଗଣାରେ ରାସନ୍ ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ତଳସ୍ତରରେ ଯୋଜନା ବାଟବଣା ହେଉଛି । ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଠିକା ସଂସ୍ଥା, ଡିଲର ଓ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ ରାଜନଗର ବ୍ଲକରେ ରାସନ୍ ଚାଉଳ ବାରମ୍ବାର ଲୁଟ୍ ହେଉଥିବା ଗୁରୁତର ଅଭିଯୋଗ ହୋଇଛି । ରାଜନଗର ବ୍ଲକର ବିଭିନ୍ନ ଡିଲର ପଏଣ୍ଟରେ ହରିଲୁଟ୍ ହେଉଛି ଗରିବ ଲୋକମାନଙ୍କ ରାସନ୍ ଚାଉଳ । ସାଧାରଣ ହିତାଧିକାରୀଙ୍କୁ ଭୂଆଁ ବୁଲାଇ ସେମାନଙ୍କ ପ୍ରାପ୍ୟ ଚାଉଳ ଲୁଟୁଛନ୍ତି ଡିଲର । ଡେରା ସମବାୟ ସମିତି ଡେରା ପଞ୍ଚାୟତ ରେ ରାସନ୍ ଚାଉଳ ବଣ୍ଟନ ଦାୟିତ୍ୱ ନେଇଥିବା ବେଳେ, ହିତାଧିକାରୀଙ୍କୁ ନିକଟରେ ୨ ମାସର ଚାଉଳ ନଦେଇ ଲୁଟ୍ କରିଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ସେହିପରି ରାଜପୁର, ଜରିମୂଳ, ଭିତରଗଡ, ଇଶ୍ୱରପୁର, ରଙ୍ଗଣୀ, କେରଡ଼ାଗଡ଼, ବାଲିସାହିପାଟଣା, ବଳଭଦ୍ରପ୍ରସାଦ, କୃଷ୍ଣନଗର, ତାଳଚୁଆ ସେବା ସମବାୟ ସମିତି ପ୍ରଭୃତି ଡିଲର ପଏଣ୍ଟ ରେ ହିତାଧିକାରୀଙ୍କ ରାସନ୍ ଚାଉଳ ଲୁଟ୍ ହେଉଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ ହିତାଧିକାରୀଙ୍କୁ ଉଷୁନା ବଦଳରେ ଅରୁଆ ଚାଉଳ ଦେବା । ଚାଉଳ ଠିକା ସଂସ୍ଥା ଦେଇନାହିଁ କହି ହିତାଧିକାରୀଙ୍କୁ ଚାଉଳ ବଦଳରେ ଟଙ୍କା ଦେବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏହା ସହ ଠିକା ସଂସ୍ଥା ଡିଲର ପଏଣ୍ଟ କୁ ଯୋଗାଉଥିବା ଚାଉଳ ବସ୍ତାରେ ୫୦ କେଜି ୬୦୦ଗ୍ରାମ ରହିବା କଥା ମାତ୍ର ଠିକା ସଂସ୍ଥା ଚଞ୍ଚକତା କରି ପ୍ରତି ବସ୍ତାରୁ ୪ରୁ ୫ କେଜି ଲୁଟି ରଖୁଥିବା ଓ ନିମ୍ନ ମାନର ଚାଉଳ ଦେଉଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଅପରପକ୍ଷରେ ଏହି ବ୍ଲକରେ ମୋଟ ରାସନ୍ କାର୍ଡ ସଂଖ୍ୟା ୩୭ ହଜାର ୧୧୧ ଥିବାବେଳେ ଏନନେଫଏସଏ କାର୍ଡ ୩୪ ହଜାର ୮୦୦ ଥିବାବେଳେ, ଏସ୍ଏଫ୍ଏସ୍ଏ କାର୍ଡ ୨୩୧୧ ଟି ଓ ୩୭୦୪ ଟି ଅନ୍ତଦୋୟ କାର୍ଡ ରହିଛି । ମୋଟ ହିତାଧିକାରୀଙ୍କ ସଂଖ୍ୟା ୧ଲକ୍ଷ ୨୨ହଜାର ୫୦୮ ଜଣ ଅଛନ୍ତି । ବ୍ଲକ୍ରେ ୫୧ଟି ଡିଲର ପଏଣ୍ଟ ରହିଛି । ପୂର୍ବରୁ ରାସନ୍ କେଳେଙ୍କାରୀରେ ଲିପ୍ତ ଥିବା ରଙ୍ଗଣୀ, ଇଶ୍ୱରପୁର, କଣ୍ଡିରା, ବେଳପାଳ, ସାତଭାୟା ଓ କେରଡ଼ାଗଡ଼ ଆଦି ୬ ଜଣ ଡିଲରଙ୍କୁ ଯୋଗାଣ ବିଭାଗ ନିଲମ୍ବନ କରିଥିବାବେଳେ, ପୁଣି ରାସନ୍ ଚାଉଳ ଲୁଟ୍ କେଳେଙ୍କାରୀ ଦିନକୁ ଦିନ ଏହି ବ୍ଲକରେ ବୃଦ୍ଧି ପାଇବାରେ ଲାଗିଛି । ହିତାଧିକାରୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି । ସରକାର ଏହା ଉପରେ ଦୃଷ୍ଟି ଦେଇ କିଭଳି ଭାବରେ ଗରିବ ହିତାଧିକାରୀଙ୍କ ନିକଟରେ ରାସନ୍ ଚାଉଳ ପହଁଞ୍ଚିବ ସେମାନେ ସେମାନଙ୍କର ପ୍ରାପ୍ୟ ପାଇପାରିବେ ସେନେଇ ବ୍ୟବସ୍ଥା କରିବାପାଇଁ ଦାବି ହେଉଛି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଏଭଳି ଘଟଣା ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସରକାର ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, କାହିଁକି ରାଜନଗର ବ୍ଲକ୍ରେ ଫେଲ ମାରିଛି ଏହି ଯୋଜନା । କେବେ ଏହି ଯୋଜନାରେ ସ୍ୱଚ୍ଚତା ଆସୁଛି ତାହା ଦେଖିବାକୁ ବାକି ରହିଲା ।