ମଣ୍ଡିରେ ଅବ୍ୟବସ୍ଥା, ମିଲରଙ୍କ ମନମୁଖିରେ ଉଠୁଛି ଧାନ
ଭୁବନେଶ୍ୱର: ସରକାର କହୁଛି ଗୋଟେ ପ୍ରକାରର, ମାତ୍ର ପ୍ରଶାସନ କରୁଛି କିଛି ଭିନ୍ନ ପ୍ରକାରର । ସରକାର କହୁଛି ବିନା କଟନୀ ଛଟ୍ନୀରେ ଧାନ ଚାଷୀଙ୍କ ଠାରୁ କିଣିବାକୁ, ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଅନୁକମ୍ପା ଯୋଗୁଁ ମିଲରଙ୍କ ମନମୁଖୀ କଟନୀ ଛଟନୀରେ ଏବେ ଚାଷୀ କାନ୍ଦୁଛନ୍ତି ଏଠାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଫାଶୀମାଲ ମଣ୍ଡିରେ । ଏହି ମଣ୍ଡିରେ ମିଲରଙ୍କ ମନଇଚ୍ଛା ରେ ୪ ରୁ ୫ କେଜି କଟନୀରେ ଧାନ କିଣୁଛି । ଏପରିକି କିଛି ଛୋଟ ଚାଷୀଙ୍କ ଠାରୁ ୫ ରୁ ୬ କେଜି କଟନୀରେ ମଧ୍ୟ ଧାନ ନେଉଛି । ଚାଷୀଙ୍କ କହିବାନୁଯାୟୀ ପ୍ରଥମେ ମିଲର ୪ କେଜି କଟ୍ନୀରେ ଧାନ ସଂଗ୍ରହ କଲେ ପରେ ଏହାକୁ ବୃଦ୍ଧି କରି ୫ କେଜି ଓ ବର୍ତ୍ତମାନ ୬ କେଜି କଟନୀ ପାଇଁ ମଧ୍ୟ ପ୍ରୟାସ କରୁଛନ୍ତି । ସେହିପରି ଫାଶୀମାଲ ଅଂଚଳର ଅନ୍ୟଜଣେ ଚାଷୀଙ୍କ ଅନୁଯାୟୀ ଚାଷୀଙ୍କୁ ନିଜ ଫସଲ କରିବା ଠାରୁ ଆରମ୍ଭ କରି ବିକ୍ରି କରିବା ପର୍ଯ୍ୟନ୍ତ ନାନା ଅସୁବିଧା ଭୋଗ କରୁଥିବା ବେଳେ ସରକାର କହୁଥିବା ବିନା କଟ୍ନୀରେ ଧାନ ବିକ୍ରି ହେଉଥିବା ବାସ୍ତବତା ପୁରା ଭିନ୍ନ । ଗୋଟିଏ ପଟେ ଅଦିନିଆ ବର୍ଷା ଅନ୍ୟ ପଟେ ହାତୀ ଉପଦ୍ରବ ଠାରୁ ବଂଚିତ ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣୁଥିବା ଚାଷୀଙ୍କୁ ମଣ୍ଡିରେ ଶୋଷଣ କରାଯାଉଛି । ତେଣୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି ।