ସରକାରୀ ଜମି ଜବରଦଖଲମୁକ୍ତ କର: ମୋହନ ଚରଣ ମାଝୀ

ଭୁବନେଶ୍ୱର : ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ରାଜସ୍ବ ପ୍ରଶାସନର ମେରୁଦଣ୍ଡ। ତହସିଲଦାରମାନେ ଲୋକଙ୍କ ଅଭିଯୋଗ ଶୁଣିବା ସହ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟାକରନ୍ତୁ। ତହସିଲ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ବ ଅଧିକାରୀମାନଙ୍କ ସମ୍ମିଳନୀରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଜପା ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକାଭିମୁଖୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ କେହି ବି ଭୂମିହୀନ ରହିବେ ନାହିଁ। ଯେଉଁମାନଙ୍କର ୪ ଡେସିମିଲରୁ କମ୍ ଜମି ଅଛି, ସେମାନେ ମଧ୍ୟ ଭୂମିହୀନ ଭାବେ ଗଣାହେବେ। ସରକାର ସେମାନଙ୍କୁ ଜମି ଯୋଗାଇଦେବେ। ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁକରିବା ପାଇଁ ତହସିଲଦାରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାଜର ଶେଷଧାଡ଼ିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚାନ୍ତୁ। ଯେଉଁମାନେ ଦୀର୍ଘଦିନ ଧରି ବଞ୍ଚିତ ଓ ଅବହେଳିତ- ସେମାନେ ହେଉଛନ୍ତି ସରକାରଙ୍କ ପ୍ରାଥମିକତା। ବହୁ ମୂଲ୍ୟବାନ୍ ସରକାରୀ ଜମି ଜବରଦଖଲରେ ଅଛି। ସେହି ସରକାରୀ ଜମିକୁ ଜବରଦଖଲମୁକ୍ତ କରି ତାହାର ସୁରକ୍ଷା କରନ୍ତୁ। ଆଗାମୀ ଦିନରେ ସରକାର ରାଜସ୍ବ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି। ସମୟସୀମା ମଧ୍ୟରେ ଦାଖଲ ଖାରଜ ମାମଲା ଓ ଅନ୍ୟାନ୍ୟ ଜମିଜମା ମାମଲାର ତ୍ୱରିତ ଫଇସଲା କରନ୍ତୁ। ଜମିଜମା ସଂକ୍ରାନ୍ତୀୟ ମାମଲା ବିଚାର କଲାବେଳେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ କରିବା ଦରକାର ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ଜମି କିଣାବିକାରେ ଅନେକ ସମୟରେ ଅନିୟମିତତା ଦେଖାଯାଇଥାଏ। ଏହି କିଣାବିକା ତହସିଲଦାରଙ୍କ ଅଗୋଚରରେ ହେବା ପ୍ରାୟତଃ ଅସମ୍ଭବ। ତେଣୁ ଏହି ସମ୍ବନ୍ଧୀୟ ସବୁ ବିବାଦ, କିଣାବିକାରେ ସାମାନ୍ୟତମ ବ୍ୟତିକ୍ରମ ହେବା ଉଚିତ ନୁହେଁ। ଯଦି ଜ୍ଞାତସରରେ କିଛି ତ୍ରୁଟି ହୁଏ, ଏହାର ପରିଣାମ ସେହି ଅଧିକାରୀ ଭୋଗିବେ। ଏଥିରେ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତି ରହିଛି। ରାଜସ୍ବ ବିଭାଗ ହେଉଛି ସ୍ବଚ୍ଛ ଏବଂ ଉତ୍ତମ ସରକାରର ଦର୍ପଣ। ଯଦି ସରକାର ଆପଣଙ୍କ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ଆପଣମାନେ ଆବଶ୍ୟକ ଜମି ଯୋଗାଡ଼ କରିବେ। ଯଦି ସରକାରଙ୍କ ପାଖରେ ଜମି ନାହିଁ, ଲୋକଙ୍କ ଠାରୁ ଅଧିଗ୍ରହଣ କରିବାକୁ ପଡ଼ିବ ଏବଂ ଏହି କାର୍ଯ୍ୟ ସବୁବେଳେ ବିଶ୍ବାସର ସହ କରିବାକୁ ହେବ ବୋଲି ସେ କହିଛନ୍ତି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଚିରାଚରିତ କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ତେଣୁ ସମସ୍ତେ ନିଜର ମାନସିକତା ବଦଳାନ୍ତୁ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ। ସମୟ ଅନୁଯାୟୀ ରାଜସ୍ବ ସେବା ଯୋଗାଇଦେବା ପାଇଁ ଯତ୍ନବାନ୍ ହୁଅନ୍ତୁ ବୋଲି ପୂଜାରୀ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ବି. ପରମେଶ୍ୱରନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଏହି ୨ ଦିନିଆ କର୍ମଶାଳାର ପ୍ରଥମ ଅଧିବେଶନରେ ସମସ୍ତ ଜିଲାର ଉପଜିଲାପାଳ, ଅତିରିକ୍ତ ଜିଲାପାଳ ଓ ତହସିଲଦାରମାନେ ଅଂଶଗ୍ରହଣ କରିଛନ୍ତି।