ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ବଢିଲା ଶସ୍ୟ ପରିବହନ ଖର୍ଚ୍ଚ

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ବଢିଲା ଶସ୍ୟ ପରିବହନ ଖର୍ଚ୍ଚ

ଭୁବନେଶ୍ୱର: ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । 
ସୂଚନାଯୋଗ୍ୟ ଯେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ । ଏହାସହିତ ଘରକୁ ରେସନ  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗହମ ପ୍ରଦାନ କରାଯାଇଥାଏ  । ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଥାଏ  । ୨୦୧୧ ମସିହା ପର ଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନ ଥିଲା  । ତେଣୁ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ପରିବହନ ମୂଲ୍ୟରେ ବୃଦ୍ଧି କରାଯାଇଛି  ।  ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଣ୍ଟ ମାନେ ଦାବୀ କରିପାରିବେ ନାହିଁ  । କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଣ୍ଟ ମାନଙ୍କ ପାଇଁ ଏହା ଲାଗୁ ହେବ  ।  ପରିବହନ ପାଇଁ ଯେଉଁ ନୂଆ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯିବ, ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରାଯିବ  । ପରିବହନର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ  ।