ସରକାରଙ୍କ ବର୍ଷେ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା ଉଦ୍ଘାଟିତ : ସାମିଲ ହେଲେନି ବିରୋଧୀ ନେତା, ଖାଲି ପଡିଲା ଚୌକି

 ନୂଆପଡା: ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା ୨୦୨୫କୁ ମନ୍ତ୍ରୀଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ କରିଛନ୍ତି । ଜଙ୍ଗଲ ପରିବେଶ, ଶ୍ରମ ଓ ନିୟୋଜନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଯୋଗ ଦେଇ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଚାରାରୋପଣ କରିଥିବାବେଳେ ଶ୍ରମ ବିଭାଗ, ଗ୍ରାମ୍ୟ ଆବାସ ଯୋଜନାର ସଚେତନ ରଥକୁ ଶୁଭାରମ୍ଭ କରିଛନ୍ତି । ବିକାଶ ମେଳା ପାଇଁ ଅନୁଷ୍ଠିତ ବିଭିନ୍ନ ବିଭାଗର ଉନ୍ନୟନମୂଳକ ୨୫ଗୋଟି ଷ୍ଟଲକୁ ଉଦ୍ଘାଟନ କରି ଷ୍ଟଲ ପରିଦର୍ଶନ କରିଥିଲେ । ସେହିପରି ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ପ୍ରଦର୍ଶନୀକୁ ପରିଭ୍ରମଣ କରି ପୁଷ୍ଟିକର ଖାଦ୍ୟ ଯୋଗାଣ ଦ୍ୱାରା ମା’ ଓ ନବଜାତ ଶିଶୁଙ୍କ ମୃତୁ୍ୟହାର ରୋକି ପାରିବ । ୨୦୩୬ ମସିହାରେ ଓଡ଼ିଶାକୁ ଏକ ବିକଶିତ ରାଷ୍ଟ୍ର ଗଠନ ପରିକଳ୍ପନା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ବିକାଶ ମେଳା ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୭ ଦିନ ମେଳା ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧିକ୍ଷକ ଜିଆର ରାଘବେନ୍ଦ୍ର ରେଡ୍ଡୀ, ଡିଏଫଓ ଅଜିଜ ଖାଁ ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲ୍ଲା ଅଧିକାରୀ, ଜନ ପ୍ରତିନିଧି ଯୋଗ ଦେଇଥିଲେ ।
ସୂଚନାଥାଉକି, ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ କୌଣସି ବିରୋଧୀ ପ୍ରତିନିଧି ଏଥିରେ ଯୋଗ ଦେଇନଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ବିକାଶ ମେଳା କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ଉପାଧ୍ୟକ୍ଷା ଦୀପିକା ଦୀପ, ନୂଆପଡ଼ା ବ୍ଳକ ଅଧ୍ୟକ୍ଷା ତରେଶ୍ୱରୀ ସାହୁ, କୋମନା ବ୍ଳକ ଅଧ୍ୟକ୍ଷା ଅନୁଶୟା କୁମ୍ଭାର, ଖଡ଼ିଆଳ ବ୍ଳକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବୋଡେନ ବ୍ଳକ ଅଧ୍ୟକ୍ଷା ପ୍ରେମଶିଳା ନାଗ, ସିନାପାଲି ବ୍ଳକ ଅଧ୍ୟକ୍ଷା ମାଧୁରୀ ମାଝି, ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜଳ ଗୁପ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚରେ ମଞ୍ଚାସୀନ ହେବାକୁ ଥିଲା । କିନ୍ତୁ ଦୁଇ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ସମେତ ୫ଟି ବ୍ଳକ ଓ ୩ଟି ଏନଏସି ଅଧ୍ୟକ୍ଷ ଅନୁପସ୍ଥିତ ରହିବାରୁ ମଞ୍ଚରେ ଚୌକି ଖାଲି ପଡିଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡିର କୌଣସି ନିର୍ବାଚିତ ପ୍ରତିନିଧି ଯୋଗ ଦେଇନଥିଲେ ।