ମଧ୍ୟାହ୍ନ ଭୋଜନ ପାଚକ, ପାଚିକାଙ୍କ ମାସିକ ପାରିଶ୍ରମିକ ୩୦୦୦ ଟଙ୍କାକୁ ବଢିଲା

ଭୁବନେଶ୍ୱର: ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ । ଏହି ପାଚକ, ପାଚିକା ମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦,୬୧୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରୁଛନ୍ତି ।